ଗଞ୍ଜାମ ଜିଲ୍ଲାର “ନାକୁଇମ୍ ସୁପାରିଶ ଓ ଭୂତଳ ଜଳ ପରିଚାଳନା” ଉପରେ କର୍ମଶାଳା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଂଜାମ ଜିଲ୍ଲାର “ନାକୁଇମ୍ ସୁପାରିଶ ଓ ଭୂତଳ ଜଳ ପରିଚାଳନା” ଉପରେ ଏକ ଜିଲ୍ଲାସ୍ତରୀୟ କର୍ମଶାଳା ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳା କେନ୍ଦ୍ରୀୟ ଭୂତଳ ଜଳ ପରିଷଦ, ଦକ୍ଷିଣ ପୂର୍ବ କ୍ଷେତ୍ର, ଭୁବନେଶ୍ଵରଙ୍କ ଆନୁକୂଲ୍ୟରେ ଆୟୋଜିତ ହୋଇଥିଲା । “ନାକୁଇମ୍” ଭୂତଳ ଜଳ ସମ୍ପଦର ସଠିକ ମାପ, ବୈଜ୍ଞାନିକ ପଦ୍ଧତିରେ ପରିଚାଳନା ଓ ସଠିକ୍ ବ୍ୟବହାର ସୁନିଶ୍ଚିତ କରିବାର ଏକ ଗୁରୁତ୍ୱପୂର୍ଣ୍ଣ ଜାତୀୟ କାର୍ଯ୍ୟକ୍ରମ । କେନ୍ଦ୍ରୀୟ ଭୂତଳ ଜଳ ପରିଷଦର ବରିଷ୍ଠ ବୈଜ୍ଞାନିକ ସୁମିତା ସରକାର ସ୍ୱାଗତ ଭାଷଣରେ ବିଗତ ବର୍ଷ ଗଂଜାମ ଜଳ ସଂରକ୍ଷଣରେ ଉଲ୍ଲେଖନୀୟ ସଫଳତା ହାସଲ କରି ଜାତୀୟ ସ୍ତରରେ ସମ୍ମାନିତ ହୋଇଥିଲା । ଅଧିକାରୀମାନଙ୍କୁ ଏହି ସଫଳତା ବିଷୟରେ ସ୍ମରଣ କରାଇବା ସହିତ ଜିଲ୍ଲାର ଅଧିକାରୀମାନଙ୍କୁ ଅଭିନନ୍ଦନ ଜଣାଇଥିଲେ । ତା’ସହିତ ସେହି ସମାନ ମନବୃତ୍ତିନେଇ ଚଳିତ ବର୍ଷ ମଧ୍ୟ ଅଧିକାରୀ ଓ ଜିଲ୍ଲାବାସୀ ଜଳ ସଂରକ୍ଷଣ କରିବେ ବୋଲି ସେ ଆଶାବ୍ୟକ୍ତ କରିଥିଲେ । ଭୂତଳ ଜଳର ସଠିକ ସଂରକ୍ଷଣ ଓ ସମୂଚିତ ବ୍ୟବହାର ବ୍ୟାପକ ଜନସଚେତନତା ଓ ସମନ୍ୱିତ ପ୍ରୟାସର ଆବଶ୍ୟକତା ରହିଛି । କେନ୍ଦ୍ରୀୟ ଭୂତଳ ଜଳ ପରିଷଦର ବରିଷ୍ଠ ବୈଜ୍ଞାନିକ ଡଃ ବିନୟ କୁମାର ବେହେରା ଓ ଡଃ ରାଜ କିଶୋର ମହାନ୍ତି ଭୂତଳ ଜଳର ସଂରକ୍ଷଣ ଓ ବ୍ୟବହାର ଉପରେ ନାକୁଇମ୍ ପ୍ରସ୍ତୁତ କରିଥିବା ମାର୍ଗଦର୍ଶିକା ଉପରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ । ଜଳ ସଂରକ୍ଷଣ ପାଇଁ ଚାଷ ପ୍ରଣାଳୀର ବିବିଧିକରଣ, ଡ୍ରିପ୍ ଇରିଗେଶନ୍ ଓ ସ୍ପ୍ରିଙ୍କଲର୍ ପ୍ରଣାଳୀରେ ଏହା ମଧ୍ୟରେ ବହୁତ ଉନ୍ନତି ଘଟିଛି ସେହି ଉନ୍ନତ ପ୍ରଣାଳୀ ବ୍ୟବହାର କରି କିପରି ପ୍ରକୃତି ଠାରୁ ଆରମ୍ଭ କରି ମନୁଷ୍ୟ ଯାଏଁ ସମସ୍ତେ ଲାଭାନ୍ୱତ ହୋଇପାରିବେ ତା’ ଉପରେ ସେମାନେ ପରାମର୍ଶ ଦେଇଥିଲେ । ଏହା ସହ ବର୍ଷାଜଳ ସଂଗ୍ରହ, ଚେକ୍ ଡ୍ୟାମ୍ ନିର୍ମାଣ ଓ ଭୂଗର୍ଭ ଜଳ ପୁନଃଭର୍ତ୍ତି ପଦକ୍ଷେପକୁ କ୍ରିୟାଶୀଳ କରିବାପାଇଁ ପରାମର୍ଶ ଦେଇଥିଲେ । ଏହା ସହିତ ଭୂତଳ ଜଳ ମୁଖ୍ୟତଃ ଜିଲ୍ଲାର ସମୁଦ୍ର ପାଖାପାଖି ଥିବା ବ୍ଲକଗୁଡିକରେ ଦେଖାଯାଉଥିବା ଲବଣ ଯୁକ୍ତ ଜଳ, କିଛି ସ୍ଥାନରେ ଦେଖାଯାଇଥିବା ଫ୍ଲୋରିଡ଼ ଓ ଅନ୍ୟାନ୍ୟ ସମସ୍ୟା ଉପରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା । ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ, ଗଂଜାମ ବିଜୟ କୁମାର ବେହେରାଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ବିଭାଗୀୟ ଯନ୍ତ୍ରୀମାନେ ଏହି କର୍ମଶାଳାରେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.