ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସହରର ପ୍ରତିଷ୍ଠିତ ମହିଳା ଅନୁଷ୍ଠାନ ସୁବର୍ଣ୍ଣା ନାରୀ ଜାଗରଣ କେନ୍ଦ୍ର ଆନୁକୂଲ୍ୟରେ ଅନ୍ତର୍ଜାତୀୟ ମହିଳା ଦିବସ ‘ସୁବର୍ଣ୍ଣା’ ର ସମ୍ମିଳନୀ କକ୍ଷରେ ମୁଖ୍ୟ ଅତିଥି ସୁବର୍ଣ୍ଣପୁର ଜିଲ୍ଲାପାଳ ଡ. ନୃପରାଜ ସାହୁଙ୍କ ଦ୍ଵାରା ଉଦ୍ଘାଟିତ ହୋଇଯାଇଛି । ଏହି ଅବସରରେ ଡ. ସାହୁ କହିଥିଲେ ଯେ ପାରିବାରିକ ସମସ୍ୟା ସମାଧାନ ଦିଗରେ ସୁବର୍ଣ୍ଣାର କାର୍ଯ୍ୟକ୍ରମ ଅତ୍ୟନ୍ତ ପ୍ରଶଂସନୀୟ । ଏଭଳି ଏକ ମହିଳା ଜାଗରଣ ପ୍ରବର୍ତ୍ତୀ ନାରୀ ସ୍ଵେଛାସେବୀ ଅନୁଷ୍ଠାନର ସଫଳତା ନିମନ୍ତେ ଏହାର କାର୍ଯ୍ୟ ପରିସର ବର୍ତ୍ତମାନ ରାଜ୍ୟ ତଥା ରାଜ୍ୟ ବାହାରେ ମଧ୍ୟ ବ୍ୟାପକ ହୋଇପାରିଛି । ସେ ମଧ୍ୟ ଅନୁଷ୍ଠାନର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ । ଏହି ସଭାରେ ଅଧ୍ୟକ୍ଷତା କରି ‘ସୁବର୍ଣ୍ଣା’ ର ସଭାନେତ୍ରୀ ପ୍ରାଧ୍ୟାପିକା ମୀନା ମହାରଣା ପ୍ରଥମେ ସ୍ଵାଗତ ଭାଷଣ ଦେଇ ‘ସୁବର୍ଣ୍ଣା’ର କାର୍ଯ୍ୟକାରୀତା ସମ୍ପର୍କରେ ସୂଚନା ଦେଇଥିଲେ । ଉପସଭାନେତ୍ରୀ ଭଗବତୀ ରାୟଗୁରୁ ଓ ଅନ୍ୟତମ ଉପଦେଷ୍ଟା ଗୋରେଖନାଥ ସାହୁ ନିଜ ନିଜର ଅଭିଜ୍ଞତା ସଂକ୍ଷେପରେ ବର୍ଣ୍ଣନା କରିଥିଲେ । ଶେଷରେ ସୁବର୍ଣ୍ଣାର ସମ୍ପାଦିକା ପୁଷ୍ପାଞ୍ଜଳି ମେହେର ଧନ୍ୟବାଦ ଦେଇଥିଲେ । ବରିଷ୍ଠ ସଭ୍ୟା ଇନ୍ଦୁମତୀ ପୁରୋହିତ, ଶ୍ରଦ୍ଧାଞ୍ଜଳି ମିଶ୍ର, କଳ୍ପନା ମେହେର, ସନ୍ଧ୍ୟା ତାଣ୍ଡି, ମଞ୍ଜୁଲତା ଝାଙ୍କର, ଘନକେଶୀ ମେହର, ସସ୍ମିତା ମେହେର, ଗୀତା ବହିଦାର, ଆରତୀ ଖମାରୀ, ସ୍ମିତା ମେହେର, ଶ୍ରଦ୍ଧା ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ ।