ପଦ୍ମପୁର, (ନିରୋଜ କୁମାର ପାଣୀ) : ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ସେବା ଓ ସମର୍ପଣର ପ୍ରତୀକ ପାର୍ବତୀ ଗିରିଙ୍କ ଦ୍ୱାରା ପ୍ରତିଷ୍ଠିତ କସ୍ତୁରବା ଗାନ୍ଧୀ ମାତୃନିକେତନକୁ ସୋମବାର ଦିନ ବରଗଡ଼ ମହିଳା ସମିତିର ଏକ ୩୫ ଜଣିଆ ଦଳ ପରିଦର୍ଶନରେ ଆସିଥିଲେ । ସେମାନେ ଅନ୍ତେବାସୀ ମାନଙ୍କ ସହ ଦୀର୍ଘ ସମୟ ବିତାଇ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଅନ୍ତେବାସୀ ପୁଅଝିଅ ମାନଙ୍କୁ ଖାତାପତ୍ର, ଡ଼ଟପେନ୍, ପେନ୍ସିଲ ଓ କଟର, ରବର, ସ୍କେଲ, କମ୍ପାସ ବକ୍ସ ସାଙ୍ଗକୁ ବିଭିନ୍ନ ଫଳ, ବିସ୍କୁଟ, ଚିପ୍ସ, ବ୍ୟାଗ୍ ଆଦି ଉପହାର ଦେଇଥିଲେ । ପାର୍ବତୀ ଗିରିଙ୍କ ସହଯୋଗୀ ନିରୁପମା ମହାପାତ୍ର (ନିରୁ ଅପା)ଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝି ଆରୋଗ୍ୟ କାମନା କରିଥିଲେ । ଏହାପରେ ପ୍ରତିନିଧି ଦଳ ନୃସିଂହନାଥ ମନ୍ଦିର ପରିଦର୍ଶନ କରି ପ୍ରସାଦ ପାଇଥିଲେ । ମାତୃନିକେତନ ଓ ମନ୍ଦିର ସମ୍ପର୍କରେ ଖୁବ୍ ଶୀଘ୍ର ଜିଲ୍ଲା ପ୍ରଶାସନ ସହ ମହିଳା ସମିତି ଆଲୋଚନା କରିବ ବୋଲି ସମିତିର ସଭାନେତ୍ରୀ ଅଞ୍ଜନା ଦାସ, ସମ୍ପାଦିକା ସୁଧାଂଶୁବାଲା ଦାଶ ଓ ମମତା ମିଶ୍ର ସୂଚନା ଦେଇଛନ୍ତି ।