ନୂଆପଡ଼ାରେ ‘ପିଏମ୍ କିଷାନ ଉତ୍ସବ ଦିବସ’ ପାଳିତ : ଜିଲ୍ଲାର ୮୪ ହଜାରରୁ ଅଧିକ ଚାଷୀ ୨୨ତମ କିସ୍ତି ପାଇଲେ

ନୂଆପଡ଼ା, (ସନ୍ତୋଷ ପଟ୍ଟନାୟକ) : ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ୍ କିଷାନ) ଯୋଜନାର ୨୨ତମ କିସ୍ତି ପ୍ରଦାନ ଅବସରରେ ନୂଆପଡ଼ା ଜିଲ୍ଲାରେ “ପିଏମ୍ କିଷାନ ଉତ୍ସବ ଦିବସ” ସ୍ଥାନୀୟ ସଦ୍ଭାବନା ସଭାଗୃହରେ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସାମର ଗୌହାଟିରୁ ଆଭାସୀ ମାଧ୍ୟମରେ ପିଏମ୍ କିଷାନ ଯୋଜନାର ୨୨ତମ କିସ୍ତି ପ୍ରଦାନ କରିଥିଲେ । ଏହା ଅନୁସାରେ ଓଡ଼ିଶାର ୩୪ ଲକ୍ଷରୁ ଅଧିକ ଚାଷୀ ଭାଇଭଉଣୀଙ୍କ ଖାତାକୁ ପ୍ରାୟ ୬୮୪ କୋଟି ଟଙ୍କା ସିଧାସଳଖ ହସ୍ତାନ୍ତର ହୋଇଛି । ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ ଏହାର ସିଧା ପ୍ରସାରଣକୁ ଉପସ୍ଥିତ ଚାଷୀ ଓ ଅଧିକାରୀମାନେ ଦେଖିଥିଲେ । ନୂଆପଡ଼ା ଜିଲ୍ଲାରେ ଏହି ଯୋଜନା ଅନୁସାରେ ପ୍ରାୟ ୮୪,୫୦୩ ଜଣ ଚାଷୀ ୨୨ତମ କିସ୍ତିର ଅର୍ଥ ଗ୍ରହଣ କରିଛନ୍ତି । ବ୍ଲକ ଅନୁସାରେ ବୋଡେନରେ ୧୩,୬୯୦ ଜଣ, ଖରିଆରରେ ୧୫,୮୦୦ ଜଣ, କୋମନାରେ ୧୯,୯୫୬ ଜଣ, ନୂଆପଡ଼ାରେ ୧୪,୮୩୩ ଜଣ ଏବଂ ସିନାପାଲିରେ ୨୦,୨୨୪ ଜଣ ଚାଷୀ ଏହି ପିଏମ୍ କିଶାନର ଲାଭ ପାଇଛନ୍ତି । ଉଲ୍ଲେଖନୀୟ ଯେ, ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ୨୪ ଫେବୃଆରୀ ୨୦୧୯ରେ ଭାରତ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏକ କେନ୍ଦ୍ରୀୟ ଯୋଜନା । ଏହାର ଉଦ୍ଦେଶ୍ୟ ହେଉଛି କୃଷକ ପରିବାରମାନଙ୍କ ଆୟ ବୃଦ୍ଧି କରିବା, କୃଷି କାର୍ଯ୍ୟ ପାଇଁ ଆବଶ୍ୟକ ସାଧନ ସଂଗ୍ରହରେ ସହାୟତା କରିବା ଓ ଅନାବଶ୍ୟକ ଋଣ ଜାଲରୁ କୃଷକମାନଙ୍କୁ ସୁରକ୍ଷା ଦେବା । ଏହି ଯୋଜନା ଅନୁସାରେ ଯୋଗ୍ୟ ଚାଷୀ ପରିବାରମାନଙ୍କୁ ପ୍ରତିବର୍ଷ ୬,୦୦୦ ଟଙ୍କା ତିନୋଟି କିସ୍ତିରେ ସିଧାସଳଖ ବ୍ୟାଙ୍କ ଖାତାକୁ ଡିବିଟି ମାଧ୍ୟମରେ ଦିଆଯାଏ । ଏହି ଅବସରରେ ଭୁବନେଶ୍ୱର ସ୍ଥିତ କୃଷି ଶିକ୍ଷା ସଦନ, ଓୟୁଏଟିରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ଗରିମାମୟ ଉପସ୍ଥିତି ରଖିଥିଲେ । ନୂଆପଡ଼ାରେ ଜିଲ୍ଲାର ମୁଖ୍ୟ କୃଷି ଅଧିକାରୀ ପ୍ରଦୀପ ନାୟକଙ୍କ ଆବାହକତ୍ୱରେ ଆୟୋଜିତ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ ସାଂସଦଙ୍କ ପ୍ରତିନିଧି ପ୍ରେମ ଅଗ୍ରୱାଲ, ନୂଆପଡା ବିଧାୟକଙ୍କ ପ୍ରତିନିଧି ରାମଲାଲ ହଂସ, ନୂଆପଡ଼ା ବ୍ଲକ ଅଧ୍ୟକ୍ଷା ତାରେଶ୍ୱରୀ ସାହୁ, ଜିଲ୍ଲା ପରିଷଦ ସଭ୍ୟ ଅବନୀ ରଞ୍ଜନ ଯୋଶୀ, ଭାନୁ ପ୍ରତାପ ସିଂ ମାଝୀ ଅତିଥି ଭାବରେ ଯୋଗ ଦେଇଥିଲେ । ଏହା ସହିତ କୃଷି ବିଭାଗର ସମସ୍ତ ଅଧିକାରୀ, ବିଭିନ୍ନ ବିଭାଗର ଅଧିକାରୀ, କୃଷକ ପ୍ରତିନିଧି ଓ ଚାଷୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.