ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ ଦବଦବା ରହିଆସିଥିବା ବିଜେଡ଼ିଗଡ଼ ଏବେ ଖାଲି ହେବାରେ ଲାଗିଛି । ଚମକୁଛି ବିଜେପିର ବାନା, ଉଡୁଛି ଫର୍ ଫର୍, ସବୁଠି ଏବେ ପର୍ଯ୍ୟାୟ କ୍ରମେ ଚାଲିଛି,ବର୍ଣ୍ଣାଢ଼୍ୟ ସମାବେଶର ଅୟୋଜନରେ ବିଜେପିର ମିଶ୍ରଣ ପର୍ବ ପାଳନ ହୋଇଆସୁଛି । ଗଞ୍ଜାମ ଜିଲ୍ଲା ମହକୁମାରେ ଶୁକ୍ରବାର ଅନୁଷ୍ଠିତ ମିଶ୍ରଣ ପର୍ବରେ ଛତ୍ରପୁର ଓ ଗଞ୍ଜାମ ବ୍ଲକର ବହୁ ବରିଷ୍ଠ ନେତ୍ତୃବର୍ଗ ବିଜେପିରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି । ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗଞ୍ଜାମ ବ୍ଲକ ଏବଂ ଛତ୍ରପୁର ବ୍ଲକର ବହୁ ବରିଷ୍ଠ ନେତ୍ତୃବର୍ଗ ଶୁକ୍ରବାର ଆନୁଷ୍ଠାନିକ ଦଳୀୟ ସଭାରେ ବିଜେପିରେ ସାମିଲ ହୋଇଛନ୍ତି । ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକଙ୍କ ନେତୃତ୍ଵରେ ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁରସ୍ଥ ଶିବ କୁମାର ପଟ୍ଟନାୟକ ରିଡିଙ୍ଗ୍ ରୁମ୍ ପରିସରରେ ଶୁକ୍ରବାର ଆୟୋଜିତ ଏକ ସାନ୍ଧ୍ୟ ଭବ୍ୟ ସମାବେଶରେ ଭାରତୀୟ ଜନତାପାର୍ଟି ପକ୍ଷରୁ ଏକ ବର୍ଣ୍ଣାଢ଼୍ୟ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋହରେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ତଥା ଗଞ୍ଜାମ ଜିଲ୍ଲାର ପ୍ରଭାରୀ ଶାରଦା ଶତପଥୀ ମୁଖ୍ୟଅତିଥି ଭାବେ ଯୋଗଦେଇ ବିଜେପିରେ ସାମିଲ ହୋଇଥିବା ବହୁ ପ୍ରତିନିଧିଙ୍କୁ ଦଳୀୟ ଉତ୍ତରୀୟ ପ୍ରଦତ୍ତ ସାଂଗକୁ ଉପଢୌକନ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଯୁବ ବିଜେଡ଼ି ବ୍ଲକ ସଭାପତି ତଥା ସୁନ୍ଦରପୁର ଗ୍ରାମର ଦକ୍ଷ ବିଜେଡ଼ି ନେତା ସୁବାଷ ଚନ୍ଦ୍ର ନାହାକ (କାଳିଆ ନାହାକ) ସସ୍ତ୍ରୀକ ବିଜେପିରେ ମିଶିଛନ୍ତି । ଯାହାକି, ଛତ୍ରପୁର ବ୍ଲକ ପି.ଆର୍. ମେମ୍ବର ତଥା ୧୯ ନମ୍ବର ଜୋନ୍ ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ରଶ୍ମିତା ନାହାକ, ୨୧ ନମ୍ବର ଜୋନ୍ ଜିଲ୍ଲାପରିଷଦ ସଦସ୍ୟା ଶ୍ରୀମତୀ ଛବିତା ବେହେରା, ସୁନ୍ଦରପୁର ଅଞ୍ଚଳର ପୂର୍ବତନ ସମିତିସଭ୍ୟା ଶ୍ରୀମତୀ ସୁକାନ୍ତି ବେହେରା, ପୂର୍ବତନ ସରପଞ୍ଚ ସୋମନାଥ ବେହେରା, ପୂର୍ବତନ ସରପଞ୍ଚ ସୋନିଆ ବାଡ଼ତ୍ୟା, ପୋଡପଦର ସରପଞ୍ଚ ଶ୍ରୀମତୀ ସୁଜାତା ଦାସ ପ୍ରମୁଖ ବହୁ ପି.ଆର୍. ମେମ୍ବରଗଣ ବିଜେପିରେ ସାମିଲ୍ ହୋଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ବିଧାନସଭାର ପ୍ରାକ୍ତନ ବାଚସ୍ପତି ରାମଚନ୍ଦ୍ର ପଣ୍ଡା, ଛତ୍ରପୁର ବ୍ଲକ୍ ଉପାଧ୍ୟକ୍ଷା ସାଡ଼ିି ଶାରଦା ରେଡ୍ଡୀ, ରମ୍ଭା ପୌର ଅଧ୍ୟକ୍ଷା ଶ୍ରୀମତୀ ମାନସୀ ସ୍ୱାଇଁ, ଗଞ୍ଜାମ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଶର୍ମିଷ୍ଠା ପ୍ରଧାନ, ପୂର୍ବତନ ଗଞ୍ଜାମ ବ୍ଲକ୍ ଅଧ୍ୟକ୍ଷ ତଥା ଭାରତୀୟ ଖାଦ୍ୟ ନିଗମ ସଦସ୍ୟ ପ୍ରଶାନ୍ତ କୁମାର ନାୟକ, ବ୍ରହ୍ମପୁର ସାଂସଦ ପ୍ରତିନିଧି, ସନ୍ତୋଷ ରେଡ୍ଡୀ ଓ କ୍ଷତୀଶ ପଟ୍ଟନାୟକ, ଛତ୍ରପୁର ଓକିଲ୍ ସଂଘ ସଭାପତି ପ୍ରଦୀପ କୁମାର ପାଢ଼ୀ, ଏନ୍. ଦୁର୍ଯ୍ୟୋଧନ ରେଡ୍ଡୀ ପ୍ରମୁଖ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗଦେଇ ବିଜେପି ସରକାରଙ୍କ ଉଦ୍ଦେଶ୍ୟ ଓ ଆଦର୍ଶ ଚିନ୍ତାଧାରା ଉପରେ ଆଲୋକପାତ କରିଥିଲେ । ବିଜେପି ଜିଲ୍ଲା ସଭାପତି ସରୋଜ ସାବତ ଯୋଗଦେଇ ଆଗମୀ ଦିନରେ ପୌର ନିର୍ବାଚନ ଏବଂ ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଆହୁରି ଦଳକୁ ମଜବୁତ୍ କରାଯିବା ସହିତ ସମଗ୍ର ଗଞ୍ଜାମ ଜିଲ୍ଲାରେ ବିଜେପି ସଦସ୍ୟଙ୍କ ବହୁଳ ମିଶ୍ରଣ ପର୍ବ କରି ଅନେକଙ୍କୁ ସାମିଲ୍ କରାଯିବ, ଏବଂ ଦଳକୁ ସୁଦୃଢ କରାଯିବ ବୋଲି କହିଛନ୍ତି । ଏପରିକି ଦଳୀୟ ବିଜେପିରେ ସଂଖ୍ୟା ଗରିଷ୍ଠତା ହାସଲ କରିବା ନିମନ୍ତେ ବିହିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଏହି ଆନୁଷ୍ଠାନିକ କାର୍ଯ୍ୟକ୍ରମରେ ଯୋଗଦେଇ ବିଜେପି ଜିଲ୍ଲା ସଭାପତି ସରୋଜ ସାବତ ଏହି ଗଣମାଧ୍ୟମକୁ କହିଛନ୍ତି ।