ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର ବ୍ରହ୍ମପୁର ଠାରେ ତୃତୀୟ ଗଞ୍ଜାମ ଜିଲ୍ଲା ସ୍ୱାସ୍ଥ୍ୟ ମହାତ୍ସବ ଆୟୋଜିତ ହେବ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ୫ ଦିନିଆ ତୃତୀୟ ଗଞ୍ଜାମ ଜିଲ୍ଲା ସ୍ୱାସ୍ଥ୍ୟ ମହାତ୍ସବ-୨୦୨୬ ଚଳିତ ଫେବୃୟାରୀ ୧୧ ତାରିଖ ଠାରୁ ୧୫ ତାରିଖରୁ ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର ବ୍ରହ୍ମପୁର ଠାରେ ଆୟୋଜିତ ହେବ ବୋଲି ଏକ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ଚୂଡାନ୍ତ ହୋଇଛି । ପ୍ରତିଦିନ ମଧୁମେହ, କିଡନୀ, ହୃଦରୋଗ, ଚର୍ମ ରୋଗ, ସ୍ତ୍ରୀ ଓ ପ୍ରସୂତୀ ରୋଗ ଓ ଅନ୍ୟାନ୍ୟ ରୋଗର ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା, ଜନବହୁଳ ସହର ବ୍ରହ୍ମପୁର ସହରରେ ଆୟୋଜିତ ହେବା ନିମନ୍ତେ ଆଲୋଚନା ହୋଇଛି । ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର ବ୍ରହ୍ମପୁର ଠାରେ ଖଲ୍ଲିକୋଟ ଏକକ ବିଶ୍ୱ ବିଦ୍ୟାଳୟ ଖେଳ ପଡିଆ ଠାରେ ତୃତୀୟ ଗଞ୍ଜାମ ଜିଲ୍ଲା ସ୍ୱାସ୍ଥ୍ୟ ମହାତ୍ସବ-୨୦୨୬ ଚଳିତ ଫେବୃୟାରୀ ୧୧ ତାରିଖ ଠାରୁ ୧୫ ତାରିଖ ପର୍ଯ୍ୟନ୍ତ ପାଞ୍ଚ ଦିନ ଧରି ଆୟୋଜିତ ହେବ ବୋଲି କୁହାଯାଇଛି । ଏଥିନେଇ ସ୍ଥାନୀୟ ସ୍ୱତନ୍ତ୍ର ପ୍ରଦକ୍ଷଣ ଗୃହ ସମ୍ମିଳନୀ କକ୍ଷରେ ଦକ୍ଷିଣ ଓଡିଶା ଫାର୍ମାସିଷ୍ଟ ସଂଘର ସଭାପତି ବିଜୟ କୁମାର ସ୍ବାଇଁଙ୍କ ସଭାପତିତ୍ବରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏହି ସ୍ୱାସ୍ଥ୍ୟ ମହୋତ୍ସବରେ ଆଧୁନିକ ଚିକିତ୍ସା ସହ ଆୟୁର୍ବେଦ, ହୋମିଓପ୍ୟାଥିକ୍, ଯୋଗ, ପ୍ରାକୃତିକ ଚିକିତ୍ସା ଏବଂ ଭେଷଜ ଚିକିତ୍ସାଳୟ ସମ୍ବନ୍ଧିତ ୮୧ ଗୋଟି ପ୍ରଦର୍ଶନୀ ଷ୍ଟଲ ସହ ପ୍ରତ୍ୟେକ ଦିନ ମଧୁମେହ, କିଡନୀ, ହୃଦରୋଗ, ଚର୍ମ ରୋଗ, ସ୍ତ୍ରୀ ଓ ପ୍ରସୂତୀ ରୋଗ ନିରାକରଣ ବିଷୟରେ ଆଲୋଚନା ଚକ୍ର ସହ ସ୍ୱାସ୍ଥ୍ୟ ପରୀକ୍ଷା ମାଗଣାରେ କରାଯିବ ବୋଲି ଶ୍ରୀ ସ୍ୱାଇଁ ସୂଚନା ଦେଇଛନ୍ତି । ସ୍ୱାସ୍ଥ୍ୟ ସମସ୍ୟା ଆଜି ସମାଜର ଏକ ପ୍ରମୁଖ ସମସ୍ୟା ରୂପେ ଦେଖାଯାଇଛି । ତା ସହିତ ଗଞ୍ଜାମ ଭଳି ଏକ ଜନ ବହୁଳ ଜିଲ୍ଲାରେ ଅଧିକ ସ୍ୱାସ୍ଥ୍ୟ ଭିତ୍ତିଭୂମିର ଆବଶ୍ୟକତା ରହିଛି । ସ୍ୱାସ୍ଥ୍ୟ ଭିତ୍ତିଭୂମି ସହିତ ଜନସାଧାରଣଙ୍କ ମଧ୍ୟରେ ବ୍ୟାପକ ସ୍ୱାସ୍ଥ୍ୟ ସଚେତନତାର ଆବଶ୍ୟକତା ରହିଛି । ଆଧୁନିକ ଚିକିତ୍ସା ସହ ପାରମ୍ପରିକ ଚିକିତ୍ସା ବିଷୟରେ ଜନ ଜାଗରଣ କରି ଗଞ୍ଜାମ ଜିଲ୍ଲାକୁ ରାଜ୍ୟର ସ୍ୱାସ୍ଥ୍ୟ ପର୍ଯ୍ୟଟନର ଏକ ପେଣ୍ଠସ୍ଥଳୀ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମ୍ମୁଖରେ ରାଜ୍ୟର ଦ୍ୱିତୀୟ ଏମ୍ସ ଗଞ୍ଜାମ ଜିଲ୍ଲାରେ ପ୍ରତିଷ୍ଠା କରିବା ପାଇଁ ଦାବୀ ଉପସ୍ଥାପିତ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ମତପ୍ରକାଶ ପାଇଥିଲା । ପ୍ରତିଦିନ ଦୁଇ ବେଳା ଓପିଡି ଖୋଲିବ । ସେହି ଓପିଡିରେ ବିଶାଖାପାଟଣା ଓ ଭୁବନେଶ୍ୱରରୁ ସୁନାମାଧନ୍ୟ ବିଶେଷଜ୍ଞମାନେ ଯୋଗ ଦେବେ । ସମ୍ପୂର୍ଣ ମାଗଣାରେ ରୋଗୀମାନେ ବିଶେଷଜ୍ଞମାନଙ୍କଠାରୁ ପରାମର୍ଶ ନେଇପାରିବେ । ସବୁଦିନ ସକାଳୁ ଯୋଗ, ମଧ୍ୟାହ୍ନରେ ସେମିନାର, ସନ୍ଧ୍ୟାରେ ବୈଠକ ଓ ପରେ ପରେ ଜନସାଧାରଣଙ୍କ ମନୋରଞ୍ଜନ ପାଇଁ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହେବ । ୧୪ ତାରିଖରେ ମେଗା ରକ୍ତଦାନ ଶିବିର ଏବଂ ଶେଷ ଦିନ ଜ଼ିଲ୍ଲାରେ ଏମ୍ସ ପ୍ରତିଷ୍ଠା ସମ୍ପର୍କିତ ଆଲୋଚନା ଚକ୍ର ଅନୁଷ୍ଠିତ ହେବ । ଏହି ଅବସରରେ ଅଙ୍ଗଦାନ କରିଥିବା ବ୍ୟକ୍ତିଙ୍କ ପରିବାରବର୍ଗଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ସଙ୍ଘର ସମ୍ପାଦକ ଡା. ବିଷ୍ଣୁ ପ୍ରସାଦ ପଣ୍ଡା ସୂଚନା ଦେଇଥିଲେ । ୧୧ ତାରିଖ ସକାଳେ ମଶାଲ ଶୋଭାଯାତ୍ରା ମା’ ବୁଢୀ ଠାକୁରାଣୀ ମନ୍ଦିର, ମା’ ତାରାତାରିଣୀ ମନ୍ଦିର ଏବଂ ମା’ ବାଙ୍କେଶ୍ଵରୀ ପୀଠରୁ ବାହାରି ଠାକୁରାଣୀ ମନ୍ଦିର ନିକଟରେ ପହଂଚିବ । ସେଠାରେ ପୂଜାର୍ଚ୍ଚନା ପରେ ମଶାଲ ଗୁଡିକୁ ଖଲ୍ଲିକୋଟ ଏକକ ବିଶ୍ୱ ବିଦ୍ୟାଳୟ ଖେଳ ପଡିଆକୁ ଅଣାଯିବ । ସାମ୍ବାଦିକ ସମ୍ମିଳନୀରେ ସଙ୍ଘର କାର୍ଯ୍ୟକାରୀ ସଭାପତି ନାରାୟଣ ମହାକୁଡ଼, ଉପ ସଭାପତି ନାରାୟଣ ଦାସ, ଗମମାଧ୍ୟମ ସଂଯୋଜକ ସୁନୀଲ କୁମାର ସାହୁ, ନାଗେଶ୍ୱର ପୃଷ୍ଟି, ନବୀନ କୁମାର ମହାପାତ୍ର, ରୋହିତ ପରିଡା ଓ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

Leave A Reply

Your email address will not be published.