ମ୍ୟୁଜିକ୍ ସର୍କଲ ଆୟୋଜିତ ୪୯ତମ ବସନ୍ତୋତ୍ସବ ଉଦଘାଟିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ସମ୍ଭ୍ରାନ୍ତ କଳା-ସଂସ୍କୃତି ଅନୁଷ୍ଠାନ ମ୍ୟୁଜିକ୍ ସର୍କଲ ଆୟୋଜିତ ୪୯ତମ ବସନ୍ତୋତ୍ସବ -୨୦୨୬ ମହାସମାରୋହରେ ଉଦ୍‌ଘାଟିତ ହୋଇଯାଇଛି । ତିନି ଦିନ ବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ଏହି ସମାରୋହର ପ୍ରଥମ ଦିବସକୁ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ତଥା ସୁନ୍ଦରଗଡର ସାଂସଦ ଜୁଏଲ ଓରାମ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍‌ଘାଟନ କରିଥିଲେ । ଅଧ୍ୟକ୍ଷ ରାଉରକେଲାର ବିଧାୟକ ଶାରଦା ପ୍ରସାଦ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ବିଜୁପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ଡ. ଅମୀୟ କୁମାର ରଥ, ଅନ୍ୟତମ ଅତିଥି ଉପଦେଷ୍ଟା ମହେନ୍ଦ୍ର କୁମାର ପଟ୍ଟନାୟକ ଏବଂ ଉପାଧ୍ୟକ୍ଷ ଇଂ ଅଭୟ କୁମାର ଦାସ ମଞ୍ଚାସୀନ ଥିଲେ । ମ୍ୟୁଜିକ୍ ସର୍କଲର କଳାକାରମାନେ ସ୍ୱାଗତ ସଂଗୀତ ପରିବେଷଣ କରିବା ପରେ ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀ ନାୟକ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଡ. ରଥ ମ୍ୟୁଜିକ୍ ସର୍କଲର କଳା ସଂସ୍କୃତି ପ୍ରତିବଦ୍ଧତାର ଭୂୟସୀ ପ୍ରଶଂସା କରିବା ସହ କହିଲେ ଯେ, ସଂଗୀତ ଓ ନୃତ୍ୟ କେବଳ ଏକ ମନୋରଞ୍ଜନର ମାଧ୍ୟମ ନୁହେଁ, ବରଂ ମଣିଷ ଜାତିକୁ ଏକତ୍ର କରିବାର ଏକ ପ୍ରୟାସ । ଉଦଘାଟକ ଶ୍ରୀ ଓରାମ ମ୍ୟୁଜିକ୍ ସର୍କଲ, ବିଶେଷ କରି ଏହାର ପ୍ରତିଷ୍ଠାତା ସମ୍ପାଦକ ଅଳକା ଚାନ୍ଦଙ୍କ ସହ ଥିବା ତାଙ୍କର ଆବେଗିକ ସମ୍ପର୍କ ସମ୍ବନ୍ଧରେ ଆଲୋଚନା କରିଥିଲେ । ଅନ୍ୟତମ ଉପଦେଷ୍ଟା ମହେନ୍ଦ୍ର କୁମାର ପଟ୍ଟନାୟକ ମ୍ୟୁଜିକ୍ ସର୍କଲର ଐତିହ୍ୟ ସମ୍ପର୍କରେ କହିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ଅଧ୍ୟକ୍ଷ ଶ୍ରୀ ନାୟକ ପରିଚାଳନା କରିଥିବାବେଳେ ଉପାଧ୍ୟକ୍ଷ ଇଂ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମରେ ମ୍ୟୁଜିକ୍ ସର୍କଲ ଦ୍ୱାରା ରାଗମାଳାରେ ତବଲା ବାଦନ, ଓଡ଼ିଶୀ, ବିହୁ ନୃତ୍ୟ ଏବଂ ସାଗର ଡେନ୍ସ ରିଦିମ୍ ଗୃପ୍ ଦ୍ୱାରା ସିଂହାରୀ ଆଦିବାସୀ ଲୋକନୃତ୍ୟ ଦର୍ଶକଙ୍କ ମନ ମୋହିଥିଲା । ସକାଳ ଅଧିବେଶନରେ ଅନୁଷ୍ଠିତ ଆନ୍ତଃ ବିଦ୍ୟାଳୟ ସଙ୍ଗୀତ ପ୍ରତିଯୋଗିତାରେ ଅଂଶଗ୍ରହଣ କରି କନିଷ୍ଠ ବର୍ଗରେ କ୍ରିଷ୍ଣା ବିକାଶ ବିଦ୍ୟାଳୟର ସ୍ୱୟମ୍ ସାର୍ଥକ ପଶାୟତ, କେନ୍ଦ୍ରୀୟ ବିଦ୍ୟାଳୟର ପ୍ରତ୍ୟୁଷା ରାଉଳ ଏବଂ ଚିନ୍ମୟ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ସାଇସ୍ରିତା ସାହୁ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ, ବରିଷ୍ଠ ବର୍ଗରେ ଡି. ଏ. ଭି. ବିଦ୍ୟାଳୟର ପୂଜିତା ପଟ୍ଟନାୟକ, ଦୀପିକା ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଅଲିଶା ବିଶ୍ୱାଳ ଏବଂ ସପ୍ତସୁର କଳା ନିକେତନର ପ୍ରିୟଙ୍କା ପ୍ରିୟଦର୍ଶିନୀ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରି ଅତିଥିମାନଙ୍କ ଦ୍ୱାରା ମାନପତ୍ର ଏବଂ ମେଡାଲ ସହ ପୁରସ୍କୃତ ହେବା ସହ ପ୍ରଥମ ପୁରସ୍କାର ଭାବେ ତିନି ହଜାର ଟଙ୍କା, ଦ୍ୱିତୀୟ ପୁରସ୍କାର ଭାବେ ଦୁଇ ହଜାର ଟଙ୍କା ଏବଂ ତୃତୀୟ ପୁରସ୍କାର ଭାବେ ଦେଢ଼ ହଜାର ଟଙ୍କା ଆର୍ଥିକ ପୁରସ୍କାର ପାଇଥିଲେ । ଉଭୟ ବର୍ଗରେ ପନ୍ଦର ଜଣଙ୍କୁ ଝୁରି ପୁରସ୍କାର ସ୍ୱରୂପ ପ୍ରମାଣପତ୍ର ସହ ମେଡାଲ ଦିଆଯାଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମରେ ସାଂସ୍କୃତିକ ସମ୍ପାଦିକା ସ୍ନେହଲତା ନାୟକ, ମୁଖ୍ୟ ଉପଦେଷ୍ଟା ଡ. ସମର ମୁଦାଲି, ସହ ସାଧାରଣ ସମ୍ପାଦକ ବିବେକାନନ୍ଦ ପଣ୍ଡା, ସହ ସମ୍ପାଦକ ସନ୍ତୋଷ କୁମାର ମଲ୍ଲିକ, ଉପଦେଷ୍ଟା ଲକ୍ଷ୍ମଣ ନାଥ ଦାସ, ବରିଷ୍ଠ ଶିକ୍ଷୟିତ୍ରୀ ଅନିନ୍ଦିତା ମାଇତି, ସୁନୀତା ସିଂହ ଏବଂ କୋଷାଧ୍ୟକ୍ଷ ନିଖିଳେଶ୍ୱର ଦାଶ ପ୍ରମୁଖଙ୍କ ସହ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ସହାୟତା କରିଥିବାବେଳେ ସହରର ବହୁ କଳା ପ୍ରେମୀ ଯୋଗ ଦେଇଥିଲେ ।

Leave A Reply

Your email address will not be published.