କଲମପୁର ପ୍ରାଥମିକ କୃଷି ସମବାୟ ସମିତିର ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ସମବାୟ ନିୟମ ଅନୁସାରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ କଲମପୁର ପ୍ରାଥମିକ କୃଷି ସମବାୟ ସମିତିର ବାର୍ଷିକ ସାଧାରଣ ସଭା କଲମପୁର ମଣ୍ଡି ପରିସରରେ ଅନୁଷ୍ଠିତ ହୋଇଯାଇଛି । କୃଷି ସମବାୟ ସମିତି ଅଧ୍ୟକ୍ଷ ଶଙ୍କର୍ଷଣ ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପରିଚାଳନା ପରିଷଦର ସଭ୍ୟ ପୀତବାସ ସାହୁ, ମହେନ୍ଦ୍ର ନାଥ ସାହୁ, ବିପିନ ପ୍ରଧାନୀ, ଘନଶ୍ୟାମ ନାଏକ, ପବନ ମାଝୀ, ପ୍ରଭାସ ବାଗଙ୍କ ସମେତ ବ୍ୟାଙ୍କ କ୍ଷେତ୍ର ଅଧିକାରୀ ବୁଦ୍ଧିମାନ ପାତ୍ର ଏବଂ ସମିତିର ମୁଖ୍ୟ କାର୍ଯ୍ୟନିର୍ବାହୀ କ୍ଷେତ୍ରମୋହନ ବାଗ ମଞ୍ଚାସିନ ଥିଲେ । ଅଧ୍ୟକ୍ଷ ଶ୍ରୀ ବେହେରା ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିଲେ । ମୁଖ୍ୟ କାର୍ଯ୍ୟନିର୍ବାହୀ କ୍ଷେତ୍ର ମୋହନ ବାଗ ସମିତିର ବାର୍ଷିକ ବିବରଣୀ ପଠନ ସହ ନୂତନ ଆର୍ଥିକ ବର୍ଷର ବଜେଟ ଉପସ୍ଥାପନ କରିଥିଲେ । ପ୍ରାଥମିକ କୃଷି ସମବାୟ ସମିତିର ନିଜସ୍ୱ କୋଟି କୋଟି ଟଙ୍କା ଥିବା ସତ୍ୱେ କୌଣସି ଆବଶ୍ୟକୀୟ ଖର୍ଚ୍ଚ ପାଇଁ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ସ୍ୱୀକୃତି ଆବଶ୍ୟକ ପଡୁଛି । ଏପରିକି ଏସଏଚଜି ମାନଙ୍କୁ ଧାନକ୍ରୟ ସମୟର କମିଶନ ସିଧା ସଳଖ ଭାବେ ପ୍ରଦାନ କରାଯାଉଥିବା ବେଳେ ପ୍ରାଥମିକ କୃଷି ସମବାୟ ସମିତି ମାଧ୍ୟମରେ କ୍ରୟ କରାଯାଉଥିବା ଧାନର କମିଶନ ବ୍ୟାଙ୍କରେ ଡିପୋଜିଟ ହୋଇ ରହୁଛି ଯାହାକି ସମ୍ପୃକ୍ତ ସଂସ୍ଥା ଖର୍ଚ୍ଚ କରିପାରୁନାହିଁ । ସଂସ୍ଥାର କୋଟି କୋଟି ଟଙ୍କା ରହିଥିଲେ ମଧ୍ୟ ନିଜସ୍ୱ କୋଠା ନଥିବାରୁ ଭଡାଘରେ ପେକ୍ସ କାର୍ଯ୍ୟ ସମ୍ପାଦନ କରାଯାଉଛି । ଏଆରସିଏସ ଏବଂ ଡ଼ିଆରସିଏସଙ୍କ ଅର୍ଥ ଅନୁମୋଦନ କ୍ଷମତାକୁ ବୃଦ୍ଧି କରାଗଲେ ପେକ୍ସର ଆବଶ୍ୟକୀୟ ଖର୍ଚ୍ଚ ସୁବିଧାରେ ହୋଇପାରନ୍ତା ତେଣୁ ଚାଷୀ ଶୁଭେନ୍ଦୁ କୁମାର ପଣ୍ଡା ଲିଖିତ ଭାବେ ସଂସ୍ଥା ପକ୍ଷରୁ ସମବାୟ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବାପାଇଁ ମତବ୍ୟକ୍ତ କରିଥିଲେ । ଏହାକୁ ସର୍ବ ସମ୍ମତି କ୍ରମେ ରେଜୁଲେଶନ ମାଧ୍ୟମରେ ଉଚ୍ଚ କର୍ତ୍ତୃପକ୍ଷ ତଥା ସରକାରଙ୍କ ଦୃଷ୍ଟି ଆକର୍ଷଣ ପାଇଁ ରାମଚନ୍ଦ୍ର ସାହୁ ସମେତ ଅନେକ ଚାଷୀ ଦୃଢୋକ୍ତି ପ୍ରକାଶ କରିଥିଲେ । ଆବଶ୍ୟକ ସମୟର ପୂର୍ବରୁ ସମିତି ତରଫରୁ ଚାଷୀଙ୍କୁ ସାର ଓ ବିହନ ଯୋଗାଇବା ନେଇ ଗୁରୁତ୍ଵ ଦେବାକୁ ଚାଷୀ ବବ୍ରୁବାହନ ପାଣିଗ୍ରାହୀ, ନିହାର ରଞ୍ଜନ ସାହୁଙ୍କ ସହ ଅନେକ ଚାଷୀ ପ୍ରକାଶ କରିଥିଲେ । ତେବେ ସମସ୍ତଙ୍କ ସହମତି କ୍ରମେ ପ୍ରତିଦିନ ସାର ଗୋଦାମ ଖୋଲା ରଖିବା, ଆବଶ୍ୟକ ସମୟରେ ସାର ଯୋଗାଇ ଦିଆଯିବ ବୋଲି ସମବାୟ ପକ୍ଷରୁ ମୁଖ୍ୟ କାର୍ଯ୍ୟନିର୍ବାହୀ ପ୍ରକାଶ କରିଥିଲେ । ଧାନବିକ୍ରି ସମୟରେ ଦେଖାଦେଉଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ବରିଷ୍ଠ ଚାଷୀ ବାଲଗୋପାଳ ତେଣ୍ଡକାରୀ ଦୃଷ୍ଟି ଆକର୍ଷଣ କରିଥିଲେ । ଏହି ସାଧାରଣ ସଭାରେ କଲମପୁର, ଦେପୁର, ପଣ୍ଡିଗାଁ ଗ୍ରାମପଞ୍ଚାୟତ ଅନ୍ତର୍ଗତ ୫ ଟି ମଣ୍ଡିରୁ ବହୁ ସଂଖ୍ୟାରେ ଚାଷୀ ଉପସ୍ଥିତ ରହି ନିଜ ନିଜ ମତ ପ୍ରକାଶ କରିଥିଲେ । ବିଶିଷ୍ଟ କବି ଦୟାନିଧି ବାଣୁଆ କବିତା ମାଧ୍ୟମରେ ଉପସ୍ଥିତ ଚାଷୀମାନଙ୍କୁ ଉତ୍ସାହିତ କରିଥିଲେ । ଚାଷୀ ସୁଧୀର ରାଉତ ମଞ୍ଚ ପରିଚାଳନା କରିଥିବାବେଳେ ସଭ୍ୟ ପୀତବାସ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ପେକ୍ସର କର୍ମଚାରୀମାନେ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Leave A Reply

Your email address will not be published.