ସମରେନ୍ଦ୍ରଙ୍କ ବନ୍ଧୁମିଳନ : ଯୋଗ ଦେଲେ ବଲାଙ୍ଗିର ଓ ଲୋଇସିଂହା ନିର୍ବାଚନ ମଣ୍ଡଳିର କଂଗ୍ରେସ କର୍ମୀ ଓ ନେତା

  • ନରସିଂହ ଓ କଂଗ୍ରେସ ବଲାଙ୍ଗିର ପାଇଁ ବିକାଶ ଆଣିଛନ୍ତି – ସମରେନ୍ଦ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ୨୦୧୪ ମସିହା ପୂର୍ବବର୍ତ୍ତୀ ବଲାଙ୍ଗିର ଓ ୨୦୧୪ରୁ ୨୦୨୪ ଦଶ ବର୍ଷର ବଲାଙ୍ଗିରର ଅବସ୍ଥା କେବଳ ଆମ ଅଂଚଳର ଲୋକ ନୁହନ୍ତି, ସାରା ରାଜ୍ୟ ଦେଖିଛି । ନରସିଂହ ମିଶ୍ରଙ୍କ ନେତୃତ୍ୱରେ ବଲାଙ୍ଗିର ନିର୍ବାଚନ ମଣ୍ଡଳି ଅଦ୍ଭୁତପୂର୍ବ ବିକାଶ ଜିଲ୍ଲାର ଅନ୍ୟ ନିର୍ବାଚନ ମଣ୍ଡଳି ତଥା ପାଶ୍ୱର୍ବର୍ତ୍ତୀ ଜିଲ୍ଲା ମାନଙ୍କରେ ମଧ୍ୟ ଚର୍ଚ୍ଚାର ବିଷୟ ଥିଲା । ତେଣୁ ଆମମାନଙ୍କ ପାଇଁ ରାଜନୀତି କରିବା କେବଳ ପଦ ପଦବୀ କିମ୍ବା ନିର୍ବାଚନରେ ଟିକେଟ ହାତେଇବା ନୁହେଁ, ଆମ ରାଜନୀତି ଲୋକଙ୍କ ପାଇଁ ଶିକ୍ଷା, ସ୍ୱାସ୍ଥ୍ୟ, ଜଳସେଚନ, ଗମନାଗମନ ଓ ଅଂଚଳର ଅର୍ଥନୈତିକ ବିକାଶର ବାଟ ଦେଖାଇବା ପାଇଁ ହୋଇଥାଏ । ମୁଁ ଦୃଢତା ସହ କହିବି ନରସିଂହ ମିଶ୍ର ଓ କଂଗ୍ରେସ ଦଳର ରାଜନୀତି ବଲାଙ୍ଗିର ପାଇଁ ଅନେକ ବିକାଶ ଆଣିଛି ବୋଲି ସ୍ଥାନୀୟ ଏକ ହୋଟେଲରେ ଆୟୋଜିତ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମରେ ଗତ ନିର୍ବାଚନର ବିଧାୟକ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର ନିଜ ବକ୍ତବ୍ୟରେ ଉପସ୍ଥିତ କଂଗ୍ରେସ କର୍ମୀମାନଙ୍କୁ କହିଛନ୍ତି । ଏ ଅବସରରେ ସମରେନ୍ଦ୍ର ଏହା ମଧ୍ୟ କହିଛନ୍ତି ଯେ, ଯଦି ରାଜ୍ୟରେ ଆମେ କଂଗ୍ରେସ ସରକାର ଆଣିବାକୁ ଚାହୁଁଛୁ ତେବେ ତୃଣମୂଳ ସ୍ତରରୁ ପଂଚାୟତ ନିର୍ବାଚନରେ ଆମକୁ ଜିତିବାକୁ ପଡିବ । ପରିବର୍ତ୍ତୀତ ରାଜନୈତିକ ପରିସ୍ଥିତିରେ ନିଜକୁ ଖାପ ଖୁଆଇ ପ୍ରତ୍ୟେକ ଗାଁ, ପ୍ରତ୍ୟେକ ପଂଚାୟତରେ ଆମେ ଆହୁରି ଶକ୍ତିଶାଳୀ ହେବାକୁ ପଡିବ । ନିର୍ବାଚନରେ ଟିକେଟ ଯିଏ ବି ପାଉ ତାକୁ ସମସ୍ତ ପ୍ରକାର ସହଯୋଗର ହାତ ବଢାଇବାକୁ ପଡିବ ବୋଲି ସେ କହିଥିଲେ । ବନ୍ଧୁମିଳନ ଉତ୍ସବରେ ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ରଙ୍କ ଯୋଗଦାନ ଉପସ୍ଥିତ ସମସ୍ତ କର୍ମୀ ଓ କର୍ମକର୍ତ୍ତାମାନଙ୍କୁ ଅନେକ ଉତ୍ସାହ ପ୍ରଦାନ କରିଥିଲା । ଏ ଅବସରରେ ନରସିଂହ କହିଥିଲେ ସମଗ୍ର କଂଗ୍ରେସ ପରିବାର ଏକଜୁଟ ହୋଇ ଲୋକଙ୍କ ପାଇଁ କାମ କରନ୍ତୁ । ଲୋକଙ୍କ ପାଇଁ କାମ କରିବା ହିଁ ପ୍ରକୃତ ରାଜନୀତି ଅଟେ ଏବଂ ଏହା ମାଧ୍ୟମରେ ଆମେ ନିଜ ମଧ୍ୟରେ ଏକତା ବୃଦ୍ଧି କରିବା ସହ କଂଗ୍ରେସ ଦଳକୁ ଆହୁରି ଶକ୍ତିଶାଳି କରିପାରିବା ବୋଲି ଶ୍ରୀ ମିଶ୍ର କହିଥିଲେ । ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ଦେଓଗାଁ ବ୍ଲକ, ବଲାଙ୍ଗିର ସଦର ବ୍ଲକ, ପୁଇଁନ୍ତଲା, ଲୋଇସିଂହା ଓ ଆଗଲପୁର ବ୍ଲକରୁ ସମସ୍ତ ପଂଚାୟତର ପ୍ରତିନିଧି ଓ କଂଗ୍ରେସ କର୍ମୀମାନେ ଉପସ୍ଥିତ ହୋଇ ଆଗାମୀ ଦିନର କାର୍ଯ୍ୟକ୍ରମକୁ ନେଇ ମତାମତ ପ୍ରଦାନ କରିଥିଲେ । ଏ ଅବସରରେ ଦେଓଗାଁ ବ୍ଲକ ସଭାପତି ରାମଜୀ ଚୌଧୁରୀ, ବଲାଙ୍ଗିର ନଗର ସଭାପତି ବୁଲୁ ଦାନି, ଜିଲ୍ଲା କଂଗ୍ରେସ ସଂପାଦକ ଟିକିରି ନାଗ, ଜ୍ୟୋତିଷ ମୁଗ୍ରୀ ପ୍ରମୁଖଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଆଜିର ଏହି ବନ୍ଧୁମିଳନ କାର୍ଯ୍ୟକ୍ରମକୁ ବରିଷ୍ଠ କଂଗ୍ରେସ ନେତା ଉମାଶଙ୍କର ପଣ୍ଡା ପରିଚାଳନା କରିଥିବା ବେଳେ ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ଦିଲୀପ ବେହେରା, ଅଶୋକ ନନ୍ଦ, ବରିଷ୍ଠ କଂଗ୍ରେସ ନେତା ପୁରନ୍ଦର ଦାଶ, ରାଜ କିଶୋର ବାବୁ, ଲୋଇସିଂହା ବିଧାନସଭା ବିଧାୟକ ପ୍ରାର୍ଥୀ ଓମ୍‌ ପ୍ରକାଶ କୁମ୍ଭାର ପ୍ରମୁଖ ମଂଚାସୀନ ଥିଲେ । କାର୍ଯ୍ୟକ୍ରମରେ ୫୦୦ରୁ ଅଧିକ କଂଗ୍ରେସ କର୍ମୀ ବିଭିନ୍ନ ଅଂଚଳରୁ ଆସି ନିଜ ମତାମତ ପ୍ରଦାନ କରିଥିଲେ ।

Leave A Reply

Your email address will not be published.