ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ପୌର ପରିଷଦ ତରଫରୁ ବରିଷ୍ଠ ନାଗରିକ ମାନଙ୍କ ସହଭାଗିତାରେ ପଲିଥିନ୍ ବର୍ଜନ ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ବଲାଙ୍ଗିର ସହରର ଗୋପାଳଜୀ ମନ୍ଦିରରୁ ଏହି ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍ ବର୍ଜନ ଅଭିଯାନର ଶୁଭାରମ୍ଭ କରାଯାଇଥିଲା । ଏହି ର୍କାଯ୍ୟକ୍ରମରେ ସହରର ବହୁ ସିନିଅର ସିଟିଜେନ, ବୁଦ୍ଧିଜୀବୀ, ପୌର ପରିଷଦର ନିର୍ବାହୀ ଅଧିକାରୀଙ୍କ ସହିତ ସମସ୍ତ ପୌର ପରିଷଦର ସୁପରଭାଇଜର, ସ୍ୱଚ୍ଛସାଥୀ, ସାନିଟେସନ୍ ଏକ୍ସପର୍ଟ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ । ଅଭିଯାନ ସମୟରେ ସମସ୍ତେ ସହରର ବିଭିନ୍ନ ଦୋକାନ ଓ ବଜାର ଅଞ୍ଚଳ ବୁଲି ଦୋକାନକୁ ଦୋକାନ “ପଲିଥିନ୍କୁ ନା” ବୋଲି ସଚେତନତା ସୃଷ୍ଟି କରିଥିଲେ ଏବଂ ପରିବେଶ ସୁରକ୍ଷା ପାଇଁ ପ୍ଲାଷ୍ଟିକ୍ ବ୍ୟବହାର ବନ୍ଦ କରିବାକୁ ଅନୁରୋଧ କରିଥିଲେ । ପୌର ପରିଷଦ ପକ୍ଷରୁ ସୂଚନା ମିଳିଛି ଯେ, ଆଗାମୀ ଦିନରେ ପଲିଥିନ୍ ବ୍ୟବହାର ବିରୋଧରେ କଡା ଅଭିଯାନ (ଏନ୍ଫୋର୍ସମେଣ୍ଟ) ଆରମ୍ଭ କରାଯିବ । ଯେକୌଣସି ବ୍ୟକ୍ତି କିମ୍ବା ବ୍ୟବସାୟୀଙ୍କ ପାଖରେ ପଲିଥିନ୍ ମିଳିଲେ, ତାଙ୍କୁ ୫,୦୦୦ ଟଙ୍କା ଜରିମାନା ଆଦାୟ କରାଯିବ ବୋଲି ପୌର ପରିଷଦ ସଚେତନ କରିଛି । ଏହା ସହିତ, ଏପ୍ରିଲ୍ ମାସ ଶେଷ ସୁଦ୍ଧା ବଲାଙ୍ଗିର ସହରକୁ ପଲିଥିନ୍ ମୁକ୍ତ କରିବା ପାଇଁ ପୌର ପରିଷଦ ପକ୍ଷରୁ ଦୃଢ଼ ସଙ୍କଳ୍ପ ଗ୍ରହଣ କରାଯାଇଛି ।