ଆସ୍ଥା ଓ ବିଶ୍ୱାସର ସହ ଆରମ୍ଭ ହେଲା ବାଲିଗୁଡାର ବହୁ ପ୍ରସିଦ୍ଧ ୧୩ ଦିନିଆ ଦଣ୍ଡଯାତ୍ରା

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : ବୁଧବାର ରାତ୍ର ଠାରୁ ଆରମ୍ଭ ହୋଇଛି କନ୍ଧମାଳ ଜିଲ୍ଲାର ବହୁ ପ୍ରସିଦ୍ଧ ବାଲିଗୁଡା ଦଣ୍ଡଯାତ୍ରା । ଶହ ଶହ ମାନସିକଧାରୀ ଦଣ୍ଡୁଆଁ ନିଜର ମନସ୍କାମନା ପୂର୍ତ୍ତି ହେତୁ ଆସ୍ଥା ଓ ବିଶ୍ୱାସ ସହିତ ମାଆଙ୍କର ଏହି ଦଣ୍ଡଯାତ୍ରାରେ ଯୋଡ଼ି ହୋଇ ସମ୍ପୂର୍ଣ୍ଣ ଭାବେ ନିଜକୁ ମାଆଙ୍କ ପାଖରେ ସମର୍ପିତ ହୋଇ ୧୩ ଦିନ ପର୍ଯ୍ୟନ୍ତ ମାଆଙ୍କର ପୂଜାର୍ଚ୍ଚନା କରି ଦଣ୍ଡକାଳୀଙ୍କର ବ୍ରତ ନିୟମ ଅନୁସାରେ ପାଳନ କରିଥାନ୍ତି । ବୁଧବାର ବାଲିଗୁଡା ସମେତ ଆଖପାଖ ବିଭିନ୍ନ ଅଞ୍ଚଳର ଦଣ୍ଡଯାତ୍ରା ବହାରିଥିବା ବେଳେ ପ୍ରଥମ ଦିନରେ ମା’ ଦକ୍ଷିଣ କାଳୀ ମନ୍ଦିରରୁ ବାହାରି ଆଦର୍ଶ ପୁଷ୍କରିଣୀରେ ଯଥା ରୀତିନୀତି ଅନୁଯାଇ ପୂଜାର୍ଚ୍ଚନା ପରେ ମା’ଙ୍କ ଆଗମନ ହୋଇଥିଲା । ଢୋଲ ଓ ଘଣ୍ଟ ଧ୍ୱନିରେ ଗ୍ରାମ ଠାରୁ ସହର ପର୍ଯ୍ୟନ୍ତ ପ୍ରକମ୍ପିତ ହେଇ ଉଠିବା ସହ ସହ ଦଣ୍ଡୁଆ ଏବଂ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କ ଆସ୍ଥା ଓ ବିଶ୍ୱାସର ସହିତ ଏହି ଦଣ୍ଡନାଚ ନିୟମାବଳୀ ଅନୁଯାୟୀ ଆରମ୍ଭ ହୋଇଛି । ବହୁ ବର୍ଷ ବର୍ଷ ଧରି କନ୍ଧମାଳ ଜିଲ୍ଲାରେ ଏଭଳି ଲୋକ ପରମ୍ପରା ଚାଲି ଆସୁଥିବା ବେଳେ ଦଣ୍ଡୁଆମାନେ ଖାଲି ପାଦରେ ମାଆଙ୍କର ବାନା ଆଉ ପିଞ୍ଚକୁ ଧରି ମାଆଙ୍କର ନାମ ଉଚ୍ଚାରଣ କରି ନଗର ନଗର ପରିଭ୍ରମଣ କରିଥାନ୍ତି । ଏହି ୧୩ ଦିନରେ ମାଆଙ୍କର ସମସ୍ତ ନୀତିକାନ୍ତି ଅନୁଯାଇ ଯଥା ବିଧିବିଧାନ ପୂର୍ବକ ପୂଜାର୍ଚ୍ଚନା କରାଯାଇଥାଏ । ଏହା ସହ ମା’ ନଗର ନଗର ଭ୍ରମଣ କରି ଭିନ୍ନ ଭିନ୍ନ ସ୍ଥାନରେ ପୂଜା ପାଇଥାନ୍ତି । ତେବେ ଏହା ଭିତରେ ଏହି ୧୩ ଦିନିଆ ଯାତ୍ରାକୁ ନେଇ ଗ୍ରାମ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ଉତ୍ସବ ମୁଖର ପାଲଟିଛି । ସମସ୍ତଙ୍କ ମନରେ ଦଣ୍ଡଯାତ୍ରା ଆରମ୍ଭକୁ ନେଇ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେବାରେ ଲାଗିଛି । ଏହି ଦଣ୍ଡଯାତ୍ରା ଆସନ୍ତା ମାସନ୍ତ ୧୩ ତାରିଖ ଯାଏଁ ଚାଲିଥାଏ, ଏହି ୧୩ ଦିନର ଦଣ୍ଡଯାତ୍ରାରେ ମା’ ନଗର ଭ୍ରମଣ କରି ଭକ୍ତମାନଙ୍କୁ ଭିନ୍ନ ଭିନ୍ନ ରୂପରେ ଦର୍ଶନ ଦେଇଥାନ୍ତି । ପୌରାଣିକ ମାନ୍ୟତା ଅନୁସାରେ ଏହି ଦଣ୍ଡଯାତ୍ରା ବ୍ରତ ପାଳନ କଲେ ଭକ୍ତ ମାନଙ୍କ ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ । ମାଆଙ୍କ ଦଣ୍ଡଯାତ୍ରା ସମୟରେ ମାଆଙ୍କର ବିଭିନ୍ନ ପ୍ରକାରର ଲୀଳା ଦେଖିବାକୁ ମିଳିଥାଏ । ଦଣ୍ଡଯାତ୍ରା ନିୟମାବଳୀ ଅନୁଯାୟୀ ଯେପରି କି ମଧ୍ୟାହ୍ନରେ ଧୂଳିଦଣ୍ଡ, ସନ୍ଧ୍ୟାରେ ପାଣିଦଣ୍ଡ, ସନ୍ଧ୍ୟାରେ ମାଆଙ୍କ ଆଳତୀ, ଏହିପରି ମଧ୍ୟରାତ୍ରିରେ ପ୍ରସାଦ ସେବନ ସହ ଝୁଣା ଦଣ୍ଡ ଆଦି ସହିତ ବିଭିନ୍ନ ପ୍ରକାର ପାରମ୍ପରିକ ନୃତ୍ୟ ଗୀତ ଆୟୋଜିତ ହୋଇଥାଏ ।

Leave A Reply

Your email address will not be published.