ବଲାଙ୍ଗିର, (କେପିଏନ୍ଏସ୍) : ମୃତ୍ୟୁ ଏମିତି ବି ଆସେ । ବଡ଼ଭାଇଙ୍କ ମୃତ୍ୟୁ ଖବର ଶୁଣି ସାନଭାଇ ମଧ୍ୟ ହରାଇଲେ ଜୀବନ । ବଲାଙ୍ଗିର ଜିଲ୍ଲା ସଇଁତଳା ବ୍ଲକ ଅନ୍ତର୍ଗତ ଜଲିଆଦର୍ହ ଗ୍ରାମରେ ଘଟିଥିବା ଏହି ହୃଦୟ ବିଦାରକ ଘଟଣା ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳାଇଦେଇଛି । ସୂଚନା ଅନୁସାରେ, ନୀଳମଣି ସାହୁ ବୌଦ୍ଧ ଜିଲ୍ଲାର କଣ୍ଟାମାଲ ଅଞ୍ଚଳରେ ବସବାସ କରୁଥିଲେ । ତାଙ୍କ ସାନଭାଇ ସୁଦର୍ଶନ ସାହୁ ସଇଁତଳା ବ୍ଲକର ଜଲିଆଦର୍ହ ଗ୍ରାମରେ ରହୁଥିଲେ । ଦୁଇଭାଇଙ୍କ ମଧ୍ୟରେ ଅତ୍ୟନ୍ତ ଗଭୀର ସ୍ନେହ ସମ୍ପର୍କ ଥିଲା । କିଛିଦିନ ଧରି ବଡ଼ଭାଇ ନୀଳମଣି ସାହୁଙ୍କ ଶାରୀରିକ ଅବସ୍ଥା ଅସୁସ୍ଥ ରହିଥିଲା । ଏହା ଜାଣି ସାନଭାଇ ସୁଦର୍ଶନ ସାହୁ ପ୍ରାୟ ସମୟରେ କଣ୍ଟାମାଳକୁ ଯାଇ ତାଙ୍କ ଭାଇଙ୍କ ସେବା-ଶୁଶ୍ରୂଷା କରୁଥିଲେ । ଭାଇ ପ୍ରତି ତାଙ୍କର ଭଲପାଇବା ଓ ଦାୟିତ୍ୱବୋଧ ସମସ୍ତଙ୍କ ପାଇଁ ଉଦାହରଣ ଥିଲା । କିନ୍ତୁ ରାତିରେ ବୃଦ୍ଧାବସ୍ଥା ଜନିତ ଅସୁସ୍ଥତାରେ ନୀଳମଣି ସାହୁଙ୍କ ମୃତ୍ୟୁ ଘଟିଥିଲା । ଏହି ଦୁଃଖଦ ଖବର ଯେତେବେଳେ ସୁଦର୍ଶନ ସାହୁ ଶୁଣିଥିଲେ, ସେ ଗଭୀର ମନୋବେଦନାରେ ଭାଙ୍ଗିପଡ଼ିଥିଲେ । ଭାଇ ପ୍ରତି ଅସୀମ ସ୍ନେହ ଓ ଭାବନାରେ ବିଭୋର ହୋଇ ସେ ଅଚେତ ହୋଇପଡ଼ିଥିଲେ । ପରେ ତାଙ୍କର ମଧ୍ୟ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଦୁଇଭାଇଙ୍କ ଏପରି ଅପରିହାର୍ଯ୍ୟ ବିୟୋଗ ଘଟଣା ସ୍ଥାନୀୟ ଲୋକଙ୍କୁ ଆଶ୍ଚର୍ଯ୍ୟ ଓ ଶୋକାକୁଳ କରିଦେଇଛି । ସୁଦର୍ଶନ ସାହୁ ଗ୍ରାମରେ ଜଣେ ଧର୍ମପରାୟଣ ଓ ସରଳ ମଣିଷ ଭାବେ ପରିଚିତ ଥିଲେ । ସେ ସବୁ ସମୟରେ ସାମାଜିକ କାର୍ଯ୍ୟରେ ଆଗୁଆ ଥିଲେ ଓ ସମସ୍ତଙ୍କ ସହ ଭଲ ବ୍ୟବହାର କରୁଥିଲେ । ଦୁଇଭାଇଙ୍କ ମୃତଦେହର ଶେଷ କ୍ରିୟାକର୍ମ ତାଙ୍କ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ସମ୍ପନ୍ନ ହୋଇଥିଲା । ସୁଦର୍ଶନ ସାହୁଙ୍କ ଦୁଇପୁଅ ମୁଖାଗ୍ନି ଦେଇଥିବା ଜଣାପଡ଼ିଛି ।
Next Post