ଭୂମିକା ପକ୍ଷରୁ ବିଶ୍ୱନାଟ୍ୟ ଦିବସ

  • ନାଟ୍ୟ ନିର୍ଦ୍ଦେଶକ ପ୍ରମୋଦ ମିଶ୍ରଙ୍କୁ ନାଟ୍ୟାଚାର୍ଯ୍ୟ ସମ୍ମାନ
  • ରାଏକେଡ଼ା ଗ୍ରାମବାସୀଙ୍କ ଲୀଳା ନାଟକ ପ୍ରଦର୍ଶନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟର ଅଗ୍ରଣୀ ସାମାଜିକ ସାଂସ୍କୃତିକ ସଂଗଠନ “ଭୂମିକା” ପକ୍ଷରୁ ବଲାଙ୍ଗିର-ସୁବର୍ଣ୍ଣପୁର ସୀମାନ୍ତ ରାଏକେଡ଼ାଠାରେ ବିଶ୍ୱ ନାଟ୍ୟ ଦିବସ ପାଳିତ ହୋଇଯାଇଛି । ପ୍ରତିବର୍ଷ ମାର୍ଚ୍ଚ ୨୭ ତାରିଖ ବିଶ୍ଵବ୍ୟାପୀ ନାଟ୍ୟ ଦିବସ ପାଳନ କରାଯାଇ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଥାଏ । ଚଳିତ ବର୍ଷ ଶ୍ରୀରାମ ନବମୀ ତିଥିରେ ନାଟ୍ୟ ଦିବସ ପଡିଥିବାରୁ ରାଏକେଡ଼ା ଗ୍ରାମବାସୀ ଧୂମଧାମରେ ନାଟ୍ୟ ଦିବସ ପାଳିଥିଲେ । ଏହି
ଅବସରରେ ରାଏକେଡ଼ା ଗ୍ରାମବାସୀ ଭୂମିକା ସଦସ୍ୟମାନଙ୍କୁ ଫୁଲ ଚନ୍ଦନ ଦେଇ ସ୍ୱାଗତ କରିଥିଲେ । ପରେ ଗ୍ରାମର ରାମଲୀଳା ପାଇଁ ଅଧିବାସ ପୂଜା, ଭଜନ, ସଂକୀର୍ତ୍ତନ କରାଯାଇଥିଲା । ପରେ ପରେ ଭୂମିକା ସଭାପତି ଅଖିଳ ଚନ୍ଦ୍ର ହୋତାଙ୍କ ସଭାପତିତ୍ୱରେ ସାଂସ୍କୃତିକ ସଭା ହୋଇଥିଲା । ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ, ନାଟ୍ୟପ୍ରାଣ ସନାତନ ଠାକୁର, ନାଟ୍ୟଭୂଷଣ ଜମାଲ ଖାନ ଓ ନାଟ୍ୟ ନିର୍ଦ୍ଦେଶକ ବିଜୟ ତ୍ରିପାଠୀ ପ୍ରମୁଖ ଭୂମିକା ପକ୍ଷରୁ କାର୍ଯ୍ୟକ୍ରମରେ ଯୋଗଦେଇ ନାଟକର ପ୍ରସାର ପାଇଁ ଲୀଳା ନାଟକ ଓ ମଞ୍ଚ ନାଟକର ସମାନୁପାତିକ ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ । ଗ୍ରାମୀଣ କଳାକାରମାନେ ନାଟକର ପ୍ରସାର ପାଇଁ ଯେଭଳି କାର୍ଯ୍ୟ କରୁଛନ୍ତି ତାହା ବାସ୍ତବିକ ପ୍ରଶଂସନୀୟ । ନାଟକ ପାଇଁ ନିଜକୁ ଉତ୍ସର୍ଗକରି କାମ କରୁଥିବା ଲୋକଙ୍କୁ କଳାକାର ବୋଲି ନକହି ସେମାନଙ୍କୁ କଳାର ପୂଜାରୀ ବୋଲି କହିବା ଉଚିତ ହେବ ବୋଲି ଅତିଥିଗଣ ମତ ଦେଇଥିଲେ । ଏହି ଅବସରରେ ରାଏକେଡ଼ା ଗ୍ରାମର ବିଶିଷ୍ଟ ନାଟ୍ୟ ନିର୍ଦେଶକ, ନାଟ୍ୟ କର୍ମୀ ପ୍ରମୋଦ ମିଶ୍ରଙ୍କୁ ନାଟ୍ୟାଚାର୍ଯ୍ୟ ସମ୍ମାନ ପ୍ରଦାନ କରାଯାଇଥିଲା । ସମ୍ମାନର ପ୍ରତ୍ୟୁତ୍ତରରେ ଶ୍ରୀ ମିଶ୍ର କହିଥିଲେ, ବାଲ୍ୟ କାଳରେ ସେ ନିଜେ “ଗଣେଶ ବନ୍ଦନା” ନାଟକର ନିର୍ଦ୍ଦେଶନା ଦେଇ ନାଟକ ଜୀବନ ଆରମ୍ଭ କରିଥିଲେ । ବିଗତ ପ୍ରାୟ ୫୦ ବର୍ଷଧରି ସେ ନାଟକ କରି ଆସୁଛନ୍ତି । ନାଟକ ପାଇଁ ସେ ଚାକିରି ନକରିବାକୁ ମନସ୍ଥ କରିଥିଲେ । ସେ ବିଗତ ୩୫ ବର୍ଷ ଧରି ରାଏକେଡ଼ା ରାମଲୀଳାର ନିର୍ଦ୍ଦେଶନା ଦେଇ ଆସୁଛନ୍ତି । ଏଥିସହିତ ରାମଜୀ ନାଟ୍ୟ ସଂଘ ଜରିଆରେ ଭାରତର ବିଭିନ୍ନ ସ୍ଥାନରେ ମଞ୍ଚ ନାଟକ କରୁଥିବା କହିଥିଲେ । ଏହି ଅବସରରେ ସେ ନିଜର ଏକ ନାଟ୍ୟାଭିନୟ ପ୍ରଦର୍ଶନ କରିଥିଲେ । ଭୂମିକା ସହସମ୍ପାଦକ ସୋମ ନାଏକ ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ବରିଷ୍ଠ ସଦସ୍ୟ ଚିତ୍ତରଞ୍ଜନ ଦାଶ ବିଶ୍ୱ ନାଟ୍ୟ ଦିବସର ବାର୍ତ୍ତା ସମ୍ପର୍କରେ ସୂଚନା ଦେଇଥିଲେ । ସଦସ୍ୟ ଅର୍ଜୁନ ସାହୁ ମାନପତ୍ର ପାଠ କରିଥିଲେ । ଶେଷରେ ଭୂମିକା ଉପସଭାପତି ନିଗମାନନ୍ଦ ନାଥ ଧନ୍ୟବାଦ ଅର୍ପଣ କରିଥିଲେ । ପରେ ପରେ ରାମଜୀ ନାଟ୍ୟ ସଂଘ କଳାକାରମାନେ ଲୀଳା ନାଟକ ପରିବେଷଣ କରିଥିଲେ । ରାଏକେଡ଼ା ଗ୍ରାମବାସୀଙ୍କ ପକ୍ଷରୁ ସୋମନାଥ ମିଶ୍ର, ଚିତ୍ତରଞ୍ଜନ ମିଶ୍ର, ଭୂମିକାର ବରିଷ୍ଠ ସଦସ୍ୟ ବୀରେନ୍ଦ୍ର ବନଛୋର, ରୁଦ୍ରଦେବ ପ୍ରଧାନ, ସମ୍ପାଦକ ଶକ୍ତିଦତ୍ତ ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.