ଆଦର୍ଶ ପ୍ରଧାନଶିକ୍ଷକ କୋରେଶ ଚନ୍ଦ୍ର ଶତପଥୀଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ ଭିକାରୀପଲ୍ଲୀ ଶ୍ରୀହରିହରେଶ୍ୱର ପଞ୍ଚାୟତ ହାଇସ୍କୁଲର ପ୍ରଧାନଶିକ୍ଷକ କୋରେଶ ଚନ୍ଦ୍ର ଶତପଥି ଗତ ମାର୍ଚ୍ଚ ମାସ ୩୧ ତାରିଖରେ ଅବସର ଗ୍ରହଣ କରିଛନ୍ତି । ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟ ପରିସରରେ ପ୍ରଧାନଶିକ୍ଷକ ଶ୍ରୀ ଶତପଥୀଙ୍କ ଉଦ୍ଦେଶ୍ୟରେ ଏକ ବିଦାୟ କାଳୀନ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି । ଭାରପ୍ରାପ୍ତ ପ୍ରଧାନଶିକ୍ଷକ ତାରିଣୀ ପ୍ରସାଦ ଦାଶଙ୍କ ପୌରହିତ୍ୟରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସମାରୋହରେ କୋରେଶ ଚନ୍ଦ୍ର ଶତପଥୀଙ୍କ ଆଦର୍ଶତା, ସରଳଜୀବନ, ନିଷ୍ଠାପରତା ଅନ୍ୟମାନଙ୍କୁ ଦିଗଦର୍ଶନ ଦେବ ବୋଲି ବରିଷ୍ଠ ଅବସରପ୍ରାପ୍ତ ହାଇସ୍କୁଲ ପ୍ରଧାନଶିକ୍ଷକ କାମରାଜୁ ମହାରଣା କହିଛନ୍ତି । ଶ୍ରୀ ମହାରଣା ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ ଯୋଗଦେଇ ଶ୍ରୀ ଶତପଥୀଙ୍କ ସରଳ ଜୀବନଯାପନ ଉପରେ ଆଲୋକପାତ କରି ତାଙ୍କ ଛାତ୍ର ଜୀବନକୁ ମଧ୍ୟ ସ୍ମରଣ କରି ସେ ଜଣେ ମେଧାବୀ ଛାତ୍ର ବୋଲି ପରି ପ୍ରକାଶ କରିଥିଲେ । ଏପରିକି ତାଙ୍କରି ଆଦର୍ଶତା ଅନ୍ୟଛାତ୍ରଛାତ୍ରୀମାନଙ୍କୁ ଅନୁପ୍ରାଣୀତ କରିବା ଅବଶ୍ୟକ ବୋଲି ମତପ୍ରକାଶ ପାଇଛି । ସର୍ବୋପରି ବିଦ୍ୟାଳୟ ପ୍ରତିଷ୍ଠା ଦିନଠାରୁ ବିଦ୍ୟାଳୟ ସହ ସଂଶ୍ଳିଷ୍ଟ ରହି ବିଦ୍ୟାଳୟ ବିକାଶରେ ତାଙ୍କର ମୁଖ୍ୟଭୂମିକା ଉପରେ ମତ ରଖିଥିଲେ । ବିଦ୍ୟାଳୟର ପୁରାତନ ଛାତ୍ର ମଥୁରା ଚରଣ ସୁବୁଦ୍ଧିଙ୍କ ସଂଯୋଜନାରେ ପରିଚାଳିତ ସମ୍ବର୍ଦ୍ଧନା ଉତ୍ସବରେ ଓଷ୍ଟାର ଯୁଗ୍ମ ସମ୍ପାଦକ ସୁଧୀର କୁମାର ସେଠୀ ପୁରାତନ ଛାତ୍ର କୁନା ସାହୁ, ବିଦ୍ୟାଳୟର ଶିକ୍ଷକ ଦଣ୍ଡପାଣି ଶତପଥୀ, ଜି. ସୁଜାତାରାଣୀ, କାଳୁ ନାହାକ ତଥା ଅନ୍ୟାନ୍ୟ ପୁରାତନ ଛାତ୍ର ବିଦାୟୀ ପ୍ରଧାନ ଶିକ୍ଷକଙ୍କ ଆଦର୍ଶ ଶିକ୍ଷାଦାନ ପ୍ରଣାଳୀ ଉପରେ ବକ୍ତବ୍ୟ ରଖି ତାଙ୍କର ଅବସର କାଳୀନ ସମୟ ସୁଖ ଓ ଶାନ୍ତି ସମୃଦ୍ଧିରେ ରୁଦ୍ଧିମନ୍ତ ହେଉ ବୋଲି ମତପୋଷଣ କରାଯାଇଛି । ଶେଷରେ ପ୍ରଧାନ ଶିକ୍ଷକଙ୍କୁ ପୁରାତନ ଓ ବର୍ତ୍ତମାନର ଛାତ୍ରଛାତ୍ରୀଙ୍କ ତରଫରୁ ଉପହାର ପ୍ରଦାନ କରାଯାଇଥିଲା । ବିଦାୟକାଳୀନ ସମ୍ବର୍ଦ୍ଧନାର ଉତ୍ତରରେ ଶ୍ରୀ ଶତପଥୀ ବିଦ୍ୟାଳୟ ପ୍ରତିଷ୍ଠାର ସ୍ମୃତି ଚାରଣ କରି ପିଲାମାନଙ୍କର ସଫଳତାରେ ଶିକ୍ଷକଙ୍କ ସଫଳତାର ପୁରସ୍କାର ବୋଲି ମତବ୍ୟକ୍ତ କରି ଛାତ୍ରଛାତ୍ରୀ ଭଲ ମଣିଷ ହେବାକୁ ଆଶୀର୍ବଚନ ପ୍ରଦାନ କରିଥିଲେ ।

Leave A Reply

Your email address will not be published.