ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଗତକାଲି ସନ୍ଧ୍ୟା ସମୟରେ ସୋନପୁର ସହରର କୌଣସି ଏକ ବଡ଼ ବ୍ୟବସାୟ ପ୍ରତିଷ୍ଠାନରେ ଡକାୟତି ଉଦ୍ଦେଶ୍ୟରେ ୫-୬ ଜଣ ସନ୍ଦିଗ୍ଧ ବ୍ୟକ୍ତି ଯୋଜନା କରୁଥିବା ସୋନପୁର ଥାନାକୁ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିଲା । ବନ୍ଧୁକ ଓ ବିଭିନ୍ନ ମାରଣାସ୍ତ୍ର ଧରି ସେମାନେ ଗୋଟିଏ ନାଲି ରଙ୍ଗର କାରରେ ବୁଲୁଥିବା ଖବର ପାଇ ସୋନପୁର ସଦର ପୋଲିସ ତତ୍ପର ହୋଇ ଉଠିଥିଲା । ଥାନା ଭାରପ୍ରାପ୍ତ ଅଧିକାରୀ ଯାଦବ ବାଗଙ୍କ ନେତୃତ୍ୱରେ ପୋଲିସ ଟିମ୍ ସହରର ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ । ଏହି ସମୟରେ ସହରର ନଳିନୀ ଛକ ପଟରୁ ବିଜୁ ପଟ୍ଟନାୟକ ଛକ ପଟକୁ ଗୋଟିଏ ନାଲି ରଙ୍ଗର ଗାଡ଼ି ଯାହାର ନମ୍ବର ଓଆର୍୦୫ ଏଡ଼ି ୦୯୩୩ ପୋଲିସ ଟିମକୁ ଦେଖି ଖସି ପଳାଇ ଯିବାକୁ ଚେଷ୍ଟା କରୁଥିଲେ । କୌଶଳ କ୍ରମେ ପୋଲିସ ଟିମ୍ ଉକ୍ତ ଗାଡ଼ିକୁ ଅଟକ ରଖିବା ସହ ଗାଡି ଚଳାଉ ଥିବା ଅଭିଯୁକ୍ତ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଚମ୍ପାମାଳ ଅଞ୍ଚଳର ଭିକି ଓରଫ ଶୁଭମ୍ ପ୍ରିତମ ହୋତା(୨୫)ଙ୍କ ଠାରୁ ଗୋଟିଏ ବନ୍ଧୁକ ଚାରିଟି ଜୀବନ୍ତ ଗୁଳି ସହିତ ଗୋଟିଏ ମାଗାଜିନ୍ ମିଳିଥିଲା ବେଳେ ଗାଡିରେ ବସିଥିବା ଉଲୁଣ୍ଡା ଥାନା ପତ୍ରାପାଲି ଗ୍ରାମର ଦେବାଶିଷ ପଣ୍ଡା(୨୮)ଙ୍କ ଠାରୁ ଗୋଟିଏ ଛୁରୀ ଏବଂ ଅନ୍ୟତମ ଅଭିଯୁକ୍ତ ସୋନପୁର ଥାନା ତଥା ସୋନପୁର ସହରର ବ୍ଲକ ଛକ ଅଞ୍ଚଳର ସୋନୁ ଓରଫ ଶୁଭ୍ରାଂଶୁ ଶେଖର କୁମ୍ଭାର(୨୬)ଙ୍କ ଠାରୁ ଗୋଟିଏ ଦେଶୀ ପିସ୍ତଲ ସହିତ ୨ ଗୋଟି ଜୀବନ୍ତ ଗୁଳି ମିଳିଥିଲା । ଶେଷରେ ଗାଡ଼ି ତଲାସି ସମୟରେ ଏକ ଲୁହା କୁରାଢ଼ି ଓ ଜୀବନ୍ତ ବୋମା ମିଳିଥିବା ବେଳେ ସନ୍ଦିଗ୍ଧ ମାନଙ୍କ ପାଖରୁ ନଗଦ ୩୯,୩୦୦ଟଙ୍କା ମଧ୍ୟ ମିଳିଥିଲା । ଏହି ଜିନିଷ ବାବଦରେ ଅଭିଯୁକ୍ତମାନେ କୌଣସି ସନ୍ତୋଷ ଜନକ ଉତ୍ତର ଦେଇପାରିନଥିବା ବେଳେ ଜିନିଷ ଗୁଡିକ ସେମାନଙ୍କ ଠାରୁ ଜବତ କରାଯିବା ସହ ଯୁବକମାନଙ୍କୁ ଗିରଫ କରାଯାଇଛି । ସୋନପୁର ପୋଲିସ ଏନେଇ ଥାନାରେ ଏକ ମାମଲା କେସ ନଂ.୪୮/୨୦୨୬ ଆର୍ମସ୍ ଆକ୍ଟ ଓ ଏକ୍ସପ୍ଲୋସିଭ୍ ଆକ୍ଟରେ ରୁଜୁ କରିଛି । ଅଭିଯୁକ୍ତ ଶୁଭ୍ରାଂଶୁ ଓ ଶୁଭମ୍ଙ୍କ ନାମରେ ପୂର୍ବରୁ ଆପରାଧିକ ମାମଲା ଥିବା ପୋଲିସ କହିଛି । ଏହି କେସର ତଦନ୍ତ ଏସଆଇ ରୋହନ କୁମାର ପ୍ରଧାନ କରୁଥିବା ବେଳେ ଆସାମୀ ମାନଙ୍କ ଠାରୁ ମିଳିଥିବା ବନ୍ଧୁକ, ମାରଣାସ୍ତ୍ର ଓ ବୋମାର ମୂଳ ଉତ୍ସ, ଚାଲାଣ ଓ ବ୍ୟବହାର ବାବଦରେ ଅଧିକ ତଦନ୍ତ ଚାଲିଛି ବୋଲି ଏସପି ନାରାୟଣ ନାୟକ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିବା ବେଳେ ଏହି ଅବସରରେ ଆଡିସିନାଲ୍ ଏସପି କେ.କେ ହରିପ୍ରସାଦ ଓ ସଦର ଥାନା ଆଇଆଇସି ଯାଦବ ବାଗ ଉପସ୍ଥିତ ଥିଲେ ।