ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ବାରଖମା ଫାଣ୍ଡି ଅନ୍ତର୍ଗତ ଗାଟିଙ୍ଗିଆ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ସାମାନ୍ୟ ବଚସାରୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଯେ, ଉକ୍ତ ଗ୍ରାମର ସାମାନ୍ୟ ମାନସିକ ବିକାରଗ୍ରସ୍ତ ଜଣେ ଯୁବକ ଜପ ମଲିକ (୪୫) ଓ ଡକିଲା ମଲିକ (୪୨) ମଧ୍ୟରେ କିଛି କଥା କୁ ନେଇ ସାମାନ୍ୟ ବଚସା ହୋଇଥିଲା । ମାନସିକ ରୋଗୀ ଜପ ମଲିକ ହଠାତ୍ ରାଗିଯାଇ ଡାକିଲା ମଲିକଙ୍କୁ ଟାଙ୍ଗିଆରେ ଗୋଡ଼ାଇ ଗୋଡ଼ାଇ ହାଣିଥିବା ଅଭିଯୋଗ କରିଛନ୍ତି ପରିବାର ଓ ଅଞ୍ଚଳବାସୀ । ପରିବାର ଓ ସ୍ଥାନୀୟ ଲୋକେ ଗୁରୁତର ଡକିଲା ମଲ୍ଲିକଙ୍କୁ ସଙ୍ଗେସଙ୍ଗେ ପ୍ରଥମେ ବାରଖମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରି ପ୍ରାଥମିକ ଚିକିତ୍ସା ପରେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ, ସେଠାରେ ଡକିଲା ମଲିକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ, କିନ୍ତୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ଡକିଲା ମଲିକଙ୍କୁ ମୃତ ଘୋଷଣା କରିଥିଲେ । ଏପଟେ ଖବର ପାଇ ବାଲିଗୁଡ଼ା ଥାନା ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତ ଜପ ମଲିକଙ୍କୁ ଗିରଫ କରିବା ସହ ତଦନ୍ତ ଅବ୍ୟାହତ ରଖିଥିବା ଜଣାପଡିଛି । ଡକିଲା ମଲ୍ଲିକଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଥିବା ବିଷୟ ବାଲିଗୁଡ଼ା ଥାନା ଅଧିକାରୀ ଶିବ ଶଙ୍କର ସିଙ୍ଗ ସୂଚନା ଦେଇଛନ୍ତି ।
Prev Post