ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ଏମଇ ସ୍କୁଲ ଖେଳପଡିଆ ଠାରେ ପାଞ୍ଚ ଦିନ ଧରି ଚାଲିଥିବା ନୃସିଂହନାଥ କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଏନଏନସିସି କ୍ଲବ ଦ୍ଵାରା ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟର ବିଶେଷତ୍ଵ ହେଲା ବିଗତ ୬ ବର୍ଷରୁ ନିମନ୍ତ୍ରିତ କ୍ରିକେଟ ଦଳ ମାନଙ୍କଠାରୁ କୌଣସି ପ୍ରବେଶ ଶୁଳ୍କ (ଏଣ୍ଟ୍ରି ଫି) ନିଆଯାଏ ନାହିଁ । ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ ମେଳଛାମୁଣ୍ଡା ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭରରେ ଦୁଇ ୱିକେଟ ହରାଇ ୧୪୪ ରନ ସଂଗ୍ରହ କରିଥିଲେ । ଅଭି ୧୯ ବଳରେ ୫୭, ଅମନ୍ ୧୮ ବଳରେ ୩୮ କରିଥିବାବେଳେ ମାନସ ଦୁଇ ୱିକେଟ ହାସଲ କରିଥିଲେ । ୧୪୫ ରନ ପିଛା କରି ଖୁଣ୍ଟପାଲି ଦଳ ୯ ୱିକେଟ ହରାଇ ୯୪ ରନ କରି ୫୦ ରନରେ ପରାଜିତ ହୋଇଥିଲେ । ମେଲଛାମୁଣ୍ଡା ଦଳର ଅଭି ୫୭ ରନ କରିବା ସହ ତିନି ୱିକେଟ ହାସଲ କରି ମ୍ୟାଚର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ । ସୁଶାନ୍ତ ପାଣିଗ୍ରାହୀଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ସରୋଜ ସାମଲ, ସୁଶାନ୍ତ ନାଗ, ଆଶୁତୋଷ ସାହୁ, କୈଲାସ ଦିଶରୀ, ଆୟୁଷ ଅଗ୍ରୱାଲ, କବି ଅଗ୍ରୱାଲ, ପ୍ରିତିଶ ବଡ଼ପଣ୍ଡା ଓ ବିଷ୍ଣୁ ଗଡତିଆ ପ୍ରମୁଖ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି ଭାବେ ମେଲଛାମୁଣ୍ଡା ଦଳର ରାକେଶଙ୍କୁ ପୁରସ୍କୃତ କରାଯାଇଥିଲା । ଆଜିର ଖେଳକୁ ରବୀନ୍ଦ୍ର ବେହେରା, ଓମ୍ ମହାନ୍ତି, ପପୁ ବେହେରା ଓ ଆଦିତ୍ୟ ସାହୁ ପରିଚାଳନା କରିଥିବା ବେଳେ ଅଟଳ ସରାଫ, ଦିଲୀପ ପ୍ରଧାନ, ଇଶାନ ମିଶ୍ର ସ୍କୋରର ଦାୟିତ୍ଵ ତୁଲାଇ ଥିଲେ ଏବଂ ଚନ୍ଦନ ପ୍ରଧାନ, ବବଲୁ ସାହୁ ,ହେମାନନ୍ଦ ରାଜହଂସ ଓ ମହମ୍ମଦ ମୁସ୍ତାକିମ୍ ଧରାବିବରଣୀ ପ୍ରଦାନ କରିଥିଲେ । ବିଜେତା ଦଳକୁ ଟ୍ରଫି ସହ ନଗଦ ୧୫୦୦୦ ଟଙ୍କା ଓ ଉପ ବିଜେତା ଦଳକୁ ଟ୍ରଫି ସହ ନଗଦ ୮୦୦୦ ଟଙ୍କା ଅତିଥି ମାନଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା । ଏହି ଟୁର୍ଣ୍ଣାମେଣ୍ଟକୁ ଶୁଭେନ୍ଦୁ ପଣ୍ଡା, ଶିଶିର ସାହୁ, ଦୀପକ ମିଶ୍ର, ପ୍ରିନ୍ସ ବହିଦାର, ଶୁଭମ ପ୍ରଧାନ, ରାଣା ସାହୁ, ରୋନକ ସାହୁ, ଅମନ ସିଂ, ରବୀନ୍ଦ୍ର ପ୍ରଧାନ, ଏମଡି ଗୁଲାମ୍ ଆରୁଷ ସିଂ ଓ ଲୋକେଶ ମିର୍ଦ୍ଧା ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ମାନସ ରଞ୍ଜନ ନାୟକ ଧନ୍ୟବାଦ ଅର୍ପଣ କରିବା ସହ ଟୁର୍ଣ୍ଣାମେଣ୍ଟର ସମାପ୍ତ ଘୋଷଣା କରିଥିଲେ ।