ମନରେଗା କାର୍ଯ୍ୟରେ ହେରାଫେରି ଅଭିଯୋଗ : ଖବର ପ୍ରକାଶ ପରେ ହଟିଲା ସୂଚନା ଫଳକ

ତୁରେକେଲା, (ପିତାମ୍ବର ଦୀପ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ବଡଡକଲା ପଞ୍ଚାୟତର ଗୁର୍ଲଗୁଡ଼ା ଗ୍ରାମରେ ଥିବା ଏକ ପୋଖରୀ ଉନ୍ନତିକରଣ କାର୍ଯ୍ୟରେ ମନରେଗା ଯୋଜନାରେ ହେରାଫେରି ହୋଇଥିବା ଅଭିଯୋଗ ହୋଇଛି । ଏହି ପୋଖରୀ କାର୍ଯ୍ୟ ସମ୍ବନ୍ଧୀୟ ସୂଚନା ଦେଇଥିବା ଗୋଟିଏ ଫଳକରେ ଦୁଇଟି ଆର୍ଥିକ ବର୍ଷର ବିବରଣୀ ଲେଖାଯାଇଥିବା ଦେଖାଯାଇଥିଲା । ଅଳ୍ପ କିଛି ମାସ ବ୍ୟବଧାନରେ ପୋଖରୀ ଉନ୍ନତିକରଣ କାର୍ଯ୍ୟ ହୋଇଥିବା ତଥ୍ୟ ଫଳକରେ ଉଲ୍ଲେଖ ଥିଲା । ଏହି ଘଟଣା ସମ୍ପର୍କରେ ଖବର କୋଶଳ ପ୍ରବାହ ପତ୍ରିକାରେ ପ୍ରକାଶ ପାଇବା ପରେ ସେହି ସୂଚନା ଫଳକକୁ ହଟାଯାଇଥିବା ଜଣାପଡ଼ିଛି । ଖବର ପ୍ରକାଶ ପରେ ଫଳକ ହଟାଯାଇଥିବା ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅନେକ ପ୍ରଶ୍ନ ଉଠିଛି । କାହିଁକି ସେହି ଫଳକ ଲେଖାଯାଇଥିଲା ଏବଂ ପୋଖରୀ ଉନ୍ନତିକରଣ କାମରେ ସତରେ ପ୍ରାୟ ୧୭ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି କି ନାହିଁ, ତାହା ତଦନ୍ତର ବିଷୟ ବୋଲି ଚର୍ଚ୍ଚା ହେଉଛି । ଏହି ଘଟଣାର ସତ୍ୟତା ଜାଣିବା ପାଇଁ ସମ୍ପର୍କିତ ପ୍ରଶାସନ ଦ୍ୱାରା ସଠିକ୍ ତଦନ୍ତ କରାଯିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

Leave A Reply

Your email address will not be published.