କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଥୁଆମୂଳ ରାମପୁର ବ୍ଲକ ସଭା ଗୃହରେ ଆଜି ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନଶୁଣାଣୀ ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିରରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଏବଂ ଆରକ୍ଷୀ ଅଧିକ୍ଷକ ନାଗରାଜ ଦେବରକୋଣ୍ଡା ଯୋଗଦେଇ ଲୋକଙ୍କର ଆପତ୍ତି ଅଭିଯୋଗର ଶୁଣାଣୀ କରିଥିଲେ । ଏହି ଶିବିରରେ ବ୍ଲକର ବିଭିନ୍ନ ଅଞ୍ଚଳରୁ ଆସିଥିବା ୭୪ ଗୋଟି ଆପତ୍ତି ଅଭିଯୋଗର ପଞ୍ଜୀକରଣ କରାଯାଇଥିଲା । ସେଥି ମଧ୍ୟରୁ ୪୨ଟି ବ୍ୟକ୍ତିଗତ ଓ ୨୯ଟି ସାମୁହିକ ଅଭିଯୋଗ ରହିଥିବା ବେଳେ ୨୨ ଗୋଟି ଆପତ୍ତି ଅଭିଯୋଗର ତୁରନ୍ତ ସମାଧାନ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୩ ଜଣଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା । ଏହି ଶିବିରରେ ଘରଡିହ, ଭତ୍ତା, ପାନୀୟଜଳ, ଜମିବିବାଦ, ରାସନ କାର୍ଡ, ଶିକ୍ଷା, ସ୍ଵାସ୍ଥ୍ୟ, କୃଷି, ବେସାମରିକ ଯୋଗାଣ, ଜଳସେଚନ, ସାମାଜିକ ସୁରକ୍ଷା, ଗ୍ରାମ୍ୟ ଉନ୍ନୟନ, ତହସିଲ, ବ୍ଲକ ଇତ୍ୟାଦି ବିଭାଗୀୟ ଅଧୀନରେ କାର୍ଯ୍ୟକାରୀ ହେବାକୁ ଥିବା ସମ୍ପର୍କିତ ଆପତ୍ତି ଅଭିଯୋଗର ଶୁଣାଣି କରି ଏହି ସବୁ ସମସ୍ୟାର ତୁରନ୍ତ ସମାଧାନ କରିବା ନିମନ୍ତେ ଆବଶ୍ୟକ ପଦକ୍ଷେପ ନେବା ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଏହି ଶିବିରରେ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ସ୍ମୃତି ରଞ୍ଜନ ପ୍ରଧାନ, ଉପଜିଲ୍ଲାପାଳ ଭବାନୀପାଟଣା ପ୍ରଭାତ କୁମାର ପରିଡା, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଡୋଳାମଣି ଭୋଇ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ତହସିଲଦାରଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଏବଂ ବ୍ଲକ ସ୍ତରୀୟ ଅଧିକାରୀ ଯୋଗ ଦେଇଥିଲେ ।
Prev Post