- ଆସନ୍ତା ୮ ତାରିଖରେ ଜିଲ୍ଲାପାଳ ଅଫିସରେ ଧାରଣା
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଥିଲା । ଚିନିକଳ ପୁନଃଉଦ୍ଧାର ପାଇଁ ବାରମ୍ବାର ଆଲୋଚନା ଏବଂ ଆନ୍ଦୋଳନ କରାଯାଉଥିଲେ ମଧ୍ୟ ସରକାରଙ୍କ ସମ୍ପୂର୍ଣ୍ଣ ନିରବତା ଏବଂ ଅଂଚଳବାସୀଙ୍କ ନ୍ୟାୟୋଚିତ ଦାବି ପ୍ରତି ଚରମ ଉଦାସୀନତା ମନୋଭାବକୁ ବିଭିନ୍ନ ମହଲରୁ ତୀବ୍ର ନିନ୍ଦା କରିବା ସହ ଡବଲ ଇଞ୍ଜିନ ସରକାର ବଲାଙ୍ଗିରବାସୀଙ୍କୁ ପ୍ରତାରିତ କରିଛନ୍ତି ବୋଲି ସଭାରେ ମତପ୍ରକାଶ ପାଇଥିଲା । ପ୍ରକାଶ ଥାଉକି ଗତ କିଛି ମାସ ତଳେ ରାଜ୍ୟ କୃଷି ତଥା ଉପମୁଖ୍ୟମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ପଥରଚେପା ଠାରେ ଦେଓଗାଁ ଚିନିକଳକୁ ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ ଦୃଢ ଘୋଷଣା କରି ସବୁ ମହଲରୁ ବାହାବା ସାଉଁଟି ଥିବେ ଏବଂ ସଂଘର୍ଷ ସମିତି ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ଆନନ୍ଦର ସହ ସ୍ୱାଗତ କରିଥିଲେ । କିନ୍ତୁ ଦୁଃଖର କଥା ନିକଟ ଅତିତରେ କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହା ଭୁବନେଶ୍ୱର ଠାରେ ବଡମ୍ବା ଓ ନୟାଗଡ ଚିନିକଳ ଚାଲିବା ନେଇ ସବୁଜ ସଂକେତ ଦେଇଥିଲେ କିନ୍ତୁ ବଲାଙ୍ଗିରସ୍ଥ ବିଜୟାନନ୍ଦ ସମବାୟ ଚିନିକଳ ସମ୍ବନ୍ଧରେ ମୁଖ୍ୟମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀଙ୍କ ପୂର୍ବ ଘୋଷଣା ଓ ନିର୍ବାଚନ ଇସ୍ତାହାରରେ ଦେଇଥିବା ପ୍ରତିଶୃତି ସତ୍ୱେ ସମ୍ପୂର୍ଣ୍ଣ ଭାବେ ଉପେକ୍ଷା କରିଥିବା ଲକ୍ଷ୍ୟ କରାଯାଇଥିଲା । ଏହି ସରକାରୀ ଉଦାସିନତାକୁ ଦେଓଗାଁ ଚିନିକଳ ସଂଘର୍ଷ ସମିତି ତରଫରୁ ମୁଖ୍ୟ ଆବାହକ ବିଭୁଦତ୍ତ ମିଶ୍ର ଏବଂ ଆବାହକ ମଣ୍ଡଳୀର ସଦସ୍ୟମାନେ ଘୋର ବିରୋଧ କରି ଆଗାମୀ ତା.୦୮.୦୪.୨୦୨୬ ରିଖ ଦିନ ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପୁନଃଉଦ୍ଧାର ଦାବିରେ କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହାଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ଦେବାକୁ ସ୍ଥିର କରାଯାଇଥିଲା । ଶେଷରେ ଆବାହକ ରାଜେଶ ବଗର୍ତ୍ତି ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଆନ୍ଦୋଳନକୁ ଆହୁରି ଗତିଶୀଳ କରିବାକୁ ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସତ୍ୟ ବନଛୋର, ନୀଳମଣି ମିଶ୍ର, ଡ. ବିପିନ କୁଶଲିଆ, ମଧୁସୂଦନ କ୍ଷେତି, ସଭରୀ ସାହୁ, ପୂର୍ଣ୍ଣ ବିଶ୍ୱାଲ, ପିଣ୍ଟୁ ସେଠ, ସରୋଜ ମେଶ୍ୱା ପ୍ରମୁଖ ଉଦ୍ବୋଧନ ଦେଇଥିଲେ ।