ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଚିତ୍ତ ଜ୍ଞାନୀ ଚେରିଟେବୁଲ୍ ଟ୍ରଷ୍ଟ ପଶ୍ଚିମ ଓଡିଶା ଶାଖା ମା’ ଘର ପକ୍ଷରୁ ମାର୍ଚ୍ଚ ୨୯ ତାରିଖ ରବିବାର ଦିନ ମେଗା ଦାତବ୍ୟ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼. ନୃପରାଜ ସାହୁ ଓ ଏସ୍ପି ନାରାୟଣ ନାଏକ ଉଦଘାଟନ କରିଥିଲା ବେଳେ ସୋନପୁର ସିଡିଏମ୍ପିଏଚ୍ଓ ଡାକ୍ତର ଉଷାରଣୀ ଦାସ ଅତିଥି ଭାବେ ଯୋଗ ଦେଇଥିଲେ । ଟ୍ରଷ୍ଟର ପରିଚାଳନା ଟ୍ରଷ୍ଟି ତଥା ମୁଖ୍ୟ ଆୟୋଜକ ଏସ୍ସିବି ମେଡିକାଲ କଲେଜର ପୂର୍ବତନ ଅଧକ୍ଷ ଓ ଓଡିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି ମୂତ୍ର ରୋଗ ବିଶେଷଜ୍ଞ ପ୍ରଫେସର ଡାକ୍ତର ଦାତ୍ତେଶ୍ୱର ହୋତାଙ୍କ ପୃଷ୍ଠପୋଷକତାରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ କଟକ, ଭୁବନେଶ୍ୱର ଓ ବଲାଙ୍ଗିରର ବିଭିନ୍ନ ରୋଗର ଚିକିତ୍ସକ ଓ ବିଶେଷଜ୍ଞ ୧୦ ଜଣ ଡାକ୍ତର ଯୋଗଦେଇ ବିଭିନ୍ନ ବର୍ଗର ରୋଗୀଙ୍କୁ ଆଧୁନିକ ଚିକିତ୍ସା ସେବା ଯୋଗାଇ ଦେଇଥିଲେ । ରୋଗୀ ମାନଙ୍କ ଚକ୍ଷୁ ପରୀକ୍ଷା ସହ ବିନା ମୂଲ୍ୟରେ ଔଷଧ, ଚଷମା ପ୍ରଦାନ ସହ ଖାଦ୍ୟ ଦିଆଯାଇଥିଲା । ଭିନ୍ନକ୍ଷମ, ବୁଢ଼ାବୁଢୀଙ୍କ ଠାରୁ ଆରମ୍ଭ କରି ଶିଶୁଙ୍କ ପର୍ଯ୍ୟନ୍ତ ରୋଗୀମାନେ ଆସି ଚିକିତ୍ସା କରାଇଥିଲେ । ବିଭିନ୍ନ ବର୍ଗର ୩୨୦ ରୋଗୀ ଆସି ସେମାନଙ୍କ ସ୍ୱାସ୍ଥ୍ୟର ଚିକିତ୍ସା କରିଥିଲେ । ସତ୍ୟଜିତ ନାୟକଙ୍କ ନେତୃତ୍ୱରେ ଟ୍ରଷ୍ଟର କର୍ମକର୍ତ୍ତା ଓ ସ୍ୱେଚ୍ଛସେବୀ ସହାୟତା କରିଥିଲେ । ଆଗାମୀ ଦିନରେ ମଧ୍ୟ ଏହିପରି ସେବା ଜାରି ରହିବ ବୋଲି ଡାକ୍ତର ହୋତା କହିଛନ୍ତି ।
Prev Post
Next Post