ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଗୁଡଭେଲା ବ୍ଲକ୍ ସମ୍ମିଳନୀ କକ୍ଷଠାରେ ଅରୁଣା ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ବଲାଙ୍ଗିରର ଆୟୋଜନ କ୍ରମେ ସରପଞ୍ଚ ଓ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀମାନଙ୍କ ପାଇଁ ପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷାର ଯୋଜନା ପ୍ରସ୍ତୁତି କରିବାକୁ ଏକ ତାଲିମ ଅନୁଷ୍ଠିତ କରାଯାଇଛି । ତାଲିମ ଆରମ୍ଭରୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ସାମାଜିକ କର୍ମୀ ସମସ୍ତଙ୍କୁ ସ୍ଵାଗତ ଜଣାଇ ବ୍ଲକ୍ ସ୍ତରୀୟ ଶିଶୁ ସୁରକ୍ଷା କମିଟିର କାର୍ଯ୍ୟକ୍ରମ ଉପରେ କିଶୋର ନ୍ୟାୟ ଆଇନ୍ ଉପରେ ଶିଶୁ ମାନଙ୍କର ଯତ୍ନ ଓ ସୁରକ୍ଷା ଉପରେ ଜଣାଇଥିଲେ । ଏହି ତାଲିମ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗୁଡ଼ଭେଲା ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗୁରେଶ୍ୱର୍ ଭୋଇ ଉପସ୍ଥିତ ରହି ଶିଶୁମାନଙ୍କ ପାଇଁ ଥିବା ଗ୍ରାମ ପଞ୍ଚାୟତ ବିକାଶ ପାଣ୍ଠିର ୫% ଯୋଜନା ରଖି ଶିଶୁଙ୍କ ପାଇଁ ଖର୍ଚ୍ଚ କରିବାକୁ ତାଲିମରେ ଜଣାଇଥିଲେ । ଏହି ଅବସରରେ ସମନ୍ଵିତ ଶିଶୁ ବିକାଶ ଅଧିକାରିଣୀ ବାସନ୍ତୀ ଜାନୀ ବାଲ୍ୟ ବିବାହ ନିଷେଧ ଆଇନ୍ ଉପରେ ଜଣାଇଥିଲେ । ତାଲିମରେ ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ସୁଧୀର ପାଢ଼ୀ ଉପସ୍ଥିତ ରହି ତାଲିମ୍ ନେଇ ଶିକ୍ଷା ଲାଭ କରି କାମରେ ଲଗାଇବା ପାଇଁ ସମସ୍ତ ସରପଞ୍ଚ ଓ ଇଓ ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟରେ ଅବସ୍ଥିତ ଥିବା ଅରୁଣାର ଜିଲ୍ଲା ପରାମର୍ଶଦାତା ପ୍ରମୋଦ ବଗର୍ତ୍ତି ତାଲିମର ଲକ୍ଷ୍ୟ ଓ ଲକ୍ଷ୍ୟ ଉପରେ ସରପଞ୍ଚ ଓ ଇଓ ମାନଙ୍କର ଭୂମିକା, ଦାୟିତ୍ଵ ଉପରେ ଜଣାଇଥିଲେ ଏବଂ ଆଶୀର୍ବାଦ, ଗ୍ରୀନ ପାସେଜ, ପୃଷ୍ଠ ପୋଷକତା ସହାୟତା ରାଶି, ଯଶୋଦା ଯୋଜନା ସମ୍ପର୍କରେ ଜଣାଇଥିଲେ । ଏହି ଅବସରରେ ସିଆରଏସର ସସ୍ମିତା ଭୋଇ ଗ୍ରାମ ପଞ୍ଚାୟତ ବିକାଶ ପାଣ୍ଠିର ଅନ୍ ଟାଏଡ ପାଣ୍ଠିର ୫ % ବିପଦ ସଙ୍କୁଳ ଅବସ୍ଥାରେ ଥିବା ଶିଶୁମାନଙ୍କୁ ଚିହ୍ନଟ କରି ପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷାର ଯୋଜନା ପ୍ରସ୍ତୁତି କରିବାକୁ ଗୋଷ୍ଠୀ ଭିତ୍ତିକ ଯୋଜନା ଓ ବ୍ୟକ୍ତିଗତ ଯୋଜନା ଉପରେ ଏକ ତାଲିମ ପ୍ରଦାନ କରିଥିଲେ । ଏହି ତାଲିମ ପ୍ରଦାନ ପୂର୍ବରୁ ଏବଂ ତାଲିମ ପରବର୍ତ୍ତୀ ପର୍ଯ୍ୟାୟରେ ୧୦ଟି ପ୍ରଶ୍ନ ପ୍ରସ୍ତୁତି କରି ସମସ୍ତ ସରପଞ୍ଚ ଓ ପିଇଓଙ୍କୁ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଗୁଡଭେଳା ବ୍ଲକର ୧୩ ଟି ଗ୍ରାମ ପଞ୍ଚାୟତର ସରପଞ୍ଚ, ଇଓ, ଏଡିଇଓ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ଚାଇଲ୍ଡ ହେଲ୍ପ ଲାଇନର ସୁଦାନ ଖମାରି ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ପରିଶେଷରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ସାମାଜିକ କର୍ମୀ ହରିବନ୍ଧୁ ରାଉତ୍ ଉପସ୍ଥିତ ରହି ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।