ବଲାଙ୍ଗିର, (କେପିଏନ୍ଏସ୍) : ପଶ୍ଚିମ ଓଡିଶାକୁ ବିଭିନ୍ନ କ୍ଷେତ୍ରରେ ଅବହେଳା କରାଯାଉଥିବା ଅଭିଯୋଗ ପୂର୍ବରୁ ଥିଲା । ଏହି ଅଭିଯୋଗରେ ବର୍ତ୍ତମାନ ସମ୍ବଲପୁର ରେଳ ଡିଭିଜନକୁ ରେଳ ବିଭାଗ ଅବହେଳା କରୁଥିବା ଫର୍ଦ୍ଦ ଯୋଡି ହୋଇଛି ବୋଲି ବଲାଙ୍ଗିରର ବିଶିଷ୍ଟ ସୂଚନା ଅଧିକାର କର୍ମୀ ହେମନ୍ତ କୁମାର ପଣ୍ଡା ଅଭିଯୋଗ କରିଛନ୍ତି । ସୂଚନା ଅଧିକାର ଆଇନ ବଳରେ ସମ୍ବଲପୁର ରେଳ ଡିଭିଜନ ଓ ଇଷ୍ଟକୋ୍ଷ୍ଟ ରେଳ ଜୋନ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟରୁ ଜଣାପଡିଛି ଯେ, ରେଳଯାତ୍ରୀଙ୍କୁ ଅତ୍ୟାଧୁନିକ ସୁବିଧା ସୁଯୋଗ ଯୋଗାଇଦେବା ପାଇଁ ସମ୍ବଲପୁର ରେଳ ଡିଭିଜନ ଅନ୍ତର୍ଗତ ୧୫ଟି ରେଳଷ୍ଟେସନର ନବୀକରଣ କାର୍ଯ୍ୟ ହାତକୁ ନିଆଯାଇଥିଲା । ଏହି ରେଳଷ୍ଟେସନ ଗୁଡିକ ହେଲା ବରପାଲି, କେସିଙ୍ଗା, ଖରିଆର ରୋଡ, ବଲାଙ୍ଗିର, କଣ୍ଟାବାଞ୍ଜି, ହରିଶଙ୍କର ରୋଡ, ଭବାନୀପାଟଣା, ସମ୍ବଲପୁର ସିଟି, ହୀରାକୁଦ, ବରଗଡ ରୋଡ, ଟିଟିଲାଗଡ, ଝାରସୁଗୁଡା ରୋଡ, ମହାସମୁନ୍ଦ, ମୁନିଗୁଡା ଓ ରେଢାଖୋଲ ଷ୍ଟେସନ । ଏହି ୧୫ଟି ଷ୍ଟେସନ ମଧ୍ୟରୁ କେବଳ ବରପାଲି ରେଳଷ୍ଟେସନର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ତଥ୍ୟରେ କୁହାଯାଇଛି । ଆସନ୍ତା ୩୧ ମାର୍ଚ୍ଚ ୨୦୨୬ ରେ ବଲାଙ୍ଗିର, କେସିଙ୍ଗା ଓ ଖରିଆର ରୋଡ ଷ୍ଟେସନର ନବୀକରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ବୋଲି କୁହାଯାଇଛି ହେଲେ ବଲାଙ୍ଗିର ରେଳଷ୍ଟେସନର ମନ୍ଥର ଗତି ନିର୍ମାଣ କାର୍ଯ୍ୟକୁ ଦେଖିଲେ ଶେଷ ହେବାର ଆଶା ଦେଖାଯାଉନାହିଁ ବୋଲି ଶ୍ରୀ ପଣ୍ଡା କହିଛନ୍ତି । ଅନ୍ୟାନ୍ୟ ରେଳଷ୍ଟେସନ ଗୁଡିକର ନବୀକରଣ କାର୍ଯ୍ୟ ମଇ, ଜୁନ, ସେପ୍ଟେମ୍ବର ଓ ଡିିସେମ୍ବର ମାସ ଶେଷ ସୁଦ୍ଧା ପର୍ଯ୍ୟାୟକ୍ରମେ ସମ୍ପୂର୍ଣ୍ଣ ହେବ ବୋଲି ସମ୍ବଲପୁର ରେଳ ଡିଭିଜନ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି । କାର୍ଯ୍ୟ ସମ୍ପୂର୍ଣ୍ଣ ପାଇଁ ନାମକୁ ମାତ୍ର ଧାର୍ଯ୍ୟ ସମୟ ଦିଆାଯାଇଥିବା ପ୍ରତୀୟମାନ ହେଉଛି ବୋଲି ସେ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ଖୋର୍ଦ୍ଧା ରେଳ ଡିଭିଜନର ୨୩ଟି ରେଳଷ୍ଟେସନର ନବୀକରଣ କାର୍ଯ୍ୟ ହାତକୁ ନିଆଯାଇଥିବା ବେଳେ ୧୧ଟି ରେଳଷ୍ଟେସନକୁ କାର୍ଯ୍ୟକ୍ଷମ କରାଯାଇସାରିଛି ବୋଲି ତଥ୍ୟ ପ୍ରଦାନ କରାଯାଇଛି । ସମ୍ବଲପୁର ରେଳ ଡିଭିଜନ ଅନ୍ତର୍ଗତ ରେଳଷ୍ଟେସନ ଗୁଡିକର ନବୀକରଣ କାର୍ଯ୍ୟ ପ୍ରତି ରେଳ ବିଭାଗର ଉଦାସୀନତା ମନୋଭାବ ତଥ୍ୟରୁ ସ୍ପଷ୍ଟ ଜଣାଡୁଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି । ପୁନଶ୍ଚ ପଣ୍ଡାଙ୍କୁ ମିଳିଥିବା ତଥ୍ୟରୁ ଜଣାପଡିଛି ଯେ, ବନ୍ଦେ ଭାରତ ନୂତନ ଟ୍ରେନ ସମ୍ବଲପୁର ରେଳ ଡିଭିଜନ ଦେଇ ନିକଟ ଭବିଷ୍ୟତରେ ଚଳାଚଳ କରିବା ପ୍ରସ୍ତାବ ରେଳ ବିଭାଗର ନାହିଁ । ସମ୍ବଲପୁର ରେଳ ଡିଭିଜନ ଅନ୍ତର୍ଗତ ରେଳଯାତ୍ରୀମାନଙ୍କୁ ଉନ୍ନତ ଯାତ୍ରୀ ସେବା ଯୋଗାଇବାରେ ରେଳ ବିଭାଗର ଉଦାସୀନତା ମନୋଭାବକୁ ଶ୍ରୀ ପଣ୍ଡା ନିନ୍ଦା କରିଛନ୍ତି ।