- ଗାଡିକୁ ଗୋଡାଇ ଧରିଲା ପୁଲିସ : ଡ୍ରାଇଭର ଅଟକ
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର ବଲାଙ୍ଗିର ଏନଏଚ ୫୭ ସାନ ଝିଙ୍କି ଛକରେ ଏକ ଟାଟା ଏସି ଗାଡି ଧକ୍କାରେ ଜଣେ କନିଷ୍ଠ ଯନ୍ତ୍ରୀଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ତରଭା ଏନଏସିରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ଅଶୋକ ପଧାନ ଏବଂ ତାଙ୍କ ଘର ଉଲୁଣ୍ଡା ବ୍ଲକ୍ ବାଘଲପୁର ଗ୍ରାମ ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ ତରଭା ଏନଏସିରେ ଗତକାଲି ଆର୍ନ୍ତଜାତୀୟ ମହିଳା ଦିବସ ଉତ୍ସବ ପାଳନ ହେଇଥିଲା । ଉକ୍ତ ଉତ୍ସବରେ ଯୋଗଦେଇ ଯନ୍ତ୍ରୀ ଅଶୋକ ପ୍ରଧାନ ବାଇକ ଯୋଗେ ନିଜ ଗ୍ରାମ ବାଘଲପୁରକୁ ଫେରୁଥିବା ବେଳେ ସାନ ଝିଙ୍କି ଛକ୍ ଠାରେ ସନ୍ଧ୍ୟା ପ୍ରାୟ ୫ ଟା ବେଳେ ବାଇକରୁ ଓହ୍ଲାଇ ବାଇକ ଡିକି ଖୋଲି କିଛି ବାହାର କରିବା ବେଳେ ଟାଟା ଏସି ଗାଡି ତାଙ୍କୁ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ଗୁରୁତର ଆହତ ଅଶୋକଙ୍କୁ ଚିକିତ୍ସା ପାଇଁ ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ପୁଲିସ ଘଟଣା ସ୍ଥଳକୁ ପହଞ୍ଚି ଗାଡିକୁ ଗୋଡାଇ ଧରିବା ସହ ଡ୍ରାଇଭରକୁ ଅଟକ ରଖିଛି । ଏନେଇ ସୋନପୁର ଥାନାରେ ଏକ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଚାଲିଥିବା ସୋନପୁର ଆଇଆଇସି ଯାଦବ ବାଗ ସୂଚନା ଦେଇଛନ୍ତି । ଶ୍ରୀ ପ୍ରଧାନ ଜଣେ ମେଳାପୀ ଏବଂ କର୍ତ୍ତବ୍ୟନିଷ୍ଠା ବ୍ୟକ୍ତି ଥିବା ବେଳେ ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳ ତଥା ସୋନପୁର ସହର ଠିକାଦାର ମହଲରେ ଶୋକର ଛାୟା ଖେଳିଯାଇଛି ।