ଆସନ୍ତା ୨୭ରେ ବିକଶିତ ଭାରତ ଜାତୀୟ ଯୁବ ସଂସଦ କାର୍ଯ୍ୟକ୍ରମ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଆସନ୍ତା ୨୭ ତାରିଖରେ ସୋନପୁର ମଡେଲ ଡିଗ୍ରି ମହାବିଦ୍ୟାଳୟରେ ବିକଶିତ ଭାରତ ଜାତୀୟ ଯୁବ ସଂସଦ କାର୍ଯ୍ୟକ୍ରମ ଆୟୋଜିତ ହେବା ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ମଡେଲ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଦେବାଶିଷ ମହାନ୍ତି ସବିଶେଷ ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁର ଜିଲ୍ଲାର ୧୮ ରୁ ୨୫ ବର୍ଷ ବୟସ୍କ ପ୍ରାୟ ୨୦୦ ଯୁବ ପ୍ରତିଯୋଗୀ ଓ ଛାତ୍ରଛାତ୍ରୀ ଭାଗ ନେବେ । ଏହି ବିକଶିତ ଭାରତ ଜାତୀୟ ଯୁବ ସଂସଦରେ ‘ଜରୁରୀକାଳୀନ ପରିସ୍ଥିତିର ୫୦ ବର୍ଷ ଭାରତୀୟ ଗଣତନ୍ତ୍ର ପାଇଁ ଶିକ୍ଷା’ ଶୀର୍ଷକ ଆଲୋଚନାର ବିଷୟବସ୍ତୁ ରହିଥିବା ବେଳେ ପ୍ରତିଯୋଗୀ ମାନେ ଏହି ବିଷୟ ବସ୍ତୁ ଉପରେ ନିଜସ୍ୱ ମତ ରଖିବେ ବୋଲି ସ୍ଥିର ହୋଇଛି । ଏହାକୁ ସଫଳ କରିବାକୁ କାର୍ଯ୍ୟସୂଚୀ ଓ ଆଲୋଚ୍ୟ ବିଷୟ ବସ୍ତୁ ସମ୍ପର୍କରେ ଜିଲ୍ଲାର ସମସ୍ତ ମହାବିଦ୍ୟାଳୟକୁ ପତ୍ର ମାଧ୍ୟମରେ ଜଣାଇବା ସହ ସୋନପୁର ସହିତ ଅନ୍ୟାନ୍ୟ ସମସ୍ତ ପଞ୍ଚାୟତ ସମିତି ମୁଖ୍ୟାଳୟ ମାନଙ୍କର ଛକ ଜାଗା ମାନଙ୍କରେ ପୋଷ୍ଟର ଲଗାଇ ବହୁଳ ପ୍ରଚାର ଓ ପ୍ରସାର କରାଯିବ ବୋଲି ଅଧ୍ୟକ୍ଷ ଶ୍ରୀ ମହାନ୍ତି ସୂଚନା ଦେଇଥିଲେ । ଏହି ବିକଶିତ ଭାରତ ଜାତୀୟ ଯୁବ ସାଂସଦରେ ଶ୍ରେଷ୍ଠ ୫ ଜଣ କୃତି ଛାତ୍ରଛାତ୍ରୀ ଓ ଯୁବକମାନଙ୍କୁ ରାଜ୍ୟସ୍ତରକୁ ମନୋନୀତ କରାଯିବ । ଏହି ସାମ୍ବାଦିକ ସମ୍ମିଳନୀରେ ନୋଡାଲ ଅଧିକାରୀ ଡ. ସନ୍ତୋଷ ଭୋଇ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅର୍ଜୁନ ମାଝୀ, ମୋ ଭାରତ ଅଧିକାରୀ କୃପାସିନ୍ଧୁ ସା ଓ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଯୋଗ ଦେଇଥିଲେ ।

Leave A Reply

Your email address will not be published.