ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ଶ୍ରୀରାମ ନବମୀ ପାଳନ କମିଟି ଆନୁକୂଲ୍ୟରେ ଶୁକ୍ରବାର ଦିନ ଜୟପାଟଣା ସହରରେ ଏକ ବିଶାଳ ପଟୁଆର ସହ ପ୍ରଭୁ ଶ୍ରୀରାମଙ୍କ ରଥାରୂଢ଼ ପ୍ରତିମୂର୍ତ୍ତିକୁ ନେଇ ଏକ ଚିତ୍ତା କର୍ଷକ ନଗର ପରିକ୍ରମା ଅନୁଷ୍ଠିତ ହୋଇଯାଇଛି । ଏହି ପାବନ ଅବସରରେ ନିଜକୁ ସାମିଲ କରିବା ପାଇଁ ଆଖପାଖ ଅଞ୍ଚଳରୁ ହଜାର ହଜାର ଶ୍ରଦ୍ଧାଳୁ ଯୋଗ ଦେଇଥିଲେ । ପଟୁଆରକୁ ଆକର୍ଷଣୀୟ କରିବା ପାଇଁ ସମଗ୍ର ନଗରକୁ ଗଇରିକ ପତାକାରେ ସଜାଇ ବିଭିନ୍ନ ସ୍ଥାନରେ ତୋରଣ ମାନ ରଖାଯାଇଥିଲା । ବ୍ଲକପଡ଼ା ସ୍ଥିତ ପ୍ରଭୁ ଶ୍ରୀରାମ ମନ୍ଦିରରୁ ଆଜ୍ଞାମାଳ ଆସିବା ପରେ ଦଶମ ଥର ପାଇଁ ଏହି ବିଶାଳ ପରିକ୍ରମାରେ ହଜାର ହଜାର ଭାବ ବିହ୍ୱଳ ଶ୍ରଦ୍ଧାଳୁଙ୍କ ଉପସ୍ଥିତ ଦେଖିବାକୁ ମିଳିଥିଲା । ବିଭିନ୍ନ ଘଣ୍ଟ ଦଳ, ସଙ୍କୀର୍ତ୍ତନ ଦଳ, ଆଦିବାସୀ ନୃତ୍ୟ, ଘୋଡ଼ା ନାଚ ଆଦି ଲୋକବାଦ୍ୟର ତାଳେ ତାଳେ ପରିକ୍ରମା କୃଷ୍ଣଚନ୍ଦ୍ର କ୍ଲବ ପଡିଆରେ ସମ୍ପନ୍ନ ହୋଇ ସାମୂହିକ ପ୍ରସାଦ ସେବନର ବ୍ୟବସ୍ଥା ରଖାଯାଇଥିଲା । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏକାକାର ହୋଇଉଠି ପ୍ରଭୁ ଶ୍ରୀରାମଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥିଲେ । ଆଞ୍ଚଳିକ ପାଇକ କ୍ଷତ୍ରିୟ ସମାଜର ଶତାଧିକ କାର୍ଯ୍ୟକର୍ତ୍ତା ମଧ୍ୟ ପବିତ୍ର ରାମ ନବମୀରେ ନିଜକୁ ସାମିଲ କରି ଅସ୍ତ୍ର କଳା ପ୍ରଦର୍ଶନ କରିଥଲେ । ସୁରକ୍ଷା ଦୃଷ୍ଟିରୁ ବିପୁଳ ସଂଖ୍ୟାରେ ପୋଲିସ ମୁତୟନ ସହ ଆପତ୍କାଳୀନ ସ୍ଥିତି ପାଇଁ ସ୍ୱାସ୍ଥ୍ୟ ଓ ଅଗ୍ନିଶମ ବିଭାଗକୁ ସଜାଗ ରଖାଯାଇଥିଲା । ଶୃଙ୍ଖଳିତ କାର୍ଯ୍ୟକ୍ରମ ଓ ସହଯୋଗ ପାଇଁ ଶ୍ରୀରାମ ନବମୀ ପାଳନ କମିଟି ସମସ୍ତ ଜନସାଧାରଣଙ୍କୁ ସାଧୁବାଦ ଜଣାଇଛନ୍ତି ।
Next Post