ତେନ୍ତୁଳିଖୁଣ୍ଟି ନୋଡ଼ାଲ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ‘ପ୍ରୟାସ’ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସିରୋଲ ଆଞ୍ଚଳିକ ସାଧନ କେନ୍ଦ୍ର ଅନ୍ତର୍ଗତ ତେନ୍ତୁଲିଖୁଣ୍ଟି ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ‘ପ୍ରୟାସ’ ମଙ୍ଗଳବାର ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ନୋଡାଲ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଶିକ୍ଷାଗତ ଓ ସହପାଠ୍ୟ କୌଶଳକୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ପ୍ରମାଣପତ୍ର ବିତରଣ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ହର୍ଷୋଲ୍ଲାସର ସହ ଆଡ଼ମ୍ବରପୂର୍ଣ୍ଣ ଭାବେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କର ସର୍ବାଙ୍ଗୀନ ବିକାଶ ଓ ନୀତିମୂଲ୍ୟ ଗଢ଼ିଉଠିବା ଉପରେ ଗୁରୁତ୍ୱ ଦିଆଯାଇଥିଲା । ବିଦ୍ୟାଳୟର ପ୍ରଧାନଶିକ୍ଷକ ସତ୍ୟ କୁମ୍ଭାରଙ୍କ ଅଧ୍ୟକ୍ଷତାରେ ତଥା ବରିଷ୍ଠ ଶିକ୍ଷକ ଅରୁଣ ପାତ୍ରଙ୍କ ତତ୍ଵାବଧାନରେ ମୁଖ୍ୟ ଅତିଥି ଭାବେ ସିରୋଲ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସୁଧୀର କୁମାର ନାଗ ଯୋଗଦେଇ ଶିକ୍ଷା ଓ ଶିଷ୍ଟାଚାରର ସମନ୍ୱୟ ଛାତ୍ର ଜୀବନର ମୂଳ ଆଧାର ବୋଲି କହିଥିଲେ । ବିନେକେଲା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପୂର୍ବତନ ଓଡ଼ିଆ ଅଧ୍ୟାପକ ପୁଲସ୍ତୀ ବେହେରା ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ନୀତିମୂଲ୍ୟ ରକ୍ଷାରେ ଛାତ୍ରଛାତ୍ରୀମାନଙ୍କ ଭୂମିକା ବିଷୟରେ ଗଭୀର ଆଲୋକପାତ କରିଥିଲେ । ସ୍କୁଲ ପରିଚାଳନା କମିଟି ସଭାପତି ଅନଙ୍ଗ ବେହେରା, ଯୋଗାଣ ସହାୟକ ମନୋଜ କୁମାର ମହାନ୍ତି ଓ ପରିଚାଳନା କମିଟି ସଦସ୍ୟ ଉପେନ୍ଦ୍ର ରଣା ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ଆଗାମୀ ଭବିଷ୍ୟତ ଜୀବନରେ ଶିଷ୍ଟାଚାର, ସାହସ ଓ ସମର୍ପଣ ଧାରଣ କରିବାକୁ ପ୍ରେରିତ କରିଥିଲେ । କାର୍ଯ୍ୟକ୍ରମରେ ଗୀତ, ନୃତ୍ୟ, କଳାକୃତି, କୁଇଜ୍, ନିବନ୍ଧ, ବାଦବିବାଦ, ଝୋଟି/ରଙ୍ଗୋଲି, ଡାନ୍ସ ପିରାମିଡ୍ ଓ ନାଟକ ପ୍ରତିଯୋଗିତାର ବିଜେତା ଛାତ୍ରଛାତ୍ରୀମାନଙ୍କୁ ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଶିକ୍ଷକ ସୁଭାସିନୀ ସାହୁ, ଶିବସୁନ୍ଦର ରାଉତ, ଜସ୍ମିନ୍ ମିଶ୍ର, ଗୀତାଞ୍ଜଳି ମହାନନ୍ଦ, ପବିତ୍ର ବେହେରା, ନିକିତା ଓରାମ୍, ବିଷ୍ଣୁପ୍ରିୟା ଦାସ୍, କମଲେଶ କିରଣ ମାଝି ଓ ଜିବନ୍ୟାସ ମାଝିଙ୍କ ସହ ସମସ୍ତ ଶିକ୍ଷକଶିକ୍ଷୟିତ୍ରୀମାନେ ସହଯୋଗ କରିଥିଲେ । ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଶ୍ୱମ୍ବର ବାଗ ମଞ୍ଚ ପରିଚାଳନା ଓ ପ୍ରମୋଦ କୁମାର ତ୍ରିପାଠୀ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.