ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ରଙ୍ଗାରଙ୍ଗ ଭରପୂରରେ ଡି.ଏସ.ଆର. ସଂସ୍କୃତି ସଂଗଠନର ଚତୁର୍ଥ ବାର୍ଷିକ ଉତ୍ସବ ସମାହିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାର ସଦର ମହକୁମାସ୍ଥ ଜିଲ୍ଲା ସଂସ୍କୃତି ଭବନ (ଛତ୍ରପୁର) ଠାରେ ଛତ୍ରପୁରର ଅଗ୍ରଣୀ ନୃତ୍ୟ ଅନୁଷ୍ଠାନ ଡି.ଏସ.ଆର. ସଂସ୍କୃତି ସଂଗଠନର ଚତୁର୍ଥ ବାର୍ଷିକ ଉତ୍ସବ ରବିବାର ସନ୍ଧ୍ୟାରେ ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦକ ଏମ.ରବୀନ୍ଦ୍ର ରେଡ୍ଡୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟଅତିଥି ରୂପେ ଜିଲ୍ଲା ସଂସ୍କୃତି ଅଧିକାରୀ ତଥା ଆସିଷ୍ଟାଣ୍ଡ କଲେକ୍ଟର ଅଦିତୀ ଆଚାର୍ଯ୍ୟ ଯୋଗଦେଇ ଅନୁଷ୍ଠାନର ଛାତ୍ରଛାତ୍ରୀ ଓ ଉଦ୍ୟାକ୍ତାଙ୍କୁ ପ୍ରଶଂସା କରିଥିଲେ ଏବଂ କୃତ୍ତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ । ସମ୍ମାନିତ ଅତିଥି ରୂପେ ଶିଶୁ ରୋଗ ବିଶେଷଜ୍ଞ ଡଃ. ନିକୁଞ୍ଜ ବିହାରୀ ଦାସ, ଜିଲ୍ଲା ସଂସ୍କୃତି ପରିଷଦ ସଦସ୍ୟ ଅରୁଣ କୁମାର ଶତପଥୀ ସେଣ୍ଟ ଜାଭିଅର୍ସ ପବ୍ଲିକ ସ୍କୁଲର ଅଧ୍ୟକ୍ଷ ବୀରସେନ ବେହେରା ପ୍ରମୁଖ ଯୋଗଦେଇ ଅନୁଷ୍ଠାନର ଉତ୍ତୋରତ୍ତର ଉନ୍ନତି ଦିଗରେ ସଦୁଉପଦେଶ ଓ ପରାମର୍ଶ ଦେଇଛନ୍ତି । ସମସ୍ତ ଅତିଥିମାନଙ୍କୁ ଅନୁଷ୍ଠାନର ସଭାପତି ତଥା ଅଭିନୟ କଳାକାର ମନୋଜ କୁମାର ଆଚାର୍ଯ୍ୟ ମଞ୍ଚ-ଉପରକୁ ପାଛୋଟି ନେଇଥିଲେ । କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଭାବେ ପ୍ରିନ୍ସ ଡ୍ୟାନ୍ସ ଗ୍ରୁପର ମୁଖ୍ୟ ତଥା ଅଭିନେତା ଟି. କ୍ରିଷ୍ଣା ମୋହନ ରେଡ୍ଡୀ ଏବଂ ଅନ୍ତର୍ଜାତୀୟ ଲୋକନୃତ୍ୟ ଗୁରୁ ରାଜେନ୍ଦ୍ର ପ୍ରସାଦ ପାତ୍ର ଯୋଗଦେଇ ଅନୁଷ୍ଠାନର କୁନି କୁନି କଳାକାରମାନଙ୍କୁ ଉତ୍ସାହିତ କରିଥିଲେ । ପ୍ରାରମ୍ଭରେ ସମସ୍ତ ଅତିଥିମାନଙ୍କୁ ମଞ୍ଚାସୀନ ହେବାକୁ ଆହ୍ୱାନ କରି ସଭିଙ୍କୁ ଉପଢୌକନ ଦେଇ ପୁଷ୍ପଗୁଚ୍ଛ ସହ ସମ୍ବର୍ଦ୍ଧିତ କରାଯାଇଥିଲା । ଅନୁଷ୍ଠାନ ତରଫରୁ ପ୍ରତ୍ୟେକ ଅତିଥିବନ୍ଧୁଙ୍କୁ ଗୋଟିଏ ଲେଖାଏଁ ବୃକ୍ଷ-ଚାରା ଭେଟି ଦିଆଯାଇଥିଲା । ଅନୁଷ୍ଠାନର ମୁଖ୍ୟ ତଥା ନୃତ୍ୟଗୁରୁ ଏମ.ରବୀନ୍ଦ୍ର ରେଡ୍ଡୀଙ୍କ ନିର୍ଦ୍ଦେଶନାରେ ଭଜନ ସଙ୍ଗୀତ, କାଠ ପାଦ ନୃତ୍ୟ, ଆଧୁନିକ, ସମ୍ବଲପୁରୀ, ସେମିକ୍ଲାସିକେଲ ନୃତ୍ୟ ଆଦି ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ପରିବେଷଣ କରି ଅଗଣିତ ଦର୍ଶକଙ୍କୁ ବିମୋହିତ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଶିବାନନ୍ଦ ବାରିକ ମଞ୍ଚ ସଂଯୋଜନା କରିଥିବାବେଳେ, ଶେଷରେ ଅନୁଷ୍ଠାନର ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଟ୍ରଫି, ସାର୍ଟିଫିକେଟ ଦେଇ ଉତ୍ସାହିତ କରାଯାଇଥିଲା । ଅନୁଷ୍ଠାନର ଟ୍ରଷ୍ଟି କେ. ସ୍ଵପ୍ନା ପାତ୍ର, ପି. ଭିନିଲା ରେଡ୍ଡୀ, ଲକ୍ଷ୍ମୀ ନୃସିଂହ ଆଚାର୍ଯ୍ୟ ପ୍ରମୁଖ ସହଯୋଗ କରିଥିଲେ ।