- ଏପ୍ରିଲ ୧୬ ରୁ ମେ ୧୫ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟରେ ଗୃହତାଲିକା ଓ ଗୃହ ଗଣନା କାର୍ଯ୍ୟ ଆରମ୍ଭ ହେବ ।
ବାରିପଦା, (ଦେବସ୍ମିତ ଚୌଧୁରୀ) : ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଅତିରିକ୍ତ ଜିଲ୍ଲାପାଳ ଦୁଃଖବନ୍ଧୁ ନାୟକଙ୍କ ଅଧ୍ୟକ୍ଷତାରେ ୨୦୨୭ ଜନଗଣନା ପାଇଁ ଜିଲ୍ଲା ସ୍ତରୀୟ ଜନଗଣନା ଅଧିକାରୀଙ୍କ ସମୀକ୍ଷା ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବାରିପଦା ଉପଜିଲ୍ଲାପାଳ ଡ. ଦୟାସିନ୍ଧୁ ପରିଡା, କପ୍ତିପଦା ଉପଜିଲ୍ଲାପାଳ ସୁଶାନ୍ତ କୁମାର ବାରିକ, ଭୁବନେଶ୍ୱର ଜନଗଣନା ନିର୍ଦ୍ଦେଶାଳୟର ସହକାରୀ ନିଦେ୍ର୍ଦ୍ଦଶକ ପ୍ରଫୁଲ୍ଲ କୁମାର ଦାସ, ପରିସଂଖ୍ୟାନ ଅନୁସନ୍ଧାନକାରି ମୋହନ ଚନ୍ଦ୍ର ପୁରୁଧୁଲ ଓ ତନ୍ମୟ ଗୁପ୍ତା ଯୋଗଦେଇଥିଲେ । ଏହି ଅବସରରେ ସହକାରୀ ନିର୍ଦ୍ଦେଶକ ଶ୍ରୀ ଦାସ କହିଥିଲେ ଯେ ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ପ୍ରତ୍ୟେକ ୧୦ ବର୍ଷରେ ଦେଶରେ ଜନଗଣନା କରାଯାଇଥାଏ । ଶେଷଥର ପାଇଁ ଏହା ୨୦୧୧ ମସିହାରେ ଅନୁଷ୍ଠିତ ହୋଇଥିଲା । ମହାମାରୀ କୋଭିଡ ପାଇଁ ୨୦୨୧ ମସିହାରେ ଜନଗଣନା ହୋଇ ପାରିନଥିଲା ଯାହାକି ୨୦୨୭ ମସିହାରେ ହେବାକୁ ଯାଉଛି । ଜନଗଣନା ମୁଖ୍ୟତଃ ୨ଟି ପର୍ଯ୍ୟାୟରେ ହେବ । ପ୍ରଥମ ପର୍ଯ୍ୟାୟରେ ଜନଗଣନା ହେବା ପୂର୍ବରୁ ଏହାର ପ୍ରଥମ ଉପକ୍ରମ ଭାବେ ଏକ ବର୍ଷ ପୂର୍ବରୁ ଗୃହ ଜନଗଣନା କାର୍ଯ୍ୟ ହେବ ଯାହାକି ଚଳିତ ବର୍ଷ ୧୬ ଏପ୍ରିଲରୁ ମେ ମାସ ୧୫ ତାରିଖ ପର୍ଯ୍ୟନ୍ତ ୩୦ ଦିନ ମଧ୍ୟରେ ହେବ ଏହି କ୍ରମରେ ଗୃହ ତାଲିକା ଓ ଗୃହ ଗଣନା ହେବ । ଜଣେ ନାଗରିକ ଚାହିଁଲେ ସେନସସ ପୋର୍ଟାଲରେ ଲଗଇନ କରି ନିଜ ତଥ୍ୟ ଅପଲୋଡ଼ କରି ଆତ୍ମ ଗଣନା କରିପାରିବେ । ଜଣେ ସଚେତନ ନାଗରିକ ହିସାବରେ ନିଜର ସମସ୍ତ ତଥ୍ୟ ସଠିକ ଓ ସ୍ୱଚ୍ଛ ଭାବେ ପ୍ରଦାନ କରିବାକୁ ପରାମର୍ଶ ଦେଇଥିଲେ । ଏହି ଆତ୍ମ ଗଣନା ସୁବିଧା ପୋର୍ଟାଲରେ ଚଳିତ ବର୍ଷ ଏପ୍ରିଲ ୧ତାରିଖ ରୁ ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ଉପଲବ୍ଧ ହେବ । ଏହା ପରଠାରୁ ନିୟୋଜିତ ହୋଇଥିବା ଅଧିକାରୀଙ୍କ ଦ୍ୱାରା ମୋବାଇଲ ଆପ ଜରିଆରେ ଘରକୁ ଘର ଯାଇ ତଥ୍ୟ ଅଣାଯିବ । ସେହିପରି ଦ୍ଵିତୀୟ ପର୍ଯ୍ୟାୟରେ ଆସନ୍ତା ୨୦୨୭ ମସିହା ଫେବୃଆରୀ ୯ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ଜନଗଣନା ହେବ ଏବଂ ୧ ମାର୍ଚ୍ଚରୁ ୫ ମାର୍ଚ୍ଚ ପର୍ଯ୍ୟନ୍ତ ସଂଶୋଧନ ରାଉଣ୍ଡ ଅନୁଷ୍ଠିତ ହେବ । ମାତ୍ର ବର୍ତ୍ତମାନ ପାଇଁ ଗୃହ ଗଣନା ପରିପ୍ରେକ୍ଷୀରେ ମୁଖ୍ୟ କାର୍ଯ୍ୟ ହେଉଛି ଗୃହତାଲିକା ବ୍ଲକ ପ୍ରସ୍ତୁତି । ଏହି କାର୍ଯ ପାଇଁ ୭୦୦ ରୁ ୮୦୦ ଜନସଂଖ୍ୟା ବିଶିଷ୍ଠ କିମ୍ବା ୧୫୦ ରୁ ୧୮୦ ଗୃହଥିବା ଗ୍ରାମକୁ ଗୋଟିଏ ଗୃହତାଲିକା ବ୍ଲକ ଭାବେ ନେଇ ପ୍ରତ୍ୟେକ ୬ଟି ଗୃହତାଲିକା ବ୍ଲକକୁ ନେଇ ଗୋଟିଏ ସାର୍କଲ ପ୍ରସ୍ତୁତ ହେବ । ଜଣେ ସୁପରଭାଇଜର ଅଧୀନରେ ୬ ଜଣ ଗଣନାକାରି ରହିବେ । ଗୃହଗଣନା କାର୍ଯ୍ୟରେ ଯଦି କିଛି ପ୍ରତିବନ୍ଧକ ଦେଖାଦେବ ତେବେ ଚାର୍ଜ ଅଫିସର ସ୍ଥାନୀୟ ଅଂଚଳରେ ଆର ଆଇ, ଅମିନ, କାଉନସିଲରମାନଙ୍କ ସହାୟତା ନେଇ ଏହାର ସମାଧାନ କରିବେ । ଗୃହ ତାଲିକା ବ୍ଲକ ପ୍ରସ୍ତୁତ ସମୟରେ ଅପହଞ୍ଚ ଓ ଦୁର୍ଗମ ଅଂଚଳ ପ୍ରତି ମଧ୍ୟ ଧ୍ୟାନ ଦିଆଯିବ । ଏହାର ସୁପରିଚାଳନ ପାଇଁ ପିରାମିଡ଼ ଆଧାରରେ ଜାତୀୟ ପ୍ରଶିକ୍ଷକ, ମାଷ୍ଟର ପ୍ରଶିକ୍ଷକ, କ୍ଷେତ୍ର ପ୍ରଶିକ୍ଷକ, ଗଣନାକାରି ଓ ସୁପରଭାଇଜର ନିୟୋଜିତ କରାଯିବା ବ୍ୟବସ୍ଥା ରହିଛି । ଆଗାମୀ ଦିନରେ ମାଷ୍ଟର ଟ୍ରେନରମାନଙ୍କ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ପରେ ଜିଲ୍ଲା ସ୍ତରୀୟ ନିୟୋଜିତ ସମ୍ପୃକ୍ତ ଅଧିକାରୀମାନଙ୍କୁ ତାଙ୍କ କାର୍ଯ୍ୟ ସମ୍ବନ୍ଧୀୟ ପର୍ଯ୍ୟାୟ କ୍ରମେ ତାଲିମ ଦିଆଯିବ । ଜିଲ୍ଲାର ବରିଷ୍ଠ ଅଧିକାରୀମାନଙ୍କୁ ମାଷ୍ଟର ଟ୍ରେନର ଭାବେ, ତହସିଲ ଓ ସହରାଞ୍ଚଳ ସ୍ତରୀୟ ଅଧିକାରୀମାନଙ୍କୁ କ୍ଷେତ୍ରୀୟ ଟ୍ରେନର ଭାବେ ଏବଂ ପ୍ରାଥମିକ ସ୍କୁଲ ଶିକ୍ଷକମାନଙ୍କୁ ଗଣନାକାରି ଓ ଉଚ୍ଚ ବିଦ୍ୟାଳୟ ଶିକ୍ଷକମାନଙ୍କୁ ସୁପରଭାଇଜର ଭାବେ ନିୟୋଜିତ କରାଯିବ ବୋଲି କହିଥିଲେ । ତତ୍ ସହିତ ଏହି ଜନଗଣନା କାର୍ଯ୍ୟର ସବୁଠାରୁ ଗୁରତ୍ୱପୂର୍ଣ୍ଣ ବିଷୟ ହେଉଛି ଏହାର ସମସ୍ତ ପ୍ରକ୍ରିୟା ନିର୍ଦ୍ଧାରିତ ସମୟ ରେଖା ଏବଂ ସମୟ ଅବଧି ମଧ୍ୟରେ ସମ୍ପୂର୍ଣ୍ଣ ହେବ । ଏଥର ଦେଶରେ ପ୍ରଥମ କରି ଡିଜିଟାଲ ଗଣନା ହେଉଥିବାରୁ ବୈଷୟିକ ଜ୍ଞାନ କୌଶଳକୁ ବିଶେଷ ଗୁରୁତ୍ୱ ଦିଆଯାଇଛି । ଏହି ଗଣନା କେବଳ ବ୍ୟକ୍ତି ବିଶେଷଙ୍କ ଗଣନା ନୁହେଁ ବରଂ ପ୍ରତ୍ୟେକ ପରିବାରର ଆର୍ଥିକ, ସାମାଜିକ ଅବସ୍ଥାର ପୂର୍ଣ୍ଣ ବିବରଣୀ ରହିବ । ସମସ୍ତେ ଯେପରି ନିଜର ସଠିକ ତଥ୍ୟ ପ୍ରଦାନ କରିବେ ସେଥିପାଇଁ ସଚେତନତା କରିବା ପାଇଁ ପରାମର୍ଶ ଦେଇଥିଲେ । ତେଣୁ ସମସ୍ତ ଅଧିକାରୀ ନିଜ ନିଜ ଦାୟିତ୍ୱ ସୂଚାରୁ ରୂପେ ସମ୍ପାଦନ କରିବା ନେଇ ଆଶା ପ୍ରକଟ କରିଥିଲେ ଏବଂ ଏଥିପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, ଅତିରିକ୍ତ ତହସିଲଦାର, ଅତିରିକ୍ତ ଉପଜିଲ୍ଲାପାଳ, ପୌରପାଳିକା ଓ ବିଜ୍ଞାପିତ ଅଂଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଜନଗଣନା କାର୍ଯ୍ୟରେ ସଂଶ୍ଲିଷ୍ଟ ସହକାରୀ କର୍ମଚାରୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ସାଧାରଣ ଓ ବିବିଧ ବିଭାଗର ସହକାରୀ ଜିଲ୍ଲାପାଳ ମାନସୀ ତରାଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।