ସୁନାଫୁଲର ପ୍ରତିଷ୍ଠା ଉତ୍ସବ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ଼ ଜିଲ୍ଲାର ଅନ୍ୟତମ ସାରସ୍ୱତ ଅନୁଷ୍ଠାନ ସୁନାଫୁଲ ସାହିତ୍ୟ ସଂସଦର ସପ୍ତଦଶ ତମ ପ୍ରତିଷ୍ଠା ଉତ୍ସବ ରାଜଗାଙ୍ଗପୁର ମାଲିଡିହି ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି । ପ୍ରତିଷ୍ଠାତା ସମ୍ପାଦକ ସୁନୀଲ ମହାନ୍ତିଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ସାରସ୍ୱତ ମହୋତ୍ସବରେ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ସୁଶୀଲ ତ୍ରିପାଠୀ ମୁଖ୍ୟବକ୍ତା ଭାବେ ଯୋଗଦେଇ “ପରିବେଶ ସ୍ଵଚ୍ଛତା, ନିଶା ନିବାରଣ ଓ ଅଂଶୁଘାତ ପାଇଁ ସତର୍କତା “ଶୀର୍ଷକରେ ଆଲୋଚନା କରି କହିଥିଲେ ଯେ, ବଣ ଜଙ୍ଗଲ ଆମର ମୂଲ୍ୟବାନ ସମ୍ପତ୍ତି । ଏହାର ସୁରକ୍ଷା ଦାୟିତ୍ୱ ଆମର । ପ୍ରତ୍ୟେକ ବ୍ୟକ୍ତି ନିଜ ମାଆଙ୍କ ନାମରେ ଗଛଟିଏ ଲଗାଇ ଏହାର ଯତ୍ନନେବା ଉଚିତ । ସମାଜସେବୀ ବିନିତା କୁଲୁ ନିଶା ସେବନର କୁପରିଣତି ବିଷୟରେ କହିବା ସହ ନିଶା ସେବନକୁ ଦୂରେଇ ରଖିବାକୁ ପରାମର୍ଶ ଦେଇଥିଲେ । ସମ୍ପାଦକ ସୁନୀଲ ମହାନ୍ତି ସ୍ୱାଗତ ପ୍ରଦାନ ପୂର୍ବକ ବକ୍ତବ୍ୟ ରଖିଥିଲେ ଯେ, ମନର ସ୍ୱଚ୍ଛତା, ଦେହର ସ୍ଵଚ୍ଛତା ଓ ପରିବେଶର ସ୍ଵଚ୍ଛତା ଆଦି କ୍ଷେତ୍ରରେ ଆମେ ଯତ୍ନବାନ ହେବା ଉଚିତ । ଅଂଶୁଘାତରୁ ରକ୍ଷା ପାଇବା ପାଇଁ ଆମେ ଘରୁ ବାହାରିଲା ବେଳେ ପାଦରେ ଚପଲ, ଛତା, ଓଦା ଗାମୁଛା, ପାଣି ବୋତଲ ସାଙ୍ଗରେ ନେବା ଉଚିତ । ଏହି ଅବସରରେ ବିଦ୍ୟାଳୟର ଛାତ୍ର ଛାତ୍ରୀମାନଙ୍କୁ ନେଇ ନୃତ୍ୟ, ଗୀତ ଓ ସାଧାରଣଜ୍ଞାନ ଆଦି ପ୍ରତିଯୋଗିତା କରାଯାଇଥିଲା । ଏହି ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଉପହାର ପ୍ରଦାନ କରାଯିବା ସହ ସ୍ଵଚ୍ଛତା ରକ୍ଷା ପାଇଁ ଶପଥ ପାଠ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଭୀମସେନ ବୁଢା, ବ୍ରହ୍ମାନନ୍ଦ ପାଢ଼ୀ, ବିଭୁତି ଦାଶ ପ୍ରମୁଖ ସହଯୋଗ କରିଥିଲେ । ଚାଳିଶରୁ ଅଧିକ ଗ୍ରାମବାସୀ ଯୋଗଦେଇଥିବା ବେଳେ ବୁଦ୍ଧଲାଲ ଭୂମିଜ ଧନ୍ୟବାଦ ପ୍ରଦାନ କରିଥିଲେ ।

Leave A Reply

Your email address will not be published.