ପଦ୍ମପୁର, (ନିରୋଜ କୁମାର ପାଣୀ) : ଶନିବାର ଦିନ ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟର ନୂତନ ସମ୍ମିଳନୀ କକ୍ଷଠାରେ ୨୦୨୫-୨୬ ଶିକ୍ଷାବର୍ଷର ବାର୍ଷିକ ଉତ୍ସବ ଅତ୍ୟନ୍ତ ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି । ଏହି ଗୌରବମୟ ସାରସ୍ୱତ ସମାରୋହରେ ଅଧ୍ୟକ୍ଷ ପ୍ରଫେସର ଖଗେଶ୍ୱର ଦାଶ ସଭାପତିତ୍ୱ କରିବା ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭରେ ଛାତ୍ର ପ୍ରତ୍ୟୁଷ କୁମାର ମିଶ୍ରଙ୍କ ପ୍ରାରମ୍ଭିକ ସଂଗୀତ ଗାନ ପରିବେଶକୁ ଭକ୍ତିମୟ କରିଦେଇଥିଲା । ଡକ୍ଟର ସରୋଜ କୁମାର ନାଏକ ଅତିଥିମାନଙ୍କୁ ସମ୍ମାନର ସହ ମଞ୍ଚକୁ ଆମନ୍ତ୍ରଣ କରିଥିବା ବେଳେ ପ୍ରାଧ୍ୟାପକ ପ୍ରଭାତ କୁମାର ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ମହାବିଦ୍ୟାଳୟର ବାର୍ଷିକ ମୁଖପତ୍ର ‘ଚୟନ’ ଉନ୍ମୋଚିତ ହେବା ସହ ଅଧ୍ୟାପକ ପ୍ରମୋଦ କୁମାର ତ୍ରିପାଠୀ ମହାବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରି ଶିକ୍ଷାୟତନର ପ୍ରଗତି ସମ୍ପର୍କରେ ସୂଚନା ଦେଇଥିଲେ । ଉତ୍ସବରେ ମୁଖ୍ୟ ଅତିଥି ଭାବେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଯୋଗଦେଇ ନାରୀ ସଶକ୍ତିକରଣ ଏବଂ ସାମ୍ପ୍ରତିକ ସମାଜରେ ଶିକ୍ଷାର ଅପରିହାର୍ଯ୍ୟ ଭୂମିକା ଉପରେ ଆଲୋକପାତ କରିଥିଲେ । ସେ ନିଜ ଅଭିଭାଷଣରେ ଛାତ୍ରଛାତ୍ରୀମାନଙ୍କୁ ଦେଶ ଗଠନରେ ବ୍ରତୀ ହେବାକୁ ଆହ୍ୱାନ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ପଦ୍ମପୁର ଉପ-ଜିଲ୍ଲାପାଳ ହେମସାଗର ଭୋଇ ଯୋଗଦେଇ ଶୃଙ୍ଖଳିତ ଛାତ୍ର ଜୀବନ ଉପରେ ଗୁରୁତ୍ୱାରୋପ କରିଥିଲେ । ମୁଖ୍ୟବକ୍ତା ଭାବେ ରାଉରକେଲା ମ୍ୟୁନିସିପାଲ ମହା ବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡକ୍ଟର ସନାତନ ପ୍ରଧାନ ଯୋଗଦେଇ ଜୀବନ ଗଠନରେ ମୂଲ୍ୟବୋଧଭିତ୍ତିକ ଶିକ୍ଷାର ପ୍ରାସଙ୍ଗିକତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏହି ସମାରୋହରେ କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରାଯିବା ପରେ ସାଂସ୍କୃତିକ କାର୍ଯ୍ରକ୍ରମ ପରିବେଷିତ ହୋଇଥିଲା । ଯାହା ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ଶେଷରେ ଅଧ୍ୟାପକ ସନ୍ତୋଷ କୁମାର ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଉତ୍ସବରେ ମହାବିଦ୍ୟାଳୟର ସମସ୍ତ ପ୍ରାଧ୍ୟାପକ, ପ୍ରାଧ୍ୟାପିକା, ଅଧ୍ୟାପକ, ଅଧ୍ୟାପିକା, ଅଣଶିକ୍ଷକ କର୍ମଚାରୀ ଓ ଶତାଧିକ ଛାତ୍ରଛାତ୍ରୀଙ୍କ ସକ୍ରିୟ ସହଯୋଗ ଓ ଯୋଗଦାନ ଏହାକୁ ଏକ ପୂର୍ଣ୍ଣ ସଫଳତା ପ୍ରଦାନ କରିଥିଲା ।
Prev Post