ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ଦୌରା ଜଜ୍ ଏବଂ ଏ.ଡି.ଜେ. ସାହେବ ବୁଧବାର ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀଙ୍କ ଦର୍ଶନ କରି ଆତ୍ମ ବିଭୋର ହୋଇଛନ୍ତି । ମନ୍ଦିରର ନିର୍ମାଣ ଶୈଳୀ, ପ୍ରାସାଦ ଏବଂ ପ୍ରକୃତିର ଅନବୈଦ୍ୟ ସୁରମ୍ୟ ଋଷିକୁଲ୍ୟା ନଦୀର ଅବବାହିକା ଅଞ୍ଚଳ, କୁଳୁକୁଳୁ ନାଦର ତାନ, ଝରଣାର ଛୁଟିଥିବା ସୁଅ ଖୁବ୍ ମନୋରମ, ଦୃଶ୍ୟ ଅତ୍ୟନ୍ତ ମନ ମୁଗ୍ଧକର ବୋଲି ବ୍ୟାଖ୍ୟା କରିଛନ୍ତି । ଗଞ୍ଜାମ ଜିଲ୍ଲା ଦୌରା ଜଜ୍ ଅଶାନ୍ତ କୁମାର ଦାସ ଓ ଛତ୍ରପୁରର ଏ.ଡି.ଜେ. ପ୍ରଦୀପ କୁମାର ସାମଲ ଦେବୀଙ୍କ ଦୁର୍ଲ୍ଲଭ ଦର୍ଶନ କରି ଠାକୁରାଣୀଙ୍କ ଶୁଭାଶୀର୍ବାଦ ନେଇ ସନ୍ତୋଷ ଲାଭ କରିଛନ୍ତି । ମନ୍ଦିର ପରିସରରେ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ, ବିଭିନ୍ନ ନିର୍ମାଣ ପ୍ରକଳ୍ପ ଦେଖି ଜିଲ୍ଲା ଦୌରା ଜଜ୍ ଏବଂ ଏଡିଜେ ସାର୍ ଅତ୍ୟନ୍ତ ଖୁସିବ୍ୟକ୍ତ କରିଛନ୍ତି । ସର୍ବୋପରି ରାମଚଣ୍ଡୀ ମନ୍ଦିର ପରିଚାଳନା କମିଟି, ଟ୍ରଷ୍ଟ ବୋର୍ଡ଼ ଏବଂ ପୂଜା କମିଟିର କର୍ମକର୍ତ୍ତାଙ୍କୁ ସାଧୁବାଦ ଜଣାଇଛନ୍ତି । ଦର୍ଶନ କରିବା ପରେ ମାନ୍ୟବର ଗଞ୍ଜାମ ଜିଲ୍ଲା ଦୌରା ଜଜ୍ ଶ୍ରୀ ଦାସ ଆଗନ୍ତୁକ ରେଜିଷ୍ଟରରେ ନିଜର ମନ୍ତବ୍ୟ ଲେଖିଥିଲେ । ନିଃସ୍ୱାର୍ଥପର ଭାବେ ନିୟୋଜିତ ହୋଇଥିବା ମନ୍ଦିର ସେବାୟତ ନିଯୋଗ ଓ ପୂଜା କମିଟିର ସଦସ୍ୟମାନଙ୍କ ବ୍ୟବହାର ଏବଂ ଆତିଥ୍ୟସେବାରେ ଅତ୍ୟନ୍ତ ଖୁସି ହୋଇ ସମସ୍ତଙ୍କୁ ଧନ୍ୟବାଦ ସହ ସାଧୁବାଦ ଜଣାଇଥିଲେ ବୋଲି ଜଣାଯାଇଛି ।