ରିତେଶ ପୃଷେଠଙ୍କୁ ବିଜେପି ଯୁବମୋର୍ଚ୍ଚା ସମ୍ପାଦକ ଦାୟିତ୍ୱ

ରାଉରକେଲା, (ସସ୍ମିତା ପ୍ରଧାନ) : ଯୁବ ଆଦର୍ଶ ରିତେଶ ପୃଷେଠ୍ ଭାରତୀୟ ଜନତା ପାର୍ଟି, ଯୁବା ମୋର୍ଚ୍ଚା, ଓଡ଼ିଶାର ନୂତନ ସମ୍ପାଦକ ଭାବେ ଦାଇତ୍ଵ ପାଇବା ପରେ ସୁନ୍ଦରଗଡ଼ ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି । ଏକ ସାଧାରଣ ପରିବାରରୁ ଆସିଥିବା ରିତେଶ ନିଜ ସାମାଜିକ ଜୀବନ ୨୦୧୪ରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ସ୍ୱୟଂସେବକ ଭାବେ ଆରମ୍ଭ କରିଥିଲେ । ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟ, ରାଉରକେଲାରେ ପଢିବା ସମୟରେ ନିଜର ବନ୍ଧୁମାନଙ୍କ ସହିତ ପ୍ରତିଦିନ ବସ୍ତି ଅଞ୍ଚଳରେ ପିଲାମାନଙ୍କୁ ପାଠ ପଢ଼ାଉଥିଲେ । ପରେ ଏନଜିଓ ମାଧ୍ୟମରେ ରାଉରକେଲା ତଥା ସୁନ୍ଦରଗଡ଼ରେ ଅନେକ ସାମାଜିକ କାର୍ଯ୍ୟ କରିଥିଲେ । କରୋନା କାଳରେ ସେ ନିଜର ବ୍ୟକ୍ତିଗତ ସମ୍ବଳରୁ ଜନଜାତୀୟ ସମୃଦ୍ଧି ପ୍ରକଳ୍ପ ମାଧ୍ୟମରେ ଅନେକ ଆଦିବାସୀ ପରିବାରଙ୍କୁ ସ୍ୱ-ରୋଜଗାର ଦେବାରେ ସଫଳ ହୋଇଥିଲେ । ସମୟକ୍ରମେ ସେ ଆରଏସଏସର ବିସ୍ତାରକ ଭାବରେ ଗ୍ରାମୀଣ ସ୍ତରରେ ବ୍ୟାପକ କାର୍ଯ୍ୟ କରିଥିଲେ । ରିତେଶଙ୍କର ଆରଏସଏସ ପ୍ରତି ସମର୍ପଣ ଏବଂ ସଂଘ ବିଚାରଧାରା ପ୍ରତି ନିଷ୍ଠାକୁ ଦେଖି ତାଙ୍କୁ ବିଜେପିର ସଂଗଠନ ମନ୍ତ୍ରୀଙ୍କ ସହଯୋଗୀ ରୂପେ ଭୁବନେଶ୍ୱର ପଠାଯାଇଥିଲା । ବିଜେପି କାର୍ଯ୍ୟାଳୟରେ କାମ କରିବା ସମୟରେ ସେ ଓଡ଼ିଆ ଭାଷାର ଅନେକ ଖବରକାଗଜ ଏବଂ ପତ୍ରିକାମାନଙ୍କରେ ପ୍ରଭାବଶାଳୀ ସ୍ତମ୍ଭ, ପ୍ରବନ୍ଧ ରଚନା କରି ବିଶେଷ ପରିଚୟ ସୃଷ୍ଟି କରିଥିଲେ । ଭାରତୀୟ ଜନସଞ୍ଚାର ସଂସ୍ଥାନ(ଆଇଆଇଏମସି, ନୂଆଦିଲ୍ଲୀ)ର ହିନ୍ଦୀ ସାମ୍ବାଦିକତା ବିଭାଗରେ ପ୍ରବେଶ ନେଇଥିବା ସେ ହେଉଛନ୍ତି ପ୍ରଥମ ଓଡ଼ିଆ ଭାଷୀ ଛାତ୍ର । ପଣ୍ଡିତ ଦୀନଦୟାଳ ଉପାଧ୍ୟାୟଙ୍କ ଜୀବନୀ ଓ ବିଚାରଧାରାକୁ ଓଡ଼ିଆଭାଷୀ ପାଠକଙ୍କ ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ସେ ପୁସ୍ତକ ଲେଖିଛନ୍ତି । ସେଥିପାଇଁ ତାଙ୍କୁ ରାଷ୍ଟ୍ରୀୟ ସ୍ତରରେ ସମ୍ମାନିତ କରାଯାଇଛି । ସମୟକ୍ରମେ ଆଇନ ପାଠ ପଢିବା ପରେ ରିତେଶ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଓକିଲ ଭାବରେ କାର୍ଯ୍ୟ କରିଛନ୍ତି । ଏହା ସହିତ ସେ ଉତ୍ତରାଖଣ୍ଡ ନିର୍ବାଚନ ୨୦୨୨ ସମୟରେ ଜଣେ ରାଜନୈତିକ ପରାମର୍ଶଦାତା ଭାବେ ଲମ୍ବା ସମୟ ଧରି କାର୍ଯ୍ୟ କରିଛନ୍ତି । ପରେ ତାଙ୍କୁ ଡକ୍ଟର ସମ୍ବିତ ପାତ୍ର ତାଙ୍କ ଲୋକସଭା ନିର୍ବାଚନ–୨୦୨୪ରେ ନିଜର ନିର୍ବାଚନ ଏଜେଣ୍ଟ ଭାବେ ଦାୟିତ୍ୱ ଅର୍ପଣ କରିଥିଲେ । ବର୍ତ୍ତମାନ ରିତେଶ ଆଇଆଇଟି, ଭୁବନେଶ୍ୱର ଓ ଆଇଆଇଏମସି, ନୂଆ ଦିଲ୍ଲୀର ସହଯୋଗରେ ଓଡ଼ିଶାର ଏଆଇ ଆଧାରିତ ସଂଚାର ଷ୍ଟାର୍ଟଅପ DesiNova PR & Advertisingର ସଂସ୍ଥାପକ ଭାବେ କାର୍ଯ୍ୟ କରୁଛନ୍ତି । ଭାରତୀୟ ଜନତା ପାର୍ଟି, ଓଡିଶା ପ୍ରଦେଶର ଯୁବ ମୋର୍ଚ୍ଚାର ରାଜ୍ୟ ସମ୍ପାଦକ ଭଳି ଗୁରୁ ଦାୟିତ୍ୱ ମିଳିଥିବାରୁ ଆଦରଣୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଓଡିଶା ପ୍ରଦେଶର ରାଜ୍ୟ ସଭାପତି ମନମୋହନ ସାମଲ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ସୁନ୍ଦରଗଡ଼ ସାଂସଦ ତଥା କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ୍ ଓରାମ, ଓଡିଶା ପ୍ରଦେଶ ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା, ରଘୁନାଥପାଲି ବିଧାୟକ ଦୁର୍ଗା ଚରଣ ତନ୍ତୀ ତଥା ରାଉରକେଲା ସାଂଗଠନିକ ଜିଲ୍ଲାର ସଭାନେତ୍ରୀ ପୂର୍ଣିମା କେରକଟାଙ୍କୁ ସେ ଧନ୍ୟବାଦ ଜ୍ଞାପନ କରିବା ସହ କୃତଜ୍ଞତା ଜଣାଇଛନ୍ତି ।

Leave A Reply

Your email address will not be published.