ରାଉରକେଲା, (ସସ୍ମିତା ପ୍ରଧାନ) : ଏଆଇ କ୍ୟାମେରା ଟାୱାର ଲଗେଇ ଅନେକ ହାତୀଙ୍କ ସହ ଜଙ୍ଗଲୀ ପ୍ରାଣୀଙ୍କ ଜୀବନ ବଞ୍ଚାଉଥିବା ଏବଂ ଜଙ୍ଗଲ ନିଆଁକୁ ଆୟତ୍ତ କରିବାରେ ପ୍ରମୂଖ ଭୂମିକା ନିର୍ବାହ କରିଥିବାରୁ ରାଉରକେଲା ଡିଏଫ୍ଓ ଯଶୋବନ୍ତ ସେଠିଙ୍କୁ ଦିଲ୍ଲୀ ଠାରେ ମିଳିଛି ‘ଇକୋନୋମିକ ଟାଇମସ ଗୋଭଟେକ ଆୱାର୍ଡ’ । ଗତ ୧୯ ତାରିଖ ଦିନ ଦିଲ୍ଲୀଠାରେ ଆୟୋଜିତ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ଶ୍ରୀ ସେଠିଙ୍କୁ ଗୋଭଟେକ ଆୱାର୍ଡରେ ସମ୍ବର୍ଦ୍ଧିତ କରାଯାଇଥିଲା । ଏଆଇ ଟେକ୍ନୋଲୋଜିକୁ ବ୍ୟବହାର କରି ରାଉରକେଲା ବନଖଣ୍ଡର ପ୍ରାୟ ୫ଟି ସ୍ଥାନରେ ଏଆଇ କ୍ୟାମେରା ଲଗାଇବା ଓ ଏହାର ସୁପରିଚାଳନା କ୍ଷେତ୍ରରେ ଶ୍ରୀ ସେଠିଙ୍କ ଉଦ୍ୟମ ବେଶ ପ୍ରଶଂସନୀୟ । ଯାହାଦ୍ୱାରା ଜଙ୍ଗଲ ଅଂଚଳ ମଧ୍ୟ ଦେଇ ଯାଇଥିବା ରେଳଟ୍ରାକ୍ଟ ଆଖପାଖରେ ହାତୀପଲ ଆସିଲେ ରେଳବାଇ କର୍ତ୍ତୃପକ୍ଷଙ୍କ ସମେତ ଅନ୍ୟ ମାନଙ୍କୁ ତୁରନ୍ତ ସୂଚିତ କରାଯାଇ ପାରୁଛି । ଫଳରେ ଟ୍ରେନ ଗତିକୁ ହ୍ରାସ କରାଯିବା ସହ ସମ୍ପୃକ୍ତ ଅଂଚଳ ପ୍ରତି ଧ୍ୟାନ ଦିଆଯାଇପାରୁଛି । ଫଳରେ ହାତୀ ମାନଙ୍କ ଜୀବନ ବଞ୍ଚିଯାଉଛି । ଏହି ଆୱାର୍ଡ ଓ ଉଦ୍ୟମ ପାଇଁ ଶ୍ରୀ ସେଠିଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରାଯାଇଛି ।
Next Post