ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକ ଅନ୍ତର୍ଗତ ବାଣ୍ଡିଗାଁ ପଞ୍ଚାୟତର ରେଙ୍ଗାଲପାଲି ଗ୍ରାମ ପରିସର ମଧ୍ୟରେ ଭବ୍ୟ ଶ୍ରୀରାମ ମନ୍ଦିର ସହ ତିନି ବିଗ୍ରହଙ୍କ ପ୍ରତିଷ୍ଠା ଉତ୍ସବ ଭକ୍ତିପୂତ ପରିବେଶ ମଧ୍ୟରେ ସମ୍ପନ୍ନ ହୋଇଯାଇଛି । ପୁନଶ୍ଚ ମନ୍ଦିର ପରିସର ମଧ୍ୟରେ ନିର୍ମିତ ବିଶାଳ ହନୁମାନଜୀଙ୍କ ବିଗ୍ରହ ପ୍ରତିଷ୍ଠା ମଧ୍ୟ ସମ୍ପନ୍ନ ହୋଇଯାଇଛି । ଗତ ଗୁରୁବାର ଦିନ ଶତାଧିକ ମହିଳାଙ୍କ କଳସ ଯାତ୍ରାରେ ପବିତ୍ର ଜଳ ଆଣିବା ପରେ ପ୍ରତିଷ୍ଠା କର୍ମ ଆରମ୍ଭ ହୋଇଥିଲା । ଆନ୍ଧ୍ରପ୍ରଦେଶର ପଣ୍ଡିତ ରୋହିତ ରାମବାବୁ ଓ ସାଥି ପୂଜା କର୍ମ ସମ୍ପନ୍ନ କରିଥଲେ । ମନ୍ଦିର ନିର୍ମାଣରୁ ପ୍ରତିଷ୍ଠା ପର୍ଯ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଏ ଲଛମନ ରାଓ ଯଜମାନ ଭାବର ସଂକଳ୍ପ ନେଇଥିଲେ । ରେଙ୍ଗାଲପାଲି ଓ ଆଖପାଖ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁ ମନ୍ଦିର ପ୍ରତିଷ୍ଠାରେ ନିଜକୁ ସାମିଲ କରିବା ସହ ଏକ ଆଧ୍ୟାତ୍ମିକ ବାତାବରଣ ତିଆରି କରିଥିଲେ । ଶତାଧିକ ରାମପ୍ରେମୀ ଯଜ୍ଞସ୍ଥଳୀରେ ଉପସ୍ଥିତି ରହି ପରିଚାଳନା ଦାୟିତ୍ଵ ନେଇଥିଲେ ।