ରାଉରକେଲା, (ସସ୍ମିତା ପ୍ରଧାନ) : ଏଆଇ ସମ୍ପର୍କିତ ଏକ କର୍ମଶାଳା ସେକ୍ଟର ୨୦ ସ୍ଥିତ ଏସ୍ଏସ୍ଆର୍ଭିଏମ୍ ପରିଚାଳିତ ଇସ୍ପାତ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ନିର୍ଦ୍ଦେଶକ ଡ. ଗିରିଜା ଶଙ୍କର ଦାସଙ୍କ ଅଧ୍ୟକ୍ଷତା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏନ୍ଆଇଟିର କମ୍ପ୍ୟୁଟର ବିଜ୍ଞାନର ପ୍ରାଧ୍ୟାପକ ଡ. ପବିତ୍ର ମୋହନ ଖିଲାର ବିଷୟ ବିଶେଷଜ୍ଞ ଭାବେ ଯୋଗଦେଇ ଏଆଇର ଉପଯୋଗିତା ଓ ସାମ୍ପ୍ରତିକ ସମୟରେ ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ଡାଟା ପ୍ରସ୍ତୁତି ସହ ଏହାର ଅନୁଶୀଳନ, ଏହାସହ ଏହାର ଭିତ୍ତିଭୂମି ଓ ବିଶେଷ କରି ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କ ପାଇଁ କେତେ ଜରୁରୀ ସେ ସମ୍ପର୍କରେ ଏହାର ଶିକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ । ଏଥିପାଇଁ କେବଳ ଥିଓରୀ ନୁହଁ ପ୍ରାକ୍ଟିକାଲ ଉପରେ ଡ. ଖିଲାର ମତ ରଖି ଆଗାମୀ ନିକଟ ଭବିଷ୍ୟତରେ ଲାବୋରେଟୋରୀ ସୁବିଧା ସହ ଏକ ସିଲାବସ୍ ଆରମ୍ଭ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହି ଅବସରରେ ପ୍ରଶ୍ନୋତ୍ତରୀ କାର୍ଯ୍ୟକ୍ରମ କରାଯାଇ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ । ବିଦ୍ୟାଳୟର ନିର୍ଦ୍ଦେଶକ ଡ. ଦାସ ଏହି ପାଠ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀମାନେ କିପରି ଅଧିକ ଉପକୃତ ହେବେ ସେ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଧ୍ୟକ୍ଷା ଡ. ଖୁସବୁ ଜ୍ୟୋତି, ବିତ୍ତ ପ୍ରବନ୍ଧକ ସୁଚିନ୍ଦ୍ରନ ସେନଗୁପ୍ତ, ପ୍ରଶାସନିକ ଅଧିକାରୀ ଯଶବିନ୍ଦର କୌର, ବରିଷ୍ଠ ଶିକ୍ଷୟିତ୍ରୀ ମୀନାକ୍ଷୀ ପାଢ଼ୀ ଓ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀମାନେ ଉପସ୍ଥିତ ଥିଲେ ।