ବ୍ରହ୍ମପୁର, (କେ ସତ୍ୟନାରାୟଣ ରେଡ୍ଡୀ) : ସରକାରୀ ବିଜ୍ଞାନ ମହାବିଦ୍ୟାଳୟ, ଛତ୍ରପୁର ଠାରେ ଉତ୍କଳ ଦିବସ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଆଭ୍ୟନ୍ତରୀଣ ଗୁଣବତ୍ତା ପ୍ରମାଣନ ପ୍ରକୋଷ୍ଠ ପକ୍ଷରୁ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ. ଅଜୟ କୁମାର ତ୍ରିପାଠୀ ପୌରହିତ୍ୟ କରିଥିଲେ । ମୁଖ୍ୟଅତିଥି ରୂପେ ଉତ୍କଳ ବିଶ୍ୱବିଦ୍ୟାଳୟର ସାମ୍ବାଦିକ ଏବଂ ଗଣଯୋଗାଯୋଗ ବିଭାଗର ପ୍ରଧ୍ୟାପକ ଡଃ. ଭି. ରାଜେନ୍ଦ୍ର ରାଜୁ ଯୋଗଦାନ କରି ଉତ୍କଳ ଦିବସର ମହତ୍ତ୍ଵ ସମ୍ପର୍କରେ ଆଲୋକପାତ କରିଥିଲେ । ଧରାକୋଟ ସରକାରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ ସୁଜିତ୍ ପଣ୍ଡା ମୁଖ୍ୟଅତିଥି ରୂପେ ଯୋଗଦାନ କରି ଭାଷା ଆନ୍ଦୋଳନର ଭିତ୍ତିଭୂମି, ଘଟଣା ପ୍ରବାହ ତଥା ସ୍ୱତନ୍ତ୍ର ଭାଷାଭିତ୍ତିକ ପ୍ରଦେଶ ଗଠନ ସମ୍ବନ୍ଧରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ଭାଷାଆନ୍ଦୋଳନ ପାଳନର ଅଭିପ୍ରାୟ ଏବଂ ଯୁବ ସମାଜର ଦାୟିତ୍ୱ ସମ୍ବନ୍ଧରେ ବ୍ୟାପକ ସଚେତନତା ସୃଷ୍ଟି କରିଥିଲେ । ଅନ୍ୟତମ ଅତିଥିରୂପେ ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ସୁଶାନ୍ତ ଦାସ ଓଡ଼ିଆ ଭାଷା ଆନ୍ଦୋଳନରେ ଓଡିଆଙ୍କ ଭୂମିକା ତଥା ଓଡିଆ ଭାଷା, ସାହିତ୍ୟ ସଂସ୍କୃତିକୁ ଆଗକୁ ନେବାରେ ଯୁବକମାନଙ୍କ ଦାୟବଦ୍ଧତା ଉପରେ ଦୃଷ୍ଟି ଆକର୍ଷଣ କରିଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭରେ ଓଡ଼ିଆ ସ୍ନାତକୋତ୍ତର ଭାଷା ସାହିତ୍ୟ ବିଭାଗର ଅଧ୍ୟାପିକା ଡ. ଶାନ୍ତିଲତା ବେହେରା ଅତିଥି ପରିଚୟ ପ୍ରଦାନ କରିବା ସଙ୍ଗେ ସଙ୍ଗେ ଆଭ୍ୟନ୍ତରୀଣ ଗୁଣବତ୍ତା ପ୍ରମାଣନ ପ୍ରକୋଷ୍ଠର ସଂଯୋଜିକା ଡ. ସୁଚିସ୍ମିତା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପକ ଡ. ଲକ୍ଷ୍ମୀ ନାରାୟଣ ସାହୁ ସଂଯୋଜନା କରିଥିଲେ । ଏଥିରେ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ତଥା ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ ।