ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବାର୍ ଆସୋସିଏସନର ଚଳିତ ବର୍ଷର ନିର୍ବାଚନ ତଥା ଓକିଲ ସଂଘ ସଭାପତି ପଦବୀରେ ଏଲ୍. ଗୋପୀ ସଂଖ୍ୟାଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ଚଳିତ ବର୍ଷର ଓକିଲ ସଂଘ ନିର୍ବାଚନ ଫଳାଫଳ ଘୋଷଣା ହେବାପରେ ସମସ୍ତଙ୍କୁ ଚକିତ କରିଦେଇଛି । ଛତ୍ରପୁର ବାର୍ ଆସୋସିଏସନର ସଭାପତି ପଦବୀ ନିମନ୍ତେ ସର୍ବମୋଟ ୪ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରି ଆସୁଥିଲେ । ବହୁବର୍ଷ ହେଲା ଏକ ଚର୍ଚ୍ଚିତ ଅଧ୍ୟାୟ ଭାବେ ଏକ ସମାନ ବର୍ଗର ବ୍ୟକ୍ତି ବିଶେଷ୍ୟ ନିର୍ବାଚିତ ହୋଇଆସୁଥିଲେ ବୋଲି କୁହାଯାଏ । କିନ୍ତୁ ଚଳିତ ବର୍ଷ ନିରପେକ୍ଷତା ଭିତ୍ତିରେ ଭୋଟଗ୍ରହଣ ହୋଇଥିବା କୁହାଯାଉଛି । ସଭାପତି ପଦବୀ ଅଳଙ୍କୃତ କରିବା ନିମନ୍ତେ ବେଶ୍ ଦବଦବା ପ୍ରଦର୍ଶନ କରି ଆଡଭୋକେଟ୍ ଏଲ୍. ଗୋପୀ ବିଜୟୀ ହୋଇ ନିଜର ପାରଦର୍ଶିତା ହାସଲ କରିଛନ୍ତି । ଛତ୍ରପୁର ବାର୍ ଆସୋସିଏସନରେ ସର୍ବମୋଟ ୨୨୦ ଜଣ ସଦସ୍ୟଭୁକ୍ତ ହୋଇଥିବା ବେଳେ ସର୍ବମୋଟ ୧୭୯ ଜଣ ସଦସ୍ୟ ମତଦାନ କରିଥିଲେ । ସଭାପତି ପଦବୀ ନିମନ୍ତେ ସର୍ବମୋଟ ୪ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରିଆସୁଥିଲେ । ସେମାନେ ହେଲେ ଏଲ୍. ଗୋପୀ, ଗୋକୁଳ ଚନ୍ଦ୍ର ପଣ୍ଡା, ମନୋଜ କୁମାର ପାଢ଼ୀ, ରାମକୃଷ୍ଣ ଦାଶ ପ୍ରମୁଖ । ଏଲ୍. ଗୋପୀ ୭୩ ଟି ଭୋଟ ପାଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବରିଷ୍ଠ ଆଇନଜୀବୀ ତଥା ପୂର୍ବତନ ଓକିଲ ସଂଘ ସଭାପତି ଗୋକୁଳ ଚନ୍ଦ୍ର ପଣ୍ଡା ୬୫ ଗୋଟି ଭୋଟ ପାଇଥିବା ଜଣାପଡ଼ିଛି । ଏଲ୍. ଗୋପୀ ଛତ୍ରପୁର ଓକିଲ ସଂଘର ଜଣେ ଯୁବ-ପ୍ରତିଭା ଅଟନ୍ତି । ସେ ପୂର୍ବେ ୨୦୦୭-୦୮ ରୁ ୨୦୧୧ ପର୍ଯ୍ୟନ୍ତ (ଦ୍ଵି- ବାର୍ଷିକ ନିର୍ବାଚନରେ) ଏବଂ ପରେ ଅଦ୍ୟାବଧି ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଆସିଥିଲେ । କେତେଥର ଉପ-ସଭାପତି ପଦବୀରେ ମଧ୍ୟ ଅଳଙ୍କୃତ କରିଆସିଥିଲେ । ଚଳିତ ବର୍ଷ ନିର୍ବାଚନରେ ସଭାପତି ଭାବେ ନିର୍ବାଚିତ ସବୁରି ମହଲରେ ଉଚ୍ଚ ପ୍ରଶଂସିତ ହୋଇଛନ୍ତି । ସେହିପରି ଉପସଭାପତି ଭାବେ ପ୍ରଦୀପ କୁମାର ପଲେଇ, ସାଧାରଣ ସମ୍ପାଦକ ଭାବେ କେ. ଦୁର୍ଯ୍ୟୋଧନ ରେଡ୍ଡୀ, ଯୁଗ୍ମ ସମ୍ପାଦକ ଭାବେ ଅପସର୍ ଜାନ୍, ନାଲା ଗୋପୀ ପାଠାଗାର ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି । ସହ-ସମ୍ପାଦକ ଭାବେ କେ. ବିଜୟ ଲକ୍ଷ୍ମୀ ଦେବୀ ଏବଂ କୋଷାଧ୍ୟକ୍ଷ ଭାବେ କେଶବ ବିହାରୀ ନାୟକ, କାର୍ଯ୍ୟକାରୀ ସଦସ୍ୟ ଭାବେ ମମତା ସେଠୀ ପ୍ରମୁଖ ମନୋନୀତ ହୋଇଛନ୍ତି । ଚଳିତ ବର୍ଷର ଓକିଲ ସଂଘର ସଭାପତି ପଦବୀ ଖୁବ୍ ଦବଦବା ପ୍ରଦର୍ଶନ ହୋଇଥିବା ବେଳେ ଏନେଇ ଛତ୍ରପୁର ସହରରେ ବିଭିନ୍ନ ମହଲରେ ନୂତନ କର୍ମକର୍ତ୍ତାଙ୍କୁ ସାଧୁବାଦ ଜଣାଇଥିବା ସାଂଗକୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି ।
Next Post