ସୁବର୍ଣ୍ଣପୁରୀ ଦିନ ପାଳନ : ଐତିହ୍ୟ ଜିଲ୍ଲା ଭାବେ ଘୋଷଣା ଦାବି

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ୧ ଏପ୍ରିଲ ସୁବର୍ଣ୍ଣପୁର ଜିଲ୍ଲାର ଜନ୍ମ ଦିବସ । ୧୯୯୩ ଏପ୍ରିଲ ୧ ତାରିଖ ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ସୁବର୍ଣ୍ଣପୁର ଜିଲ୍ଲା ପ୍ରତିଷ୍ଠା କରି ସାଧାରଣ ସଭାରେ କହିଥିଲେ “ମୁଁ ତୁମ୍ଭମାନଙ୍କୁ ଜିଲ୍ଲାଟିଏ ଦେଉଛି, ତାହାକୁ ବାସ୍ତବରେ ସୁବର୍ଣ୍ଣପୁର ଭାବେ ଗଢି ତୋଳିବା ଦାୟୀତ୍ୱ ତୁମ୍ଭମାନଙ୍କର” । ସେ ଐତିହ୍ୟପୂର୍ଣ୍ଣ ସୁବର୍ଣ୍ଣପୁରର ଗୌରବଶାଳୀ ଅତୀତର ଇତିହାସ ସଂପର୍କରେ ଭଲ ଭାବେ ଜାଣିଥିଲେ । ଐତିହାସିକ ଓ ପୂରାତତ୍ତ୍ୱ ଦୃଷ୍ଟିରୁ ଦେଖିଲେ ଖ୍ରୀ.ପୂ. ୮୦୦ ଶତାବ୍ଦୀରୁ ଖ୍ରୀ.ଅ. ୮୦୦ ଶତାବ୍ଦୀ ପର୍ଯ୍ୟନ୍ତ ମହାନଦୀ କୂଳେ କୂଳେ ଏକ ଉନ୍ନତ ମାନବ ସଭ୍ୟତା ବିରାଜମାନ କରୁଥିଲା । ଯାହାକୁ ସୁବର୍ଣ୍ଣପୁରୀ ବା ମହାନଦୀ ସଭ୍ୟତା କୁହାଯାଉଥିଲା । ସେତେବେଳେ ଏହି ସଭ୍ୟତା ମାନବ ସମାଜକୁ ସବୁକ୍ଷେତ୍ରରେ ବିଶେଷତଃ ଆଧ୍ୟାତ୍ମିକତା କ୍ଷେତ୍ରରେ ଆଲୋକ ବର୍ତ୍ତିକା ଦେଖାଉଥିଲା । ଏଠାରେ ବୌଦ୍ଧ, ଶାକ୍ତ, ଶୈବ, ବୈଷ୍ଣବ, ନାଥ ତଥା ମହିମା ଧର୍ମର ସମନ୍ୱୟ ଘଟିଛି । ଇନ୍ଦ୍ରଭୂତି, ଲକ୍ଷ୍ମୀକରା, ପଦ୍ମସମ୍ଭବ, ମତ୍ସ୍ୟେନ୍ଦ୍ରନାଥ, ଚନ୍ଦ୍ରମଣି ଦାସ, ଭୀମଭୋଇଙ୍କ ଭଳି ମହାପୁରୁଷମାନଙ୍କ ଏହା ହେଉଛି ସାଧନା ଓ ସିଦ୍ଧିପୀଠ । ଏହା ହେଉଛି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଦିପୀଠ । ତେଣୁ ବିଶ୍ୱ ଇତିହାସରେ ସୁବର୍ଣ୍ଣପୁରର ସ୍ୱତନ୍ତ୍ର ସ୍ଥାନ ରହିଛି । ସେହି ଦୃଷ୍ଟିରୁ ସୁବର୍ଣ୍ଣପୁରୀ ଦିନ ଭାବରେ ପାଳନ କରିବା ଯଥାର୍ଥ ବୋଲି ଅନୁଷ୍ଠିତ ସାଧାରଣ ସଭାରେ ବକ୍ତାମାନେ ମତ ଦେଇଥିଲେ । ସୁବର୍ଣ୍ଣପୁରର ସମୂହ ଉନ୍ନତି ସକାଶେ ଖଇରମାଲ ବ୍ୟାରେଜ ନିର୍ମାଣ, ଏକ ଟେକ୍ସଟାଇଲ ଶିଳ୍ପ ପ୍ରତିଷ୍ଠା, ସମ୍ବଲପୁର ସୁବର୍ଣ୍ଣପୁର ରେଳ ଲାଇନ ନିର୍ମାଣ, ମହାନଦୀ ରିଙ୍ଗରୋଡ ନିର୍ମାଣ, ସୋନପୁର ମହାବିଦ୍ୟାଳୟକୁ ସରକାରୀ କରିବା, ମତ୍ସ୍ୟ ବିଶ୍ୱ ବିଦ୍ୟାଳୟ ପ୍ରତିଷ୍ଠା ଆଦିକାର୍ଯ୍ୟ ଶୀଘ୍ର ଶେଷ କରିବା ପାଇଁ ବକ୍ତାମାନେ ଦୃଢ ଦାବି ଉପସ୍ଥାପିତ କରିଥିଲେ । ସୁବର୍ଣ୍ଣପୁର ଜିଲ୍ଲାକୁ ଏକ ଐତିହ୍ୟ ଜିଲ୍ଲାଭାବେ ଘୋଷଣା କରିବାକୁ ସର୍ବ ସମ୍ମତ୍ତି କ୍ରମେ ଏକ ପ୍ରସ୍ତାବ ଗୃହୀତ ହୋଇଥିଲା । ସଭାରେ କୋଶଲ ସାହିତ୍ୟ ସଂସ୍କୃତି ଏକାଡେମୀର ସାଧାରଣ ସମ୍ପାଦକ ବରିଷ୍ଠ ଆଇନଜୀବୀ ସାମ୍ବାଦିକ ଗୋରେଖନାଥ ସାହୁ ଅଧ୍ୟକ୍ଷତା କରିଥିବା ବେଳେ ଏଥିରେ ପୌର ପରିଷଦ ଅଧ୍ୟକ୍ଷା ତାମସୀ ତାମସ୍ମୀତା ନାଏକ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ । ଏଥିରେ ଶତାଧିକ ବୁଦ୍ଧିଜୀବୀ, ସମାଜସେବୀ, ଶିକ୍ଷାବିଦ୍‌, କଳାକାର, ନାଟ୍ୟକାର, ସ୍ୱେଚ୍ଛାସେବୀ ଯୋଗଦେଇ ନିଜ ନିଜ ମତ ରଖିଥିଲେ । ଏଥିରେ ଗଦାଧର ବାରିକ, ଶ୍ରୀବତ୍ସ ମଲ୍ଲିକ, ଲଡୁକେଶ୍ୱର ମଲ୍ଲିକ, ଡ. ସନ୍ତୋଷ କୁମାର ପାଢୀ, ଜ୍ୟୋତି ରଂଜନ ପଟ୍ଟନାୟକ, ବ୍ରଜମୋହନ ଦାନୀ, ସିତାଂଶୁ ମିଶ୍ର, ଆର୍ତ୍ତତ୍ରାଣ ବାବୁ, ଡ. ଉମାକାନ୍ତ ନାଗ, ଦୁର୍ଯ୍ୟୋଧନ ସାହୁ, କଲ୍ୟାଣୀ ପାଣିଗ୍ରାହୀ, ଶ୍ରଦ୍ଧଞ୍ଜଳି ମିଶ୍ର, ଆଶୀଷ କୁମାର ଅଗ୍ରୱାଲ, ମାଧବ କୁମ୍ଭାର, ପଙ୍କଜ କୁମାର ମେହେର, ସୁନନ୍ଦା ସାହୁ, ଦିଲ୍ଲୀପ କୁମାର ରଥ, ପ୍ରମୁଖ ସୁବର୍ଣ୍ଣପୁର ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ସକାଶେ ଆଲୋକପାତ କରିଥିଲେ । ଶେଷରେ ସୁବର୍ଣ୍ଣା ନାରୀ ଜାଗରଣ କେନ୍ଦ୍ରର ସଭାନେତ୍ରୀ ପ୍ରାଧ୍ୟାପିକା ମୀନା ମହାରଣା ଧନ୍ୟବାଦ ଦେଇଥିଲେ । ତାପରେ ଉପସ୍ଥିତ ସମସ୍ତ ଜନତା ଏକ ଶୋଭାଯାତ୍ରାରେ ବାହାରି ନାମଗୁରୁ ସଂକୀର୍ତ୍ତନ ମଣ୍ଡଳୀ ସହ ସହର ପରିକ୍ରମା କରିଥିଲେ ।

Leave A Reply

Your email address will not be published.