ବରଗଡରେ ଟମାଟୋର ଅଭାବୀ ବିକ୍ରି

ବରଗଡ଼, (ମୁନ୍ନା ସାହୁ) : ବରଗଡ଼ ଜିଲ୍ଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି । ଏପରିକି ବିକ୍ରୀରେ ମୂଳ ମଧ୍ୟ ମିଳୁ ନଥିବା ଯୋଗୁଁ ଚାଷୀମାନେ ଅଧାରୁ ଅମଳକୁ ଛାଡି ଦେଉଛନ୍ତି । ବର୍ତ୍ତମାନ ଟମାଟୋର ବିକ୍ରୀରେ ଏଭଳି ଅଭାବନୀୟ ସ୍ଥିତି ଉପୁଜିଛି । ଚାଷ ଜମିରେ ଭଳିକି ଭଳି ଲାଲ ଲାଲ ହୋଇ ଫଳିଛି ଟମାଟୋ, ଜମିର ଯେଉଁ ଆଡ଼େ ଦେଖିବେ ଟମାଟୋ । କିନ୍ତୁ ଅଭାବୀ ବିକ୍ରି ଯୋଗୁଁ ଟମାଟୋ ବଜାରକୁ ନ ଯାଇ ବିଲରେ ସଢୁଛି । ବରଗଡ ଜିଲ୍ଲାର ଘେଁସ, ତିଳେଇମାଲ ଗାଁର ଚାଷୀ ରବି ଗରିଆ ଜମି ଭାଗ ନେଇ ଚାଳିଶ ଡିସିମିଲରେ ଚାଷ କରିଥିବା ଟମାଟୋ ଅମଳକୁ ଅଧାରୁ ଛାଡି ଦେଇଛନ୍ତି । ବେପାରୀମାନେ ଟମାଟୋ କି.ଗ୍ରା ପ୍ରତି ୨ଟଙ୍କାରୁ ୩ଟଙ୍କା ଦରରେ ମାଗୁଥିବା ଯୋଗୁଁ ସେଭଳି ନିଷ୍ପତ୍ତି ନେଇଥିବା ସେ କହିଛନ୍ତି । ତେବେ ପରିବା ସଂରକ୍ଷଣ ପାଇଁ ଜିଲ୍ଲାରେ ଶୀତଳ ଭଣ୍ଡାରର ପର୍ଯ୍ୟାପ୍ତ ବ୍ୟବସ୍ଥା ନଥିବାରୁ ଚାଷୀମାନେ ବିଭିନ୍ନ ସମୟରେ ଏଭଳି ସମସ୍ୟାର ସମ୍ମୁଖିନ ହୋଇ ଆସୁଛନ୍ତି । ଏହି ଦୃଷ୍ଟିରୁ ଜିଲ୍ଲାର ପ୍ରତ୍ୟେକ ବ୍ଲକରେ ପର୍ଯ୍ୟାପ୍ତ ଶୀତଳ ଭଣ୍ଡାର ନିର୍ମାଣ କରିବା ପାଇଁ ସରକାରୀ ସ୍ତରରେ ପଦକ୍ଷେପ ନେବାକୁ ଚାଷୀ ସଂଗଠନ ତରଫରୁ ଏବେ ଦାବି ଉଠୁଛି ।

Leave A Reply

Your email address will not be published.