ଆନ୍ଧ୍ରପ୍ରଦେଶ ପୁନର୍ଗଠନ ବିଲ୍‌ରେ ସଂଘୀୟ ଚିନ୍ତା ଓ ଆଦିବାସୀ ବିସ୍ଥାପନ ନେଇ ବିଶିଙ୍କ ଉଠାଇଥିବା ପ୍ରଶ୍ନ ରାଜ୍ୟସଭାରେ କୋଟିଆ ବିବାଦ ଏବଂ ପୋଲାଭରମ ପ୍ରକଳ୍ପର ପ୍ରଭାବ ଉପରେ ପ୍ରଶ୍ନ: ଓଡ଼ିଶାର ଅଧିକାର ଓ ଆଦିବାସୀ ସୁରକ୍ଷା ଦାବି କଲେ ସାଂସଦ ଶ୍ରୀ ବିଶି

ନୂଆଦିଲ୍ଲୀ : ନିରଞ୍ଜନ ବିଶି ରାଜ୍ୟସଭା ସାଂସଦ, ଆନ୍ଧ୍ର ପ୍ରଦେଶ ପୁନର୍ଗଠନ (ସଂଶୋଧନ) ବିଲ୍ ୨୦୨୬ ଉପରେ ଆଲୋଚନା ଅବସରରେ ସଂଘୀୟ ସଂବିଧାନିକ ମୂଲ୍ୟବୋଧ ଓ ଆଦିବାସୀ ଅଧିକାର ସମ୍ପର୍କରେ ଉଦବେଗ ପ୍ରକାଶ କରିଥିଲେ । ସାଂସଦ ଶ୍ରୀ ବିଶି କହିଥିଲେ ଯେ, ଏହି ଆଇନ କେବଳ ସାଧାରଣ ସଂଶୋଧନ ନୁହେଁ, ବରଂ ଏହାର ପ୍ରଭାବ ସଂଘୀୟ ବ୍ୟବସ୍ଥା ଓ ବିଶେଷ କରି ଆଦିବାସୀ ସମୁଦାୟ ଉପରେ ପଡ଼ିପାରେ । ସେ କୋରାପୁଟ ଜିଲ୍ଲାର କୋଟିଆ ବ୍ଲକ ଅଞ୍ଚଳ ସନ୍ଦର୍ଭରେ କହିଥିଲେ ଯେ, ସେଠାରେ ୨୧ ଗ୍ରାମରେ ଆନ୍ଧ୍ର ପକ୍ଷରୁ ପ୍ରଶାସନିକ ହସ୍ତକ୍ଷେପ ହେଉଛି, ଯାହା ଆଦିବାସୀ ମଧ୍ୟରେ ଅସ୍ପଷ୍ଟତା ସୃଷ୍ଟି କରୁଛି । ସେ କହିଥିଲେ ଯେ, ଏହି ପ୍ରସଙ୍ଗ ରାଜ୍ୟ ସୀମା ସ୍ପଷ୍ଟତା ସହ ଜଡିତ ଓ ଏହାକୁ ସଂବିଧାନିକ ଓ ଆଇନଗତ ପଦ୍ଧତିରେ ସମାଧାନ କରାଯିବା ଉଚିତ । ପୋଲାଭରମ ପ୍ରକଳ୍ପ ସନ୍ଦର୍ଭରେ ସେ କହିଥିଲେ ଯେ, ଏହାର ପ୍ରଭାବରେ ମାଲକାନଗିରି ଜିଲ୍ଲା ୩୦୦ ଗାଁର ୩ ଲକ୍ଷ ଲୋକ ବିସ୍ଥାପିତ ହେବେ, ସେଥି ମଧ୍ୟରୁ ୨ ଲକ୍ଷ ଆଦିବାସୀ ବିସ୍ଥାପିତ ହେବେ । ବିସ୍ଥାପନ ହେବ, ଜଙ୍ଗଲ ଜମି ବୁଡ଼ିଯିବ ଓ ଜୀବନ ଜୀବିକା ଉପରେ ପ୍ରଭାବ ନେଇ ଚିନ୍ତା ବ୍ୟକ୍ତ କରିଥିଲେ ଓ କ୍ଷତିପୂରଣ, ଥଇଥାନ ଓ ପୁନର୍ବାସ ବ୍ୟବସ୍ଥାକୁ ସୁଦୃଢ କରିବା ଆବଶ୍ୟକ ବୋଲି ସାଂସଦ ଶ୍ରୀ ବିଶି କହିଥିଲେ ।

Leave A Reply

Your email address will not be published.