ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ସହ ବରଗଡ ସାଂସଦ ପ୍ରଦୀପ ପୁରୋହିତଙ୍କ ସାକ୍ଷାତ ଓ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା
ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ସାଂସଦ ପ୍ରଦୀପ ପୁରୋହିତ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ଡାକରା ପାଇ ତାଙ୍କୁ ବିଜେପିର କେନ୍ଦ୍ର କାର୍ଯ୍ୟାଳୟ ନୂଆଦିଲ୍ଲୀରେ ସାକ୍ଷାତ କରିଛନ୍ତି । ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ଜୀ ଓଡ଼ିଶା ବିଜେପି ସଂଗଠନ, ଆଗାମୀ ଦିନ କାର୍ଯ୍ୟକ୍ରମ ବିଭିନ୍ନ ବିଷୟରେ ସାଂସଦ ଶ୍ରୀ ପୁରୋହିତଙ୍କ ଠାରୁ ପଚାରି ବୁଝିଥିଲେ । ଆଗାମୀ ୨୫ ବର୍ଷ ପର୍ଯ୍ୟନ୍ତ ଓଡ଼ିଶାରେ ବିଜେପି ସରକାର ଓ ଶାସନ ଯେଭଳି ଅପ୍ରତିଦ୍ୱନ୍ଦୀ ଭାବେ ଛିଡା ହେବ ସେ ଦିଗରେ ଓଡ଼ିଶାର ସମସ୍ତ ସାଂସଦ, ବିଧାୟକ, ସରକାର ଓ ସଂଗଠନ ମିଳିତ ଭାବେ ରଣନୀତି ଓ ଯୋଜନା ପ୍ରସ୍ତୁତ କରିବା ଉଚିତ ବୋଲି ରାଷ୍ଟ୍ରୀୟ ଅଧ୍ୟକ୍ଷ ପରାମର୍ଶ ଦେଇଥିଲେ । ଏ ଅବସରରେ ସାଂସଦ ପ୍ରଦୀପ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ନୃସିଂହନାଥ ମନ୍ଦିରର ମହାପ୍ରଭୁଙ୍କ ଏକ ଫଟୋଚିତ୍ର ଉପହାର ଦେଇଥିଲେ । କଂଗ୍ରେସ ଦଳର ସରକାର ସମୟରେ ୧୯୮୩ ମସିହାରେ ଗନ୍ଧମାର୍ଦ୍ଦନ ପର୍ବତରୁ ବକସାଇଟ ଉତ୍ତୋଳନ ପାଇଁ ବାଲକୋକୁ ୪୭ ବର୍ଷର ଖଣି ପଟ୍ଟା ଦିଆଯାଇଥିଲା ଓ ଏକ ଐତିହାସିକ ଜନ ଆନ୍ଦୋଳନ ଯୋଗୁଁ ଗନ୍ଧମାର୍ଦ୍ଦନ ପର୍ବତରେ ସରକାର ଖଣି ଖୋଳିବାରେ କିଭଳି ବିଫଳ ହେଲେ ସେ ଐତିହାସିକ ଦୃଷ୍ଟିଭୂମି ଉପରେ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ସାଂସଦ ଶ୍ରୀ ପୁରୋହିତ ଅବଗତ କରାଇଥିଲେ ।