ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷ ଠାରେ ସୂଚନା ଅଧିକାର ଆଇନ ୨୦୦୫ ଉପରେ ଜିଲ୍ଲାର ସମସ୍ତ ଜନ ସୂଚନା ଅଧିକାରୀ ଓ ଅତିରିକ୍ତ ଜନ ସୂଚନା ଅଧିକାରୀ ମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ତାଲିମ ଓ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ଜିଲ୍ଲାପାଳ ଡ଼ ନୃପରାଜ ସାହୁ, ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ ଓ ଅଞ୍ଜଳିନା ପ୍ରଧାନଙ୍କ ସମେତ ଜିଲ୍ଲାର ସମସ୍ତ କାର୍ଯ୍ୟାଳୟର ଜନ ସୂଚନା ଅଧିକାରୀ, ଅତିରିକ୍ତ ଜନ ସୂଚନା ଅଧିକାରୀ ଓ କର୍ମଚାରୀ ମାନେ ଯୋଗଦାନ କରିଥିଲେ । ଘାସିରାମ ପଣ୍ଡା ଓ ସ୍ଵାଧୀନ ମେହେର ସାଧନ କର୍ମୀ, ପ୍ରଶିକ୍ଷକ ବା ତାଲିମ ଦାତା ଭାବେ ଯୋଗଦାନ କରି ଜନ ସୂଚନା ଅଧିକାରୀ, ଅତିରିକ୍ତ ଜନ ସୂଚନା ଅଧିକାରୀ ଓ କର୍ମଚାରୀ ମାନଙ୍କୁ ସୂଚନା ଅଧିକାର ଆଇନ ୨୦୦୫ ଉପରେ ବିଶଦ ଭାବେ ତାଲିମ ପ୍ରଦାନ କରିଥିଲେ । ସୂଚନା ଅଧିକାର ଆଇନ ୨୦୦୫ ଓ ସୂଚନା ଅଧିକାରୀ ନିୟମାବଳୀ ୨୦୦୫ରେ ଥିବା ସମସ୍ତ ବ୍ୟବସ୍ଥା ସମ୍ବନ୍ଧୀୟ ସନ୍ଦେହ ଗୁଡିକୁ ତାଲିମ ଦାତା ଓ ଅତିରିକ୍ତ ଜନ ସୂଚନା ଅଧିକାରୀ ଓ କର୍ମଚାରୀ ମାନଙ୍କ ମଧ୍ୟରେ ପରସ୍ପର କ୍ରିୟାଶୀଳ ବା ସଂଯୋଗ ରକ୍ଷା ବିଶଦ ଭାବେ ଆଲୋଚନା କରି ଦୂରୀଭୂତ କରାଯାଇଥିଲା । ଏହି ତାଲିମ କାର୍ଯ୍ୟକ୍ରମ ସମସ୍ତ ଜନ ସୂଚନା ଅଧିକାରୀ, ଅତିରିକ୍ତ ଜନ ସୂଚନା ଅଧିକାରୀ ଓ କର୍ମଚାରୀ ମାନଙ୍କ ପାଇଁ ଉପାଦେୟ ହେବା ସହିତ ସେମାନଙ୍କ କାର୍ଯୃ ଓ ଦାୟିତ୍ଵ ସମ୍ପାଦନ କ୍ଷେତ୍ରରେ ନିଶ୍ଚିତ ସହାୟକ ହେବ ବୋଲି ମତାମତ ପ୍ରକାଶ ପାଇଥିଲା ।