ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲାର ପ୍ରସିଦ୍ଧ ଧାର୍ମିକ ଓ ପର୍ଯ୍ୟଟନ ସ୍ଥଳୀ ହରିଶଙ୍କରରେ ଆସନ୍ତା ନୃସିଂହ ଚତୁର୍ଦ୍ଦଶୀ ବୈଶାଖ ମେଳା ପାଇଁ ପ୍ରସ୍ତୁତି ତୀବ୍ର ହୋଇଛି । ଏନେଇ ଖପ୍ରାଖୋଲ ବ୍ଲକ ସଭାଗୃହରେ ଉପଜିଲ୍ଲାପାଳ ସୁନୀଲ ମେହେରଙ୍କ ତତ୍ୱାବଧାନରେ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ମୁଖ୍ୟ ଅତିଥି ଭାବେ ଓଡିଶାର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଯୋଗଦେଇ ମେଳାର ସୂଚାରୁ ରୂପେ ପରିଚାଳନା ପାଇଁ ନିର୍ଦ୍ଦେଶ ଦେଇଥିଲେ । ସେ କହିଥିଲେ, “ହରିଶଙ୍କର କେବଳ ଏକ ଧାର୍ମିକ ପୀଠ ନୁହେଁ, ଏହା ଓଡିଶାର ଐତିହ୍ୟ, ସଂସ୍କୃତି ଓ ପର୍ଯ୍ୟଟନର ଗୌରବ । ଏଠାକୁ ଆସୁଥିବା ପ୍ରତ୍ୟେକ ଭକ୍ତ ଓ ପର୍ଯ୍ୟଟକ ସୁବିଧା, ସୁରକ୍ଷା ଓ ସ୍ୱଚ୍ଛ ପରିବେଶ ପାଇବେ । ଏହାକୁ ଆମେ ସମସ୍ତେ ମିଶି ନିଶ୍ଚିତ କରିବାକୁ ପଡିବ । ୫ ଦିନଧରି ଏହି ମେଳା ଆୟୋଜନ କରାଯିବ ବୋଲି ନିଷ୍ପତ୍ତି ହୋଇଛି । ଗନ୍ଧମାର୍ଦ୍ଦନ ପର୍ବତ ଅଞ୍ଚଳର ଏହି ପବିତ୍ର ପୀଠରେ ପ୍ରତିବର୍ଷ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୁଏ । ମେଳାକୁ ଆକର୍ଷଣୀୟ କରିବା ପାଇଁ ସାଂସ୍କୃତିକ ଓ ଧାର୍ମିକ କାର୍ଯ୍ୟକ୍ରମ ଆୟୋଜନ ନେଇ ବୈଠକରେ ଆଲୋଚନା ହୋଇଥିଲା । ଏହି ବୈଠକରେ ଡେପୁଟି କଲେକ୍ଟର ମନସିଫିଲ କେରକେଟା, ଶୈଳେନ୍ଦ୍ର ମହାନ୍ତି, ବ୍ଲକ ଅଧ୍ୟକ୍ଷା ନିରୁପମା ପଟେଲ, ଖପ୍ରାଖୋଲ ବିଡିଓ ବିବେକାନନ୍ଦ ଷଡ଼ଙ୍ଗୀଙ୍କ ସହ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।
Prev Post