ଝରନିପାଲି ପଞ୍ଚାୟତକୁ ଆଇଏସଓ ମାନ୍ୟତା

ବଲାଙ୍ଗିର, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଝରନିପାଲି ଗ୍ରାମ ପଞ୍ଚାୟତକୁ ଆନ୍ତର୍ଜାତୀୟ ମାନକ ଗୁଣବତ୍ତା ସନଦ ଆଇଏସଓ ୯୦୦୧: ୨୦୧୫ ମିଳିଛି । ବିଭିନ୍ନ ସମୟରେ ଅନେକ ଗୁଡ଼ିଏ ଅତ୍ୟାଧୁନିକ ଓ ଲୋକାଭିମୁଖୀ କାର୍ଯ୍ୟକରି ଚର୍ଚ୍ଚାରେ ରହିଥିବା ଏହି ପଞ୍ଚାୟତକୁ ଏଭଳି ବିରଳ ସଫଳତା ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ପଞ୍ଚାୟତ କର୍ତ୍ତୃପକ୍ଷଙ୍କ ଦକ୍ଷ ପରିଚାଳନା ତଥା ଲୋକସେବାରେ ନିଷ୍ଠା ଓ ପ୍ରତିବଦ୍ଧତା ଯୋଗୁଁ ଏଭଳି ସଫଳତା ମିଳିଥିବା ସାଧାରଣରେ ଆଲୋଚନା ହେଉଛି । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାକୁ ସଠିକ୍ ଭାବେ ସଫଳ ରୂପାୟନ କରିବା ସହିତ ଠିକ୍ ସମୟରେ ଲୋକଙ୍କ ପାଖକୁ ସେହି ସୁବିଧା ପହଞ୍ଚାଇବାରେ ପଞ୍ଚାୟତ ସର୍ବଦା ଅଗ୍ରଣୀ ରହିଛି । ସରପଞ୍ଚ ଶ୍ରୀମତୀ ସୁନୀତା ସାହୁଙ୍କ ତତ୍ୱାବଧାନରେ ପଞ୍ଚାୟତ ବାସିନ୍ଦା ସରକାରୀ ସହାୟତା ଓ ସେବାକୁ ସହଜରେ ପାଇପାରୁଥିବାରୁ ପଞ୍ଚାୟତ ପ୍ରତି ବିଶ୍ୱାସ ବଢ଼ିଛି । ଆଇଏସଓ ୯୦୦୧: ୨୦୧୫ ମାନ୍ୟତା ହେଉଛି ଏକ ଆନ୍ତର୍ଜାତୀୟ ସ୍ତରର ଗୁଣବତ୍ତା ସନଦ, ଯାହା କୌଣସି ସଂସ୍ଥାର କାର୍ଯ୍ୟ ପ୍ରଣାଳୀ, ପରିଚାଳନା ଓ ସେବାର ମାନକୁ ମୂଲ୍ୟାୟନ କରିଦିଆଯାଇଥାଏ । ଏଭଳି ସମ୍ମାନ ମିଳିଥିବାରୁ ପଞ୍ଚାୟତର କାର୍ଯ୍ୟକ୍ରମ ତଥା ପରିଚାଳନା ଆନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତି ପାଇଛି ବୋଲି କୁହାଯାଉଛି । ଏହି ଅବସରରେ ପଞ୍ଚାୟତର ସରପଞ୍ଚ ସୁନୀତା ସାହୁଙ୍କୁ ବିଭିନ୍ନ ମହଲରୁ ଅଭିନନ୍ଦନ ଓ ଶୁଭେଚ୍ଛାର ସୁଅ ଛୁଟିଛି । ସ୍ଥାନୀୟ ଲୋକେ ମଧ୍ୟ ଏହି ସଫଳତାରେ ଗର୍ବିତ ହେବା ସହିତ ଆଗାମୀ ଦିନରେ ଏହି ମାନ୍ୟତା ଅଞ୍ଚଳର ଅନ୍ୟାନ୍ୟ ପଞ୍ଚାୟତ ଗୁଡ଼ିକ ପ୍ରତି ପ୍ରେରଣାର ଉତ୍ସ ହୋଇ ରହିବ ବୋଲି ସାଧାରଣରେ ଆଲୋଚନା ହେଉଛି ।

Leave A Reply

Your email address will not be published.