ମହାଶିବରାତ୍ରୀ ପାଇଁ ସଜେଇ ହେଉଛି ବିଭିନ୍ନ ଶୈବପୀଠ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : ଆଉ ଦିନକ ପରେ ଆସୁଛି ମହାଶିବରାତ୍ରୀ ବା ଜାଗର ଯାତ୍ରା, ଏନେଇ କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳରେ ଥିବା ବିଭିନ୍ନ ଶୈବପୀଠ ଗୁଡିକରେ ପ୍ରସ୍ତୁତି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ଦେଖିବାକୁ ମିଳିଛି । ଚଳିତ ବର୍ଷ ଜାଗର ଯାତ୍ରାକୁ ସୁରୁଖୁରୁରେ କିପରି ପାଳନ କରିବେ ସେନେଇ ସମସ୍ତ ଶୈବପୀଠ ପରିଚାଳନା କମିଟି ପକ୍ଷରୁ ପ୍ରସ୍ତୁତି ଶେଷ ସହ କାର୍ଯ୍ୟସୂଚୀ ମଧ୍ୟ ପ୍ରକାଶ ପାଇଛି । ଟାଉନର ବିରୁପାକ୍ଷ, ରାମେଶ୍ୱର, ଧବଳେଶ୍ୱର, ଜାଲେଶପଟ୍ଟାର ଜଳେଶ୍ୱର, ଚକାପାଦର ବିରୁପାକ୍ଷ, ଟିକାବାଲି ନିକଟସ୍ଥ ଡୁଙ୍ଗିର ପ୍ରସିଦ୍ଧ ଶୈବପୀଠ ସମେତ ଅନ୍ୟ ଶୈବପୀଠରେ ନାମଯଜ୍ଞ, ଅନ୍ନଯଜ୍ଞ, ଘୃତଯଜ୍ଞ ଆୟୋଜନ ହେଉଥିବା ବେଳେ ଆଉ କେତେକ ଶୈବପୀଠ ଗୁଡିକରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜନ କରାଯିବା ପାଇଁ ସ୍ଥିର କରାଯାଇଛି । ଏ ବର୍ଷ ଶୈବପୀଠ ଗୁଡିକରେ ପ୍ରବଳ ଭିଡ଼ ହେବାର ସମ୍ଭାବନା ରହିଥିବାରୁ ଶ୍ରଦ୍ଧାଳୁ କିପରି ଶାନ୍ତିଶୃଙ୍ଖଳାର ସହ ମହାଦେବଙ୍କ ଦର୍ଶନ କରିବେ ଓ ଯଥା ରୀତିନୀତି ପ୍ରକାରେ ପୂଜାର୍ଚ୍ଚନା ସହ ଠିକ୍ ସମୟରେ ଯେପରି ମହାଦୀପ ଉଠିବ ଏବଂ ଆଇନ ଶୃଙ୍ଖଳା ପରିସ୍ଥିତିକୁ ତଦାରଖ ପାଇଁ ଯୋଜନା ମଧ୍ୟ ପ୍ରସ୍ତୁତ ହୋଇଛି । ଏଥିସହ ମନ୍ଦିର ଗୁଡ଼ିକର ସୌନ୍ଦର୍ଯ୍ୟକରଣ ପାଇଁ ଆଲୋକୀକରଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ତେବେ ଶ୍ରଦ୍ଧାଳୁମାନେ ଜାଗର ପାଳନ ପାଇଁ ଉତ୍କଣ୍ଠା ସହ ଅପେକ୍ଷା କରିଥିବା ଜଣାଯାଇଛି ।

Leave A Reply

Your email address will not be published.