ଆଇନ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ବିଦାୟ ସମ୍ବର୍ଦ୍ଧନା

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଆଇନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ବିଭୁରଞ୍ଜନ ପଟ୍ଟନାୟକଙ୍କ କାର୍ଯ୍ୟକାଳ ସରିଯିବା ପରେ ତାଙ୍କୁ ମହାବିଦ୍ୟାଳୟ ତରଫରୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଦିଆଯାଇଛି । ଆଇନ ମହାବିଦ୍ୟାଳୟର ଆଲୁମିନି ଆସୋସିଏସନ୍‌ର ସଭାପତି ଡ. ସୁମନ ଦତ୍ତଙ୍କ ଅଧ୍ୟକ୍ଷତା ଓ ସାଧାରଣ ସମ୍ପାଦକ ତ୍ରଲୋକିନାଥ ପାଣ୍ଡେଙ୍କ ଆବାହକତ୍ୱରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଆଇନ ମହାବିଦ୍ୟାଳୟର ସଭାପତି ଇଂ ଯତୀନ ନାୟକ ମୁଖ୍ୟଅତିଥି, ବିଦାୟୀ ଅଧ୍ୟକ୍ଷ ଡ. ପଟ୍ଟନାୟକ ସ୍ୱତନ୍ତ୍ର ଅତିଥି, ଆଲୁମିନି ମନୋରଞ୍ଜନ ଦାଶ ଓ ସମ୍ପ୍ରତି ମହାବିଦ୍ୟାଳୟ ଅଧ୍ୟକ୍ଷ ଦାୟିତ୍ୱରେ ଥିବା ଡ. ସମ୍ପାଦିକା ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ସମସ୍ତ ଅତିଥି ବିଦାୟୀ ଅଧ୍ୟକ୍ଷ ଡ. ପଟ୍ଟନାୟକଙ୍କ ମହାବିଦ୍ୟାଳୟ ପ୍ରତି ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ଐକ୍ୟବଦ୍ଧତା ଓ ଭାଇଚାରା ତଥା ଶିକ୍ଷା ପ୍ରତି ଆଗ୍ରହ ବଢାଇବା ପାଇଁ ଚେଷ୍ଟା ହିଁ ମହାବିଦ୍ୟାଳୟ ମନେ ରଖିବ ବୋଲି ମତ ରଖିଥିଲେ । ସମ୍ବର୍ଦ୍ଧନା ପ୍ରତ୍ୟୁତ୍ତରରେ ଡ. ପଟ୍ଟନାୟକ ଏହି ସମୟ ତାଙ୍କ ପାଇଁ ସ୍ମରଣୀୟ ଓ ସମସ୍ତଙ୍କ ସହଯୋଗ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ଆଲୁମନି ସଭାପତି ଡ. ଦତ୍ତ ସ୍ୱାଗତ ଭାଷଣ ଓ କାର୍ଯ୍ୟକ୍ରମର ଆଭିମୁଖ୍ୟ ତଥା ସମ୍ପାଦକ ଶ୍ରୀ ପାଣ୍ଡେ ଡ. ପଟ୍ଟନାୟକଙ୍କ ଅବଦାନ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପରିଚାଳନା ସମ୍ପାଦକ ଦେବାଶିଷ ମହାନ୍ତି, କୋଷାଧ୍ୟକ୍ଷ ଡ. ପ୍ରଜ୍ଞାପରମିତା ପଣ୍ଡା, ଆଇନଜୀବୀ ଆରତୀ ଚୌଧୁରୀ, ଅଧ୍ୟାପକ ତନ୍ମୟରାଜ ପାଢ଼ୀ, ଡ. ଦିବ୍ୟନ୍ଦୁ ପଣ୍ଡା, ଦେବାଶିଷ ବେହେରା, ଗ୍ରନ୍ଥାଗାରିକ ଲକ୍ଷ୍ମୀପ୍ରିୟା ସାହୁ, ସୁଜାତା ନାୟକ, ଅମିତା ଜେନା ଓ ଅନ୍ୟମାନେ ପ୍ରମୁଖ ଉପସ୍ଥିତ ରହି ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ ।

Leave A Reply

Your email address will not be published.