ଶ୍ରୀ ଶ୍ରୀ କାଶୀ ବିଶ୍ଵନାଥ ଓ ମା’ ଲକ୍ଷ୍ମୀଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର ବଡ଼ବଜାର ସ୍ଥିତ ବୃନ୍ଦାବନ ବିହାରୀ ମନ୍ଦିର ପରିସରରେ ଶ୍ରୀ ଶ୍ରୀ କାଶୀ ବିଶ୍ଵନାଥ ଓ ମା’ ଲକ୍ଷ୍ମୀଙ୍କ ନୂତନ ମନ୍ଦିର ବିଗ୍ରହ ପ୍ରତିଷ୍ଠା ଉତ୍ସବ ବୈଦିକ ବିଧି ତଥା ରୀତିନୀତିରେ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ସୋମବାର ଦିନ ଠାରୁ ବୁଧବାର ଯାଏଁ ଏହି ମନ୍ଦିରରେ ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ୯ ତାରିଖ ଦିନ ଶୁଭ ଖମ୍ବ ସ୍ଥାପନା ଓ ଅଙ୍କୁରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥବା ବେଳେ ୧୦ ତାରିଖ ଦିନ ସ୍ଥାନୀୟ ମହାନଦୀ ରାଜାଘାଟ ଠାରୁ ଏକ ବିଶାଳ କଳସ ଶୋଭାଯାତ୍ରା ବାହାରି ବୃନ୍ଦାବନ ବିହାରୀ ମନ୍ଦିର ଯାଏଁ ପହଞ୍ଚିଥିଲା । ଶହ ଶହ ମହିଳା ଏହି ଶୋଭାଯାତ୍ରାରେ ସାମିଲ ଥିବା ବେଳେ ପ୍ରତିଷ୍ଠା ଉତ୍ସବ କମିଟି ସଦସ୍ୟା ସୁନନ୍ଦା ସାହୁ ଓ ମୁଖ୍ୟ ପୂଜକ ପଣ୍ଡିତ ରାଜେନ୍ଦ୍ର ମହାପାତ୍ରଙ୍କ ତତ୍ୱାବଧାନରେ ଏହା ଅନୁଷ୍ଠିତ ହୋଇଥିଲା । ୧୧ ତାରିଖ ଦିନ ଭୋରରେ ନିତ୍ୟ ପୂଜା, ସୂର୍ଯ୍ୟ ପୂଜା, ଗୋ ବ୍ରାହ୍ମଣ ଗୁରୁ ପୂଜନ, ଯଜ୍ଞକର୍ମ, ଶ୍ରୀରାମ ଓ ଶିବ ସହସ୍ର ନାମ, ତୁଳସୀ ରାମାୟଣ ଆଦି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପରେ ପରେ ବୃଷଭ ସହ ବିଗ୍ରହଙ୍କ ଜୀବନ୍ୟାସ, ମନ୍ଦିର ପରିକ୍ରମା ମନ୍ଦିର ପ୍ରତିଷ୍ଠା ଓ କଳସ ପ୍ରତିଷ୍ଠା ଅନୁଷ୍ଠିତ ହୋଇଥିଲା । ପରେ ରତ୍ନ ସିଂହାସନରେ ବିଗ୍ରହ ସ୍ଥାପନା, ରୁଦ୍ରାଭିଷେକ ସହ ଯୁଗଳ ମୂର୍ତ୍ତିଙ୍କ ଦର୍ଶନରେ ହଜାର ଭକ୍ତଙ୍କ ସମାଗମ ହୋଇଥିଲା । ପରେ ପରେ ପୂର୍ଣ୍ଣାହୁତି ପୁଷ୍ପାଞ୍ଜଳି ସହ ସାମୁହିକ ପ୍ରସାଦ ସେବନରେ ସହର ତଥା ଦୂର ଦୂରାନ୍ତରୁ ହଜାର ହଜାର ଭକ୍ତ ଶ୍ରଦ୍ଧାଳୁ ସାମିଲ ହୋଇ ପ୍ରଭୂ କୃପା ଲାଭ କରିଥିଲେ । ମୁଖ୍ୟ ପୂଜକ ଭାବେ ପଣ୍ଡିତ ରାଜେନ୍ଦ୍ର କୁମାର ମହାପାତ୍ର ଦାୟିତ୍ଵ ତୁଲାଇଥିବା ବେଳେ ଅନ୍ୟ ସମସ୍ତ ପଣ୍ଡିତ ସହଯୋଗ କରିଥିଲେ । ବିଭିନ୍ନ ବିଗ୍ରହ ପ୍ରତିଷ୍ଠା ଯଜ୍ଞ କାର୍ଯ୍ୟରେ କର୍ତ୍ତା ଭାବେ ଶାନ୍ତିଲତା ସାହୁ ଓ ରାଜେନ୍ଦ୍ର ସାହୁ, ମନିଷା ସାହୁ ଓ ମନୋଜ ସାହୁ, ଜିତୁରାଣୀ ସାହୁ ଓ ବିକାଶ ସାହୁ, ପ୍ରମିତା ତ୍ରିପାଠୀ ଓ ଜୟରାମ୍ ତ୍ରିପାଠୀ, ସଂଯୁକ୍ତା ଅଗ୍ରୱାଲ ଓ କିଷନ ଅଗ୍ରୱାଲ, ତାମସି ତାମସ୍ମିତା ସାହୁ ଓ ପ୍ରକାଶ ସାହୁ, ଜ୍ୟୋତ୍ସ୍ନା ଅଗ୍ରୱାଲ ଓ ସଞ୍ଜୀବ ଅଗ୍ରୱାଲ, ଜ୍ୟୋତ୍ସ୍ନା ମେହେର ଓ ସନ୍ତୋଷ ମେହେର, ପ୍ରୀତିମୟୀ ସାହୁ ଓ ଅନିଲ ସାହୁ, ଲିପିନା ସାହୁ ଓ ସୁନିଲ ସାହୁ, ଶ୍ରୀତମ ମହାପାତ୍ର, ରଞ୍ଜିତା ରାୟଗୁରୁ ଓ କୃପାନିଧି ରାୟଗୁରୁ, ଶ୍ରାବଣୀ ରାଓ ଓ ରାଜୁ ରାଓ ଦାୟିତ୍ଵ ବହନ କରି ଯଜ୍ଞ କାର୍ଯ୍ୟରେ ସହଯୋଗ କରିଥିଲେ । ମନ୍ଦିର କମିଟି ସଭାପତି କୃପାନିଧି ରାୟଗୁରୁ ଓ ସଂପାଦକ ଦୁର୍ଯ୍ୟୋଧନ ସାହୁଙ୍କ ସମେତ କମିଟିର ସମସ୍ତ ସଦସ୍ୟ ଏହି ପ୍ରତିଷ୍ଠା ଉତ୍ସବରେ ସହଯୋଗ କରିଥିଲେ । ସନ୍ଧ୍ୟାରେ ମନ୍ଦିର ପରିସରରେ ସୁନ୍ଦରାକାଣ୍ଡ ଓ ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମ ପାଲା ପରିବେଷଣ ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.