ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରରେ ଅଗ୍ରଣୀ ଡ୍ରାମା ଅନୁଷ୍ଠାନ ଜଗନ୍ନାଥ ଡ୍ରାମା କ୍ରିଏସନ ପକ୍ଷରୁ ବିଶ୍ଵ ନାଟ୍ୟ ଦିବସ ଶୁକ୍ରବାର ପାଳିତ ହୋଇଯାଇଛି । ଏହି ଅବସରରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ମଞ୍ଚ ନାଟକର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ଉପରେ ବକ୍ତାମାନେ ଗୁରୁତ୍ୱାରୋପ କରିଛନ୍ତି । ସର୍ବୋପରି ଅତିଥିଗଣ, ଅଭିଭାବକ ନିଜ ନିଜର ମତାମତ ପ୍ରକାଶ କରିବା ସାଂଗକୁ ମଞ୍ଚାଭିନୟ କାର୍ଯ୍ୟକ୍ରମର ବିଶେଷତ୍ୱ ଓ ଏହାର ମହନୀୟ ସଂସ୍କୃତି ଉପରେ ଆଲୋକପାତ କରିଥିଲେ । ମୁଖ୍ୟଅତିଥି ରୂପେ ପୂର୍ବତନ ବିଧାୟକ ଅଶୋକ ଚୌଧୁରୀ, ମୁଖ୍ୟବକ୍ତା ରୂପେ ଏକାଧାରରେ ନାଟକ କଳା ସଂଗଠକ ତଥା ମଞ୍ଚ-ଉପସ୍ଥାପକ, ସ୍ୱର ସଂଯୋଜକ ଅରୁଣ କୁମାର ଶତପଥୀ ଯୋଗଦେଇ ନାଟକ, ଡ୍ରାମା, ଏକାଙ୍କିକାର ବିଶେଷତ୍ୱ ଉପରେ ପ୍ରତିପାଦନ କରିଥିଲେ । ସମ୍ମାନିତ ଅତିଥିଭାବେ ନାଟ୍ୟ ନିର୍ଦ୍ଦେଶକ ଦେବେନ୍ଦ୍ର ନାଥ ଶର୍ମା ଓ ମୃତ୍ୟୁଞ୍ଜୟ ତ୍ରିପାଠୀ, ଅଭିନୟ-ନୃତ୍ୟଶିଳ୍ପୀ ରାମେଶ୍ଵର ପଣ୍ଡା, ଆଇନଜୀବୀ ବ୍ରଜ ମୋହନ ଆଚାର୍ଯ୍ୟ, ଛତ୍ରପୁର ନୃତ୍ୟ ନିର୍ଦ୍ଦେଶକ ସଂଘର ସଭାପତି ତଥା ବରିଷ୍ଠ ସାମ୍ବାଦିକ କେ.ସତ୍ୟନାରାୟଣ ରେଡ୍ଡୀ ପ୍ରମୁଖ ଯୋଗଦେଇ ନାଟକ, ଡ୍ରାମା, ଏକାଙ୍କିକା ଆଦି ମନୋରଞ୍ଜନ କାର୍ଯ୍ୟକ୍ରମ ଜରିଆରେ ଜନତାଙ୍କୁ ଉଚିତ୍ ଶିକ୍ଷା ଦେଇଥାଏ ବୋଲି ମତପ୍ରକାଶ କରିଥିଲେ । ଗଞ୍ଜମ ଜିଲ୍ଲା ମଞ୍ଚ ନାଟକର ଏନ୍ତୁଡ଼ିଶାଳ ବୋଲି ଛତ୍ରପୁର ଅଞ୍ଚଳକୁ କୁହାଯାଉଥିବା ଆଜି ବି ଆଧୁନିକ ଯୁଗରେ ମଞ୍ଚ ନାଟକକୁ ବଞ୍ଚାଇ ରଖିବାକୁ ଗଞ୍ଜାମ ଜିଲ୍ଲା କଳାକାରମାନେ ପ୍ରୟାସ ଜାରୀ ରଖିଛନ୍ତି ନାଟକ କଳାର ଉପସ୍ଥାପନା ଯାହା ଭବିଷ୍ୟତରେ ଅଭିନୟ କଳା ଓ ମଞ୍ଚ ନାଟକ ପାଇଁ ଏକ ସ୍ୱତନ୍ତ୍ର କର୍ମଶାଳା, ତାଲିମର ଆବଶ୍ୟକତା ରହିଛି ବୋଲି ମତ ପ୍ରକାଶ ପାଇଛି । ଶିକ୍ଷାନୁଷ୍ଠାନ ଗୁଡିକୁ ସହାୟତା ଓ ମଞ୍ଚ ଆଦି ସୁବିଧା ମିଳିଲେ ମଞ୍ଚ ନାଟକ ବଞ୍ଚି ରଖିବା ସହ ପ୍ରମୁଖ ନାଟକ ପାଇଁ ପିଲାବେଳୁ ଆଗଭର ହେବା ଆବଶ୍ୟକ ବୋଲି ମତ ରଖିଥିଲେ । ମଞ୍ଚ ନାଟକକୁ ବଞ୍ଚାଇ ରଖିବାକୁ ଅନୁଷ୍ଠାନର ଉଦ୍ୟକ୍ତାଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ । ଅନୁଷ୍ଠାନର ପ୍ରତିଷ୍ଠାତା ତଥା ଡ୍ରାମା ନିର୍ଦ୍ଦେଶକ ସୁମନ ପଟ୍ଟନାୟକଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ସୁନ୍ଦର ଅଭିନୟ ମାଧ୍ୟମରେ କଳା ପ୍ରଦର୍ଶନ କରି ସମସ୍ତଙ୍କୁ ଚକିତ କରିଦେଇଛି । ସମସ୍ତ କାର୍ଯ୍ୟକ୍ରମର ପରିଚାଳନାରେ ସଭାପତି ବିନେଶ ସାହୁ, ନୃତ୍ୟ ଶିକ୍ଷକ ଗୌତମ ନାୟକ, ତାନୀୟା ରେଡ୍ଡୀ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ଅନୁଷ୍ଠାନର ଉପଦେଷ୍ଟା ତଥା କଳାପ୍ରେମୀ ପ୍ରଶାନ୍ତ କୁମାର ପଟ୍ଟନାୟକ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମକୁ ଶେଷ କରିଥିଲେ ।