ଓଡ଼ିଆ ପକ୍ଷ ପାଳନ ଅବସରରେ ଐତିହ୍ୟ ଗଣଦୌଡ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଆଜି ଓଡ଼ିଆ ପକ୍ଷ ପାଳନ ଅବସରରେ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା କ୍ରୀଡା ଓ ଯୁବ ସେବା ବିଭାଗର ମିଳିତ ଆନୁକୂଲ୍ୟରେ ଏକ ଐତିହ୍ୟ ଗଣ ଦୌଡ ଆୟୋଜିତ ହୋଇଯାଇଛି । ସୁବର୍ଣ୍ଣପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସୁରେଶ୍ୱରୀଙ୍କ ପୀଠରୁ ସକାଳ ୬.୩୦ଟାରୁ ଆରମ୍ଭ ହୋଇଥିବା ଏହି ଦୌଡ ନଳିନୀ ଛକ, ବିଜୁ ପଟ୍ଟନାୟକ ଛକ, ମସଜିଦ ଛକ ଓ କୋର୍ଟ ଛକ ଦେଇ ସହର ପରିକ୍ରମା କରି ସୋନପୁର ମହାବିଦ୍ୟାଳୟରେ ସକାଳ ୮.୩୦ଟାରେ ଉଦଯାପିତ ହୋଇଥିଲା । ଏହି ଗଣଦୌଡକୁ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ରାଜେନ୍ଦ୍ର ମାଝୀ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀମତୀ ଅଞ୍ଜଳୀନା ପ୍ରଧାନ ଓ ସୋନପୁର ପୌରପାଳିକା ଅଧ୍ୟକ୍ଷ ଶ୍ରୀମତୀ ତାମାସୀ ତମସ୍ମିତା ନାଏକ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । କାର୍ଯ୍ୟକ୍ରମକୁ ଜିଲ୍ଲା କ୍ରୀଡା ଓ ଯୁବ ସେବା ଅଧିକାରୀ ଚିତ୍ତ ରଞ୍ଜନ ମିଶ୍ର ପରିଚାଳନା କରିଥିବା ବେଳେ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀମତୀ ଯମୁନା ପ୍ରଧାନ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ । ରାଜ୍ୟ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶ କ୍ରମେ ଓଡ଼ିଆ ପକ୍ଷ ପାଳନର ପଞ୍ଚମ ଦିନରେ ଆୟୋଜିତ ଏହି ଗଣ ଦୌଡ ଲୋକମାନଙ୍କ ମଧ୍ୟରେ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଗାରିମା ପ୍ରତି ସଚେତନତା ସୃଷ୍ଟି କରିଥିଲା । ଏହି ଦୌଡରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ସାହାରା ଟ୍ରଷ୍ଟ ଉଚ୍ଚ ବିଦ୍ୟାଳୟ, କୋଶଳ ଉଚ୍ଚ ବିଦ୍ୟାଳୟ, ସରକାରୀ ବହୁବୃତି ଅନୁଷ୍ଠାନ, ପ୍ରଜ୍ଞା ଭାରତୀ ଆବାସିକ ବିଦ୍ୟାଳୟ, ମହାରାଜା ଉଚ୍ଚ ବିଦ୍ୟାଳୟ, ମହିଳା ଡିଗ୍ରୀ ମହାବିଦ୍ୟାଳୟ, ସୋନପୁର ମହାବିଦ୍ୟାଳୟର ୫୦୦ରୁ ଅଧିକ ଛାତ୍ର ଛାତ୍ରୀ ଏବଂ ତାଙ୍କର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସାମିଲ ହୋଇଥିଲେ । ଏହା ଛଡା ସୋନପୁର-ମନମୁଣ୍ଡାର ସ୍ୱଚ୍ଛ ଭାରତ ସଂଗଠନ ମଧ୍ୟ ଗଣ ଦୌଡ଼ରେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ସଫଳ କରିବାରେ, ଜିଲ୍ଲା ପୋଲିସ ବିଭାଗ, ଜିଲ୍ଲା ଚିକିତ୍ସା ବିଭାଗ ର ସ୍ୱାସ୍ଥ୍ୟ ଟିମ ଓ ସମସ୍ତ ଡେପୁଟି/ସହାୟକ ଜିଲ୍ଲାପାଳ ଓ ଜିଲ୍ଲା ପ୍ରଶାସନର ସମସ୍ତ କର୍ମଚାରୀମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.